FAS ରିପୋର୍ଟରେ ଦାବି; ଭାରତ ପାଖରେ ୧୯୦ ପରମାଣୁ ଅସ୍ତ୍ର!
1 min read

FAS ରିପୋର୍ଟରେ ଦାବି; ଭାରତ ପାଖରେ ୧୯୦ ପରମାଣୁ ଅସ୍ତ୍ର!

ନୂଆଦିଲ୍ଲୀ: ଭାରତର ପରମାଣୁ ଅସ୍ତ୍ରଭଣ୍ଡାରରେ ପ୍ରାୟ ୧୯୦ଟି ଯୁଦ୍ଧାସ୍ତ୍ର ଥିବା ଆକଳନ କରିଛି ଆମେରିକାର ଫେଡେରେସନ ଅଫ୍ ଆମେରିକାନ ସାଇଣ୍ଟିଷ୍ଟସ୍‌ (FAS)। ଏଥିରେ ବିକାଶାଧୀନ ନୂତନ କ୍ଷେପଣାସ୍ତ୍ର ପାଇଁ ପ୍ରାୟ ୩୦ଟି ଅତିରିକ୍ତ ପରମାଣୁ ଅସ୍ତ୍ର ସାମିଲ ଥିବା ରିପୋର୍ଟରେ ଦାବି କରାଯାଇଛି। ଖୋଲା ଉତ୍ସ, ସରକାରୀ ତଥ୍ୟ ଏବଂ ବାଣିଜ୍ୟିକ ଉପଗ୍ରହ ଚିତ୍ରର ବିଶ୍ଳେଷଣ ଆଧାରରେ ଏହି ଆକଳନ କରାଯାଇଥିବା କୁହାଯାଇଛି।

FAS ଅନୁଯାୟୀ, ଭାରତ ପାଖରେ ବର୍ତ୍ତମାନ ୯ଟି କାର୍ଯ୍ୟକ୍ଷମ ପରମାଣୁ-ସକ୍ଷମ ପ୍ରଣାଳୀ ରହିଛି। ଏଥିରେ ୨ଟି ବିମାନ, ସ୍ଥଳଭାଗରୁ ନିକ୍ଷେପଣ ହେଉଥିବା ୬ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ସମୁଦ୍ରରୁ ନିକ୍ଷେପଣ ହେଉଥିବା ଗୋଟିଏ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସାମିଲ ଅଛି। ଏହାବ୍ୟତୀତ ଆଉ ଅତି କମରେ ୨ଟି ପ୍ରଣାଳୀ ବିକାଶର ଶେଷ ପର୍ଯ୍ୟାୟରେ ଥିବା ରିପୋର୍ଟରେ କୁହାଯାଇଛି।

ଚାଲିଛି ପରମାଣୁ ଅସ୍ତ୍ରର ଆଧୁନିକୀକରଣ

ରିପୋର୍ଟ ଅନୁସାରେ, ଭାରତ ନିଜ ପରମାଣୁ ଅସ୍ତ୍ରାଗାରର ଆଧୁନିକୀକରଣ ଜାରି ରଖିଛି। ସାମ୍ପ୍ରତିକ ବର୍ଷଗୁଡ଼ିକରେ ଏକାଧିକ ନୂଆ ଅସ୍ତ୍ର ପ୍ରଣାଳୀ ନିୟୋଜିତ ହୋଇଥିବା ବେଳେ ବର୍ତ୍ତମାନର ପରମାଣୁ-ସକ୍ଷମ ବିମାନ, କ୍ଷେପଣାସ୍ତ୍ର ଓ ସମୁଦ୍ରଭିତ୍ତିକ ପ୍ରଣାଳୀକୁ ଉନ୍ନତ କିମ୍ବା ବଦଳାଇବା ପାଇଁ ଅନେକ ନୂଆ ବ୍ୟବସ୍ଥା ବିକାଶାଧୀନ ରହିଛି।

FAS ଆକଳନ କରିଛି ଯେ ଭାରତ ୧୪୦ରୁ ୨୨୫ଟି ପରମାଣୁ ଅସ୍ତ୍ର ପାଇଁ ଆବଶ୍ୟକ ସାମରିକ ପ୍ଲୁଟୋନିୟମ୍ ଉତ୍ପାଦନ କରିଥାଇପାରେ। ଏହାର ଏକ ଅଂଶ ଅସ୍ତ୍ର ନିର୍ମାଣରେ ବ୍ୟବହାର ହୋଇଥିବା ବେଳେ ଅବଶିଷ୍ଟ ଅଂଶ ସଂରକ୍ଷିତ ରହିଥାଇପାରେ ବୋଲି ରିପୋର୍ଟରେ ଆକଳନ କରାଯାଇଛି।

ଆହୁରି ବଢ଼ିପାରେ ଭଣ୍ଡାର

ନୂଆ ପରମାଣୁ-ସକ୍ଷମ ଅସ୍ତ୍ର ପ୍ରଣାଳୀ ବିକାଶ ସହ ଭାରତର ପରମାଣୁ ଅସ୍ତ୍ରଭଣ୍ଡାର ଆଗାମୀ ଦିନରେ ବଢ଼ିପାରେ ବୋଲି FAS ଆକଳନ କରିଛି। ତେବେ ପରମାଣୁ ଅସ୍ତ୍ରର ପ୍ରକୃତ ସଂଖ୍ୟା ସାର୍ବଜନୀନ ଭାବେ ନିଶ୍ଚିତ ନୁହେଁ। ଭାରତ କେତେ ପରିମାଣର ଅସ୍ତ୍ର ମୁତୟନ କରିବ, ତାହା ଉପଲବ୍ଧ ଲଞ୍ଚର୍‌ର ସଂଖ୍ୟା ଓ ପ୍ରକାର ସହ ଜଡ଼ିତ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *