ରାଉରକେଲାରେ ସ୍ମାର୍ଟ ସିଟି ବ୍ୟବସ୍ଥା ବେହାଲ, କାଗଜପତ୍ରରେ ସୀମିତ ଆର୍ଏମ୍ସି ସ୍ୱଚ୍ଛତା
ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାରେ ପରିମଳ ବ୍ୟବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ସ୍ଥାନୀୟ ସିଭିଲ୍ ଟାଉନସିପ୍ ହେଉ କି ଗୋପବନ୍ଧୁପାଲି, ମଧୁସୂଦନପାଲି—ପ୍ରାୟ ସବୁ ଅଞ୍ଚଳରେ ସମାନ ସ୍ଥିତି। ରାସ୍ତାଘାଟ, ନାଳନର୍ଦ୍ଦମା ସବୁଠି ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଛି।
ଅନ୍ୟପକ୍ଷରେ, ଜାତୀୟ ସ୍ୱଚ୍ଛତା ସର୍ଭେକ୍ଷଣ ରାଙ୍କିଂରେ ରାଉରକେଲା କ୍ରମାଗତ ଭାବେ ନିଜ ସ୍ଥିତି ବଜାୟ ରଖିଆସିଛି। ଗତ ୫ ବର୍ଷର ରିପୋର୍ଟ ଦେଖିଲେ ୨୦୨୧ରେ ରାଉରକେଲା ୫୭ତମ, ୨୦୨୨ରେ ୪୫ତମ, ୨୦୨୩ରେ ୧୧୯ତମ ଏବଂ ୨୦୨୪ରେ ୧୫ତମ ରାଙ୍କ ହାସଲ କରିଥିଲା। ନିକଟରେ ୨୦୨୫-୨୬ ସ୍ୱଚ୍ଛତା ତାଲିକାରେ ଦେଶର ଶ୍ରେଷ୍ଠ ସହରଗୁଡ଼ିକ ମଧ୍ୟରେ ସ୍ଥାନ ପାଇ ରାଉରକେଲା ଗୌରବ ଆଣିଥିବା ଦାବି କରାଯାଉଛି।
କାଗଜପତ୍ର ଓ ସରକାରୀ ପୁରସ୍କାରରେ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ବେଶ୍ ପ୍ରଶଂସା ସାଉଁଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ସହରର ବିଭିନ୍ନ ଅଞ୍ଚଳରେ ଏବେ ବି ଅଳିଆ ଆବର୍ଜନାର ପାହାଡ଼ ଦେଖିବାକୁ ମିଳୁଛି। ସହରର କେତେକ ମୁଖ୍ୟ ରାସ୍ତା ପ୍ରତିଦିନ ସଫା କରାଯାଉଥିବା ବେଳେ ଅନେକ ଆଭ୍ୟନ୍ତରୀଣ ଅଞ୍ଚଳ, ଗଳିକନ୍ଦି ଓ ବସ୍ତିଗୁଡ଼ିକୁ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି।
ସହରର ବିଭିନ୍ନ ସ୍ଥାନରେ କଠିନ ଆବର୍ଜନା ଜମା ହୋଇ ରହିବା ସହ ଡ୍ରେନେଜ୍ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫଳରେ ବର୍ଷା ହେଲେ ଅନେକ ଅଞ୍ଚଳରେ ରାସ୍ତା ଉପରେ ଜଳ ଜମିବା ସହ ଘର ଭିତରକୁ ମଧ୍ୟ ପାଣି ପଶୁଥିବା ଅଭିଯୋଗ ରହିଛି। ଗତ ଅଗଷ୍ଟ ମାସରେ ସହରର ବିଭିନ୍ନ ଅଞ୍ଚଳ ତିନିଥର ଜଳମଗ୍ନ ହେବା ଏହାର ଜ୍ୱଳନ୍ତ ଉଦାହରଣ। ନିୟମିତ ଭାବେ ଆବର୍ଜନା ଉଠାଯାଉନଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି।
ସହରର ଗୋଟିଏ ପଟେ ସୌନ୍ଦର୍ଯ୍ୟୀକରଣ ଓ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟପଟେ ନିମ୍ନମାନର ଆବର୍ଜନା ପରିଚାଳନା ସ୍ମାର୍ଟ ସିଟିର ଆଖ୍ୟା ଉପରେ ପ୍ରଶ୍ନ ଉଠାଇଛି। କେବଳ ସର୍ଭେକ୍ଷଣ ସମୟରେ ସ୍ୱଚ୍ଛତା ପ୍ରଦର୍ଶନ ନୁହେଁ, ବର୍ଷସାରା ସହରର ସମସ୍ତ ୪୦ଟି ୱାର୍ଡରେ ସମାନ ଭାବେ ସ୍ୱଚ୍ଛତା ବଜାୟ ରଖିବା ସହ କଠିନ ଓ ତରଳ ଆବର୍ଜନାର ସଠିକ୍ ନିଷ୍କାସନ ପାଇଁ ସ୍ଥାୟୀ ପଦକ୍ଷେପ ନେବାକୁ ଦାବି ହେଉଛି।
ସହରକୁ ସ୍ୱଚ୍ଛ ରଖିବା ପାଇଁ ଆର୍ଏମ୍ସି ପକ୍ଷରୁ ୮ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ସିସି) ଓ ମ୍ୟାଟେରିଆଲ୍ ରିକଭରି ଫାସିଲିଟି (ଏମ୍ଆର୍ଏଫ୍) ପ୍ରତିଷ୍ଠା କରାଯାଇଛି। ଏହି କେନ୍ଦ୍ରଗୁଡ଼ିକ ତରକେରା, ବାଲୁଘାଟ, ବିପିୟୁଟି କ୍ୟାମ୍ପସ, ଫର୍ଟିଲାଇଜର ଟାଉନସିପ୍, ରାଉରକେଲା ୱାନ୍ର ଛେଣ୍ଡ, ସେକ୍ଟର-୧୫ ଓ ହନୁମାନ ବାଟିକା ଅଞ୍ଚଳରେ କାର୍ଯ୍ୟ କରୁଛି। ତେବେ ଏତେ ବ୍ୟବସ୍ଥା ସତ୍ତ୍ୱେ ସହରରେ ଆବର୍ଜନା ପରିଚାଳନା କାହିଁକି ସୁଧୁରୁନାହିଁ, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି।
