ମହାକାଶରେ ଯୁଦ୍ଧ ପ୍ରସ୍ତୁତି! ଚୀନ୍‌ର ନୂଆ ମହାକାଶ କାର୍ଯ୍ୟକଳାପକୁ ନେଇ ଆମେରିକାର ଚିନ୍ତା
1 min read

ମହାକାଶରେ ଯୁଦ୍ଧ ପ୍ରସ୍ତୁତି! ଚୀନ୍‌ର ନୂଆ ମହାକାଶ କାର୍ଯ୍ୟକଳାପକୁ ନେଇ ଆମେରିକାର ଚିନ୍ତା

ନୂଆଦିଲ୍ଲୀ: ପୃଥିବୀରେ ନୁହେଁ, ଏବେ ମହାକାଶରେ ମଧ୍ୟ ଆମେରିକା ଓ ଚୀନ୍‌ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବାର ଆଶଙ୍କା ବଢ଼ିଛି। ଉଭୟ ଦେଶ ଏଭଳି ଉପଗ୍ରହ ପ୍ରଯୁକ୍ତି ବିକଶିତ କରୁଛନ୍ତି, ଯାହା ଆବଶ୍ୟକ ପଡ଼ିଲେ ଅନ୍ୟ ଦେଶର ଉପଗ୍ରହକୁ ନିକଟରୁ ନିରୀକ୍ଷଣ, ଅନୁସରଣ କିମ୍ବା ଅକାମୀ କରିବାରେ ସକ୍ଷମ ହୋଇପାରେ। ଏହାକୁ ନେଇ ଭବିଷ୍ୟତର ମହାକାଶ ଯୁଦ୍ଧକୁ ନେଇ ଚିନ୍ତା ବଢ଼ିଛି।

ଗତ ଜୁନ୍‌ରେ ଚୀନ୍‌ର ଏକ ମାନବବିହୀନ ମହାକାଶ ବିମାନରୁ ଏକ କ୍ଷୁଦ୍ର ଉପଗ୍ରହ ମହାକାଶକୁ ପଠାଯାଇଥିଲା। ପରେ ଏହି ଉପଗ୍ରହ ଚୀନ୍‌ର ଅନ୍ୟ ଏକ ଉପଗ୍ରହ ନିକଟରେ ଘୂରିଥିବା ଜଣାପଡ଼ିଥିଲା। ଏହି ଘଟଣା ମହାକାଶରେ ଚୀନ୍‌ର ସାମରିକ କ୍ଷମତା ନେଇ ନୂଆ ପ୍ରଶ୍ନ ସୃଷ୍ଟି କରିଛି।

ମହାକାଶ ଟ୍ରାକିଂ କମ୍ପାନି LeoLabsର ତଥ୍ୟ ଅନୁସାରେ, ଏଭଳି ଗତିବିଧି ଚୀନ୍‌ର ମହାକାଶ ଯୁଦ୍ଧ ପ୍ରସ୍ତୁତିର ଏକ ସଙ୍କେତ ହୋଇପାରେ। ଏଭଳି ଉପଗ୍ରହ ଅନ୍ୟ ମହାକାଶଯାନର ନିକଟକୁ ଯାଇ ତାହାକୁ ନିରୀକ୍ଷଣ କରିବା ସହ ଆବଶ୍ୟକ ପଡ଼ିଲେ ଅକାମୀ କରିବାର କ୍ଷମତା ହାସଲ କରିପାରେ।

ଉପଗ୍ରହ ଅକାମୀ ହେଲେ ବଢ଼ିବ ବିପଦ

ଆଧୁନିକ ଯୁଦ୍ଧରେ ଉପଗ୍ରହର ଭୂମିକା ଅତ୍ୟନ୍ତ ବଢ଼ିଛି। ଯୋଗାଯୋଗ, ନାଭିଗେସନ୍‌, ଗୁଇନ୍ଦା ତଥ୍ୟ ଓ ସାମରିକ କାର୍ଯ୍ୟକଳାପ ପାଇଁ ଉପଗ୍ରହ ଉପରେ ଦେଶଗୁଡ଼ିକ ନିର୍ଭରଶୀଳ। ତେଣୁ ଶତ୍ରୁ ଦେଶର ଉପଗ୍ରହକୁ ଅକାମୀ କରିଦିଆଗଲେ ତାହାର ସାମରିକ ବ୍ୟବସ୍ଥା ଉପରେ ବଡ଼ ପ୍ରଭାବ ପଡ଼ିପାରେ।

ଆମେରିକା ଓ ଚୀନ୍‌ ଏବେ ଉପଗ୍ରହକୁ ଅଧିକ ସମୟ ମହାକାଶରେ ସକ୍ରିୟ ରଖିବା, ଅନ୍ୟ ଉପଗ୍ରହ ନିକଟକୁ ପହଞ୍ଚିବା ଏବଂ ଆବଶ୍ୟକ ସମୟରେ ମହାକାଶଯାନ ବଦଳାଇବା ଭଳି ପ୍ରଯୁକ୍ତି ଉପରେ ଗୁରୁତ୍ୱ ଦେଉଛନ୍ତି।

ଭାରତ ପାଇଁ ମଧ୍ୟ ଚ୍ୟାଲେଞ୍ଜ

ଆମେରିକା-ଚୀନ୍‌ ମଧ୍ୟରେ ମହାକାଶ ପ୍ରତିଦ୍ୱନ୍ଦ୍ୱିତା ବଢ଼ିଲେ ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିପାରେ। ଭାରତର ଜାତୀୟ ସୁରକ୍ଷା, ଅର୍ଥନୀତି ଓ ରଣନୈତିକ ସ୍ୱାର୍ଥ ପାଇଁ ମହାକାଶ ଭିତ୍ତିଭୂମିର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ।

ଚୀନ୍‌ ଦ୍ରୁତ ଗତିରେ ନିଜର ଉପଗ୍ରହ ନେଟୱର୍କ ବିସ୍ତାର କରୁଛି। ପୁନଃବ୍ୟବହାରଯୋଗ୍ୟ ରକେଟ୍‌ ଓ ମହାକାଶଯାନ ମାଧ୍ୟମରେ ଆବଶ୍ୟକ ସମୟରେ ଉପଗ୍ରହ ପରିବର୍ତ୍ତନ କିମ୍ବା ନୂଆ ଉପଗ୍ରହ ମୁତୟନ କରିବାର କ୍ଷମତା ମଧ୍ୟ ବଢ଼ାଉଛି।

ଏଭଳି ପରିସ୍ଥିତିରେ ମହାକାଶରେ ଭାରତର ସାମରିକ ଓ ରଣନୈତିକ କ୍ଷମତାକୁ ଆହୁରି ସୁଦୃଢ଼ କରିବା ଜରୁରୀ ହୋଇପଡ଼ିଛି। ଆମେରିକା-ଚୀନ୍‌ ମହାକାଶ ପ୍ରତିଦ୍ୱନ୍ଦ୍ୱିତା ଭବିଷ୍ୟତରେ ଭାରତ ପାଇଁ ଏକ ବଡ଼ ରଣନୈତିକ ଚ୍ୟାଲେଞ୍ଜ ହୋଇପାରେ।

Leave a Reply

Your email address will not be published. Required fields are marked *