କାଦୁଅ ରାସ୍ତାରେ ଯାତାୟାତ ଦୁର୍ବିଷହ, ଡିଏମ୍‌ଏଫ୍‌ ଅର୍ଥ ବିନିଯୋଗକୁ ନେଇ ଉଠିଲା ପ୍ରଶ୍ନ
1 min read

କାଦୁଅ ରାସ୍ତାରେ ଯାତାୟାତ ଦୁର୍ବିଷହ, ଡିଏମ୍‌ଏଫ୍‌ ଅର୍ଥ ବିନିଯୋଗକୁ ନେଇ ଉଠିଲା ପ୍ରଶ୍ନ

ପାଇକମାଳ: ପାଇକମାଳ ବ୍ଲକ କାଂସଡ଼ା ପଞ୍ଚାୟତ ଅନ୍ତର୍ଗତ ଭୂତମୁଣ୍ଡା-ଅଚ୍ୟୁତପୁର (ଢେଙ୍କିମୁଣ୍ଡା) ଗାଁକୁ ଯାତାୟାତ ରାସ୍ତାର ଅବସ୍ଥା ବର୍ଷା ହେଲେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ୁଛି। ଭୂତମୁଣ୍ଡାଠାରୁ ମାତ୍ର ପ୍ରାୟ ୧ କିମି ଦୂରରେ ଥିବା ଏହି ଗାଁରେ ୬୦ରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୪୦୦ ଲୋକ ବସବାସ କରୁଛନ୍ତି। ହେଲେ ଗାଁକୁ ପହଞ୍ଚିବା ପାଇଁ ପକ୍କା ରାସ୍ତାଟିଏ ଦୀର୍ଘଦିନ ଧରି ହୋଇପାରିନାହିଁ।

ବର୍ଷା ଋତୁରେ ଏହି ରାସ୍ତାରେ ଯାତାୟାତ ଏକପ୍ରକାର ଦୁର୍ବିଷହ ହୋଇପଡ଼େ। ଛାତ୍ରଛାତ୍ରୀମାନେ ପ୍ରତିଦିନ ଏହି ରାସ୍ତା ଦେଇ ନିକଟସ୍ଥ ବିଦ୍ୟାଳୟକୁ ଯାଉଥିବା ବେଳେ ଗ୍ରାମବାସୀଙ୍କୁ ବଜାର, ଡାକ୍ତରଖାନା, ସରକାରୀ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ କାମ ପାଇଁ ଏହି ରାସ୍ତା ଉପରେ ନିର୍ଭର କରିବାକୁ ପଡ଼ୁଛି। କାଦୁଅ ରାସ୍ତାରେ ଛାତ୍ରଛାତ୍ରୀ ଖସିପଡ଼ି ଆହତ ହେଉଥିବା ନେଇ ଅଭିଭାବକମାନେ ମଧ୍ୟ ଅଭିଯୋଗ କରିଛନ୍ତି।

ରାସ୍ତା ଜବରଦଖଲ ଅଭିଯୋଗ

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ରାସ୍ତାଟି ପ୍ରାୟ ୨୦ ଫୁଟ୍‌ ଚଉଡ଼ା ଥିଲା। ଏବେ କେତେକ ବ୍ୟକ୍ତି ରାସ୍ତା ପାର୍ଶ୍ୱର ଜମି ଜବରଦଖଲ କରି ଉଭୟ ପାର୍ଶ୍ୱରେ ତାରବାଡ଼ ଦେଇଥିବାରୁ ରାସ୍ତା ସଙ୍କୁଚିତ ହୋଇଛି। ଏହା ଯୋଗୁଁ ଯାତାୟାତରେ ଅଧିକ ସମସ୍ୟା ସୃଷ୍ଟି ହେଉଛି।

ଡିଏମ୍‌ଏଫ୍‌ ଅର୍ଥକୁ ନେଇ ପ୍ରଶ୍ନ

ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଡିଏମ୍‌ଏଫ୍‌ ମାଧ୍ୟମରେ ଅର୍ଥ ଖର୍ଚ୍ଚ କରାଯାଉଥିବା ବେଳେ ସୂର୍ଯ୍ୟଗଡ଼ ଭଳି ଗାଁର ମୌଳିକ ସମସ୍ୟା କାହିଁକି ଦୂର ହେଉନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଡିଏମ୍‌ଏଫ୍‌ ଅର୍ଥରେ ଗାଁ ପାଇଁ କେଉଁ କେଉଁ କାମ ହୋଇଛି, କେତେ ଟଙ୍କା ମଞ୍ଜୁର ହୋଇଛି ଏବଂ କେତେ ଅର୍ଥ ଖର୍ଚ୍ଚ ହୋଇଛି, ତାହାର ସରକାରୀ ତଥ୍ୟ ସାର୍ବଜନୀନ କରିବାକୁ ଦାବି ହୋଇଛି।

ଖଣି ପ୍ରଭାବିତ ଅଞ୍ଚଳର ବିକାଶ ଓ ସାମାଜିକ ଦାୟିତ୍ୱ ଅଧୀନରେ ଓଡ଼ିଶା ଆଲୁମିନା ପକ୍ଷରୁ ବିଭିନ୍ନ କାର୍ଯ୍ୟ ହେଉଥିବା କୁହାଯାଉଛି। ତଥାପି ସୂର୍ଯ୍ୟଗଡ଼ର ମୌଳିକ ସୁବିଧା ଅଭାବ ଦୂର ହୋଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଦୀର୍ଘଦିନର ଏହି ସମସ୍ୟା ପ୍ରତି ପ୍ରଶାସନ ଗୁରୁତ୍ୱ ଦେଇ ରାସ୍ତାରୁ ଜବରଦଖଲ ହଟାଇବା ସହ ପୁନଃ ରାସ୍ତା ପ୍ରଶସ୍ତୀକରଣ କରି ପକ୍କା ରାସ୍ତା ନିର୍ମାଣ କରୁ। ତୁଲାରାମ ସାହୁ, ଯୁଧିଷ୍ଠିର ସାହୁ, ଫାଲଗୁନୀ ସାହୁ, ବନମାଳୀ ମିର୍ଦ୍ଧା, ଶୈଳବନ୍ତ ପ୍ରଧାନ, ଲୋକନାଥ ବାଗ, ଚୂଡ଼ାମଣି ସାହୁ, ଦୀପକ ସାହୁ, ବିହାରୀ ମାଝୀ, ପ୍ରତାପ ଶିକା, ନରସିଂହ ବେରିଆଙ୍କ ସମେତ ଗ୍ରାମବାସୀ ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।

Leave a Reply

Your email address will not be published. Required fields are marked *