କୋଇଲା ପରିବହନ ପାଇଁ ରାସ୍ତା ନାହିଁ, ବଢୁଛି ଅସନ୍ତୋଷ
1 min read

କୋଇଲା ପରିବହନ ପାଇଁ ରାସ୍ତା ନାହିଁ, ବଢୁଛି ଅସନ୍ତୋଷ

ଛେଣ୍ଡିପଦାରେ ଦୈନିକ ୯୦୦ରୁ ଅଧିକ କୋଇଲା ଟ୍ରକ୍‌ ଚଳାଚଳ, ଦୁର୍ଘଟଣା ଆଶଙ୍କାରେ ଲୋକେ

ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ଏକାଧିକ ଖଣିରୁ କୋଇଲା ପରିବହନ ହେଉଥିଲେ ମଧ୍ୟ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଛେଣ୍ଡିପଦା ବ୍ଲକ୍‌ ଅଞ୍ଚଳରେ ୪୧ଟି କୋଇଲା ଖଣି ହେବାକୁ ଥିବା ବେଳେ ବର୍ତ୍ତମାନ ୫ଟି ଖଣିରୁ କୋଇଲା ପରିବହନ ହେଉଛି।

ରାଇଝରଣରେ ଥିବା ଉତ୍କଳ ବି-୧, ଉତ୍କଳ ବି-୨, ଉତ୍କଳ ସି, ଉତ୍କଳ ଡି ଓ ଉତ୍କଳ ଏ ଖଣିରୁ ଅଢ଼େଇ ବର୍ଷ ହେଲା କୋଇଲା ପରିବହନ ହେଉଛି। ରାଇଝରଣରୁ ନାଲ୍‌କୋ ପର୍ଯ୍ୟନ୍ତ ପ୍ରତିଦିନ ପ୍ରାୟ ୬୦୦ ଟ୍ରକ୍‌ ଚଳାଚଳ କରୁଛି। ସେହିପରି ଛେଣ୍ଡିପଦାର ନୟନୀ ଖଣିରୁ ଗତ ୩ ମାସ ହେଲା ସିଙ୍ଗରେନି କମ୍ପାନୀ ପକ୍ଷରୁ କୋଇଲା ପରିବହନ ହେଉଛି। ଏଠାରୁ ବିଭିନ୍ନ ସ୍ଥାନକୁ ଦୈନିକ ପ୍ରାୟ ୩୦୦ ଟ୍ରକ୍‌ ଯାତାୟାତ କରୁଛି। ଆଗାମୀ ଦୁର୍ଗାପୂଜା ପରେ ନୟନୀ ଖଣିରୁ ପ୍ରାୟ ୫୦୦ ଟ୍ରକ୍‌ ଚଳାଚଳ କରିବାର ଯୋଜନା ରହିଛି।

ଆଗାମୀ ଦିନରେ ଜିଏମ୍‌ଡିସି, ଏନ୍‌ଏଲ୍‌ସି, ରୁଙ୍ଗଟା ଓ ବେଦାନ୍ତ ଖଣିରୁ ମଧ୍ୟ କୋଇଲା ପରିବହନ ଯୋଜନା ରହିଛି। ପ୍ରତିବର୍ଷ କୋଇଲା ପରିବହନ ପରିମାଣ ବଢ଼ିବା ସହ ଆସନ୍ତା ୩ ବର୍ଷ ମଧ୍ୟରେ ୩ ହଜାରରୁ ଊର୍ଦ୍ଧ୍ୱ ଟ୍ରକ୍‌ ଏହି ରାସ୍ତାରେ ଚଳାଚଳ କରିବାର ଆଶଙ୍କା ରହିଛି।

ରାସ୍ତା ନିର୍ମାଣ ଯୋଜନା ଶୀତଳଭଣ୍ଡାରରେ

ପ୍ରାୟ ୫ ବର୍ଷ ପୂର୍ବରୁ କୋଇଲା ପରିବହନ ପାଇଁ ସ୍ୱତନ୍ତ୍ର ରାସ୍ତା ଓ କୋଇଲା କନଭେୟର ବେଲ୍ଟ ନିର୍ମାଣ ଯୋଜନା ହୋଇଥିଲା। ହେଲେ ତାହା ଏବେ ଶୀତଳଭଣ୍ଡାରରେ ପଡ଼ିରହିଛି। ଫଳରେ ଛେଣ୍ଡିପଦା ବ୍ଲକ୍‌ରେ ଏବେ ପ୍ରାୟ ୩୦୦ ଟ୍ରକ୍‌ କୋଇଲା ପରିବହନରେ ନିୟୋଜିତ ହୋଇଛି।

୬୩ ନମ୍ବର ରାଜ୍ୟ ରାଜପଥରେ ଛେଣ୍ଡିପଦାରୁ ଅନୁଗୋଳ ଦେଇ ରାତି ୧୨ଟାରୁ ଭୋର ୫ଟା ମଧ୍ୟରେ କୋଇଲା ଟ୍ରକ୍‌ ଚଳାଚଳ କରୁଛି। ବିଭିନ୍ନ ସ୍ଥାନରୁ କୋଇଲା ଖାଲି କରିବା ପରେ ଟ୍ରକ୍‌ଗୁଡ଼ିକ ପୁଣି କୋଶଳା ଓ ଜରପଡ଼ା-ଛେଣ୍ଡିପଦା ରାସ୍ତା ଦେଇ ରାତି ୧୦ଟାରୁ ଭୋର ୫ଟା ମଧ୍ୟରେ ଫେରୁଛନ୍ତି। ସ୍ୱଳ୍ପ ସମୟ ମଧ୍ୟରେ କୋଇଲା ବୋଝେଇ ଟ୍ରକ୍‌ଗୁଡ଼ିକୁ ଦୀର୍ଘ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଥିବାରୁ ଚାଳକ ଓ ମାଲିକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖାଦେଉଛି। ଫଳରେ ଦୁର୍ଘଟଣା ଆଶଙ୍କା ମଧ୍ୟ ବଢ଼ିଛି।

ରାସ୍ତା ଉପରେ ବଢ଼ୁଛି ଚାପ

ନୟନୀ ଖଣିରୁ ଅଣାସାରିଆ ରାସ୍ତାରେ ଅତ୍ୟଧିକ ଟ୍ରକ୍‌ ଚଳାଚଳ ସ୍ଥାନୀୟ ଲୋକଙ୍କୁ ଅଣନିଃଶ୍ୱାସୀ କରିଦେଉଛି। ଟ୍ରକ୍‌ ଚାଳକମାନେ ସ୍ଥାନୀୟ ଲୋକଙ୍କ ରୋଷର ଶିକାର ହେଉଥିଲେ ମଧ୍ୟ ମୂଳ ରାସ୍ତା ସମସ୍ୟାର ସମାଧାନ ହେଉନାହିଁ।

୨୦୨୭ ଏପ୍ରିଲ୍‌ ସୁଦ୍ଧା ବୈତରଣୀ ପଶ୍ଚିମ ଖଣିରୁ ଜିଏମ୍‌ଡିସି କମ୍ପାନୀ ପକ୍ଷରୁ କୋଇଲା ପରିବହନ ଯୋଜନା ରହିଛି। ଏହି ଖଣିରୁ କୋଇଲା ପରିବହନ ଆରମ୍ଭ ହେଲେ ଆଉ ପ୍ରାୟ ୫୦୦ ଟ୍ରକ୍‌ ଚଳାଚଳ କରିବ। ତେଣୁ ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ସ୍ୱତନ୍ତ୍ର କୋଇଲା ପରିବହନ ରାସ୍ତା ଓ ବାଇପାସ୍‌ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *