ଗ୍ଲୋବାଲ ସାଉଥକୁ ନିୟମ ନିର୍ଦ୍ଧାରକ ହେବାକୁ ପଡ଼ିବ: ମୋଦୀ
1 min read

ଗ୍ଲୋବାଲ ସାଉଥକୁ ନିୟମ ନିର୍ଦ୍ଧାରକ ହେବାକୁ ପଡ଼ିବ: ମୋଦୀ

ନୂଆଦିଲ୍ଲୀ, (ପିପିଏସ): ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ପାଇଁ ଗ୍ଲୋବାଲ ସାଉଥକୁ କେବଳ ନିଷ୍ପତ୍ତିର ପ୍ରଭାବିତ ନୁହେଁ, ବରଂ ‘ନିୟମ ନିର୍ଦ୍ଧାରକ’ ହେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନୂଆଦିଲ୍ଲୀରେ ଶନିବାର ଦୁଇଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ସେ ଏହା କହିଛନ୍ତି।

ମୋଦୀ କହିଛନ୍ତି, ବ୍ରିକ୍ସ ବିଶ୍ୱ ମଞ୍ଚରେ ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିଛି। ଏହି ଗୋଷ୍ଠୀ କାହା ବିରୋଧରେ ନୁହେଁ। ବରଂ ସମସ୍ତ ଦେଶର ସ୍ୱରକୁ ସମାନ ଗୁରୁତ୍ୱ ଦେଇ ସହଯୋଗ ଓ ଭାଗୀଦାରି ମାଧ୍ୟମରେ ବିଶ୍ୱ ବ୍ୟବସ୍ଥାକୁ ଅଧିକ ସମାବେଶୀ କରିବା ଏହାର ଲକ୍ଷ୍ୟ ହେବା ଉଚିତ।

ବର୍ତ୍ତମାନର ବିଶ୍ୱ ଶାସନ ବ୍ୟବସ୍ଥାକୁ ଏକ ‘ପିରାମିଡ୍‌’ ସହ ତୁଳନା କରି ମୋଦୀ କହିଛନ୍ତି ଯେ ଏହାର ଶୀର୍ଷରେ ଶକ୍ତି ଓ ନିଷ୍ପତ୍ତି ନେବାର କ୍ଷମତା କେନ୍ଦ୍ରୀଭୂତ ହୋଇଛି। ତଳ ସ୍ତରର ଦେଶଗୁଡ଼ିକ ନିଷ୍ପତ୍ତିର ପ୍ରଭାବ ଭୋଗୁଥିଲେ ମଧ୍ୟ ବ୍ୟବସ୍ଥାକୁ ଆକାର ଦେବାର ସୁଯୋଗରୁ ବଞ୍ଚିତ ହେଉଛନ୍ତି। ତେଣୁ ଏହି ବ୍ୟବସ୍ଥାକୁ ‘ଭାଗୀଦାରିର ପ୍ଲାଟଫର୍ମ’ରେ ପରିଣତ କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ବିଶ୍ୱ ଶାସନ ବ୍ୟବସ୍ଥାର ସଂସ୍କାର ପାଇଁ ବ୍ରିକ୍ସ ଦେଶଗୁଡ଼ିକ ମିଳିତ ଭାବେ ୧୦ଟି ପ୍ରସ୍ତାବ ପ୍ରସ୍ତୁତ କରିବାକୁ ମୋଦୀ ପ୍ରସ୍ତାବ ଦେଇଛନ୍ତି। ପରବର୍ତ୍ତୀ ଶିଖର ସମ୍ମିଳନୀ ସୁଦ୍ଧା ଏହାକୁ ସଂସ୍କାର ରୋଡମ୍ୟାପ୍‌ର ରୂପ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ଏଥିସହ ଜାତିସଂଘ ସୁରକ୍ଷା ପରିଷଦର ତୁରନ୍ତ ସଂସ୍କାର ଆବଶ୍ୟକ ବୋଲି ସେ କହିଛନ୍ତି।

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ, ପଶ୍ଚିମ ଏସିଆ ସଙ୍କଟ ଏବଂ ବିଶ୍ୱ ବାଣିଜ୍ୟ ଓ ଶୁଳ୍କ ନୀତିର ପ୍ରଭାବ ମଧ୍ୟରେ ବିଶ୍ୱ ଅର୍ଥନୀତି ଚାପରେ ଥିବା ବେଳେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି। ବିକାଶଶୀଳ ଅର୍ଥନୀତିଗୁଡ଼ିକୁ ଏହି ଆହ୍ୱାନରୁ ସୁରକ୍ଷିତ ରଖିବା ଓ ଆନ୍ତର୍ଜାତିକ ସହଯୋଗ ବଢ଼ାଇବା ଉପରେ ଆଲୋଚନା ହେବ।

ଭାରତର ଅଧ୍ୟକ୍ଷତାର ବିଷୟବସ୍ତୁ ରହିଛି— “ସ୍ଥିରତା, ନବସୃଜନ, ସହଯୋଗ ଓ ସ୍ଥାୟୀତ୍ୱ ପାଇଁ ନିର୍ମାଣ।” ଏହା ଅଧୀନରେ ସ୍ୱାସ୍ଥ୍ୟ, କୃଷି, ଖାଦ୍ୟ, ଶକ୍ତି, ବିପର୍ଯ୍ୟୟ ପରିଚାଳନା ଓ ସପ୍ଲାଇ ଚେନ୍‌ ଭଳି କ୍ଷେତ୍ରରେ ସହଯୋଗ ମଜବୁତ କରିବାକୁ ଭାରତ ଗୁରୁତ୍ୱ ଦେଉଛି। ବାଣିଜ୍ୟ, ନିବେଶ, ଯୋଗାଯୋଗ ଓ ଉଚ୍ଚ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ସହ ଡିଜିଟାଲ ପବ୍ଲିକ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର, ଫିନ୍‌ଟେକ୍‌, କୃତ୍ରିମ ବୁଦ୍ଧିମତ୍ତା ଓ ଜ୍ଞାନ ବିନିମୟ ଉପରେ ମଧ୍ୟ ଗୁରୁତ୍ୱ ରହିଛି।

ଶିଖର ସମ୍ମିଳନୀରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ଇରାନ୍ ରାଷ୍ଟ୍ରପତି ମସୌଦ ପେଜେଶକିଆନ୍‌, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସା, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ୍‌ ଓ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋଙ୍କ ସମେତ ବିଭିନ୍ନ ଦେଶର ନେତା ଯୋଗ ଦେଇଛନ୍ତି। ଜାତିସଂଘ ସାଧାରଣ ସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ସମେତ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟମାନେ ମଧ୍ୟ ସମ୍ମିଳନୀରେ ଯୋଗ ଦେଇଛନ୍ତି।

ସମୁଦ୍ରଯାତ୍ରୀଙ୍କ ସୁରକ୍ଷା ପାଇଁ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଏକ ‘ସିଫର୍ସ ନେଟୱର୍କ’ ଗଠନ କରିବାକୁ ମଧ୍ୟ ମୋଦୀ ପ୍ରସ୍ତାବ ଦେଇଛନ୍ତି।

ମୂଳତଃ ବ୍ରାଜିଲ୍‌, ରୁଷିଆ, ଭାରତ, ଚୀନ୍‌ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସ ୨୦୨୪ରୁ ସମ୍ପ୍ରସାରିତ ହୋଇଛି। ଇଜିପ୍ଟ, ଇଥିଓପିଆ, ଇରାନ୍‌, ସଂଯୁକ୍ତ ଆରବ ଏମିରେଟ୍ସ, ସାଉଦି ଆରବ ଓ ପରେ ଇଣ୍ଡୋନେସିଆ ଏଥିରେ ସାମିଲ ହୋଇଛନ୍ତି। ବ୍ରିକ୍ସର ସଦସ୍ୟ ଦେଶଗୁଡ଼ିକ ବିଶ୍ୱ ଜନସଂଖ୍ୟାର ପ୍ରାୟ ୪୯.୫ ପ୍ରତିଶତ, ବିଶ୍ୱ ଜିଡିପିର ପ୍ରାୟ ୪୦ ପ୍ରତିଶତ ଏବଂ ବିଶ୍ୱ ବାଣିଜ୍ୟର ପ୍ରାୟ ୨୬ ପ୍ରତିଶତ ଅଂଶକୁ ପ୍ରତିନିଧିତ୍ୱ କରୁଛନ୍ତି।

Leave a Reply

Your email address will not be published. Required fields are marked *