ସଂସଦ ରତ୍ନ ପୁରସ୍କାରରେ ସମ୍ମାନିତ ଭର୍ତ୍ତୃହରି ମହତାବ; ବିତ୍ତ କମିଟିର ଉଲ୍ଲେଖନୀୟ କାର୍ଯ୍ୟକୁ ମିଳିଲା ସ୍ୱୀକୃତି
1 min read

ସଂସଦ ରତ୍ନ ପୁରସ୍କାରରେ ସମ୍ମାନିତ ଭର୍ତ୍ତୃହରି ମହତାବ; ବିତ୍ତ କମିଟିର ଉଲ୍ଲେଖନୀୟ କାର୍ଯ୍ୟକୁ ମିଳିଲା ସ୍ୱୀକୃତି

ନୂଆଦିଲ୍ଲୀ: ସଂସଦୀୟ ସ୍ଥାୟୀ କମିଟି ଅନ୍ ଫାଇନାନ୍ସର ଉଲ୍ଲେଖନୀୟ କାର୍ଯ୍ୟ ଓ ସଂସଦୀୟ ଅବଦାନକୁ ସ୍ୱୀକୃତି ଦେଇ ୧୬ତମ ସଂସଦ ରତ୍ନ ପୁରସ୍କାର-୨୦୨୬ରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ‘ସଂସଦ ରତ୍ନ ପୁରସ୍କାର’ରେ ସମ୍ମାନିତ କରାଯାଇଛି। କମିଟିର ଅଧ୍ୟକ୍ଷ ଭାବେ ତାଙ୍କର ଦାୟିତ୍ୱବୋଧ, ବ୍ୟାପକ ସଂସଦୀୟ ଯାଞ୍ଚ ଏବଂ ଗଠନମୂଳକ ଆଲୋଚନାକୁ ଏହି ସମ୍ମାନରେ ସ୍ୱୀକୃତି ମିଳିଛି।

୨୦୨୫ରେ ମଧ୍ୟ ଭର୍ତ୍ତୃହରି ମହତାବ ତାଙ୍କର ଉଲ୍ଲେଖନୀୟ ସଂସଦୀୟ ସେବା ପାଇଁ ସଂସଦ ରତ୍ନ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ୨୦୨୬ରେ ତାଙ୍କ ନେତୃତ୍ୱାଧୀନ ସଂସଦୀୟ ସ୍ଥାୟୀ କମିଟି ଅନ୍ ଫାଇନାନ୍ସର ପ୍ରଭାବଶାଳୀ ରିପୋର୍ଟ ଓ ଆର୍ଥିକ ସଂସ୍କାର ସମ୍ପର୍କିତ କାର୍ଯ୍ୟକୁ ମଧ୍ୟ ସ୍ୱୀକୃତି ମିଳିଛି।

ସମ୍ମାନ ସମାରୋହରେ କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ, ଶିକ୍ଷା ତଥା ଉତ୍ତର-ପୂର୍ବାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଡ. ସୁକାନ୍ତ ମଜୁମଦାର, ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ବି. ଆର. ଗଭାଇ ଏବଂ ପୂର୍ବତନ ଏନ୍‌ସିବିସି ଅଧ୍ୟକ୍ଷ ତଥା ଜୁରି କମିଟିର ଅଧ୍ୟକ୍ଷ ହଂସରାଜ ଜି. ଅହିରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ସାଂସଦ ଲାଭୁ ଶ୍ରୀକୃଷ୍ଣ ଦେବରାୟାଲୁ ଓ ସାଂସଦ ସନ୍ଧ୍ୟା ରାୟ ମଧ୍ୟ ସମାରୋହରେ ଉପସ୍ଥିତ ଥିଲେ।

କମିଟିର ସାମୂହିକ ପରିଶ୍ରମ, ନିଷ୍ଠା ଓ ଗଠନମୂଳକ ବିଚାରବିମର୍ଶର ଏହା ଏକ ସ୍ୱୀକୃତି ବୋଲି କୁହାଯାଇଛି। ଜନସ୍ୱାର୍ଥର ସୁରକ୍ଷା ସହ ସଂସଦୀୟ ଦାୟିତ୍ୱର ଉଚ୍ଚ ମାନଦଣ୍ଡ ବଜାୟ ରଖିବା ପାଇଁ ଏହି ସମ୍ମାନ ଆଗାମୀ ଦିନରେ ଆହୁରି ଦାୟିତ୍ୱବୋଧର ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରାଯାଇଛି।

Leave a Reply

Your email address will not be published. Required fields are marked *