ଆବର୍ଜନାରେ ପୋତି ହେଉଛି ପୁରୁଣାପଡ଼ା ପୋଖରୀ
1 min read

ଆବର୍ଜନାରେ ପୋତି ହେଉଛି ପୁରୁଣାପଡ଼ା ପୋଖରୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ପୁରୁଣାପଡ଼ାସ୍ଥିତ ପୋଖରୀ ଏବେ ଜଳାଶୟ ନୁହେଁ, ଆବର୍ଜନାର ଭଣ୍ଡାର ପାଲଟିଛି। ବର୍ଷ ବର୍ଷ ଧରି ପୋଖରୀରେ ଅଳିଆ ଆବର୍ଜନା ପଡ଼ି ଏହା ପୋତି ହେବାକୁ ବସିଛି। ୨୦୨୩ରେ ପୋଖରୀ ପଙ୍କୋଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ ପାଇଁ ୬୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇ କାମ ଆରମ୍ଭ ହୋଇଥିଲେ ମଧ୍ୟ ଦୁଇ ବର୍ଷ ପରେ ମଧ୍ୟ ଏହା ଅଧାପନ୍ତରିଆ ହୋଇପଡ଼ିଛି।

ସହରରେ ୧୦ରୁ ଅଧିକ ପୋଖରୀ ଥିବାବେଳେ ଅନେକ ପୋଖରୀ ଆବର୍ଜନାରେ ପୋତି ହେବାକୁ ବସିଛି। ପୁରୁଣାପଡ଼ା ପୋଖରୀ ନିକଟରେ ମନ୍ଦିର, ବସ୍‌ଷ୍ଟାଣ୍ଡ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଥିବାରୁ ଏହା ଉପରେ ସ୍ଥାନୀୟ ଲୋକଙ୍କ ସହ ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ନିର୍ଭର କରୁଥିଲେ।

ପୋଖରୀ ପୁନରୁଦ୍ଧାର ସମୟରେ ପାର୍କ ଓ ବୋଟିଂ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଥିଲେ ମଧ୍ୟ ଏଯାଏ ତାହା ବାସ୍ତବ ରୂପ ନେଇନାହିଁ। ଏନେଇ ସ୍ଥାନୀୟ ଲୋକେ ପୌରପରିଷଦର ଦୃଷ୍ଟି ଆକର୍ଷଣ କରିଛନ୍ତି। ପୌର ନିର୍ବାହୀ ଅଧିକାରୀ ଅନିମେଶ ପ୍ରଧାନ କହିଛନ୍ତି, ଅଭିଯୋଗ ମିଳିଛି ଏବଂ କିଛି କାମ ହୋଇଛି। ବାକି କାମ ନଭେମ୍ବରରେ ଆରମ୍ଭ ହୋଇ ଜାନୁଆରୀ ସୁଦ୍ଧା ଶେଷ କରାଯିବ। ସ୍ଥାନୀୟ ଲୋକେ ଶୀଘ୍ର ପୋଖରୀ ପୁନରୁଦ୍ଧାର ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *