ଶିଳ୍ପର ପାଉଁଶରୁ ‘ଦୁର୍ନୀତି’ର ଧୂଆଁ!
1 min read

ଶିଳ୍ପର ପାଉଁଶରୁ ‘ଦୁର୍ନୀତି’ର ଧୂଆଁ!

ଓପିଜିସି ପାଉଁଶ ପରିଚାଳନାରେ ବଡ଼ ଅନିୟମିତତା ଅଭିଯୋଗ; ବର୍ଷକୁ ୫୦୦ କୋଟିର ଲାଭ, ପାଉଁଶ ଖର୍ଚ୍ଚ ୩୦୦ କୋଟି!

ବ୍ୟୁରୋ: ରାଜ୍ୟରେ ବାଲି, ପାଣି ଓ ଖଣି ପରେ ଏବେ ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ବାହାରୁଥିବା ପାଉଁଶ ପରିଚାଳନାକୁ ନେଇ ଉଠିଛି ସଙ୍ଗିନ ଅଭିଯୋଗ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍ ବନହରପାଲିଠାରେ ଥିବା ଓପିଜିସିର ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ବାହାରୁଥିବା ପାଉଁଶ ପରିଚାଳନା ଏବେ କୋଟି କୋଟି ଟଙ୍କାର କାରବାର ସହ ଜଡ଼ିତ ଏକ ବଡ଼ ପ୍ରସଙ୍ଗ ପାଲଟିଛି।

ଚଳିତ ଆର୍ଥିକ ବର୍ଷରେ ପାଉଁଶ ପରିଚାଳନା ପାଇଁ ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ସୂଚନା ମିଳିଛି। ଏଥିରୁ ପ୍ରାୟ ୧୫୦ କୋଟି ଟଙ୍କା ଗସ୍ତ ହେବାର ଆଶଙ୍କା ନେଇ ଅଭିଯୋଗ ଉଠିଛି। ବର୍ଷକୁ ପ୍ରାୟ ୫୦୦ କୋଟି ଟଙ୍କା ଲାଭ କରୁଥିବା ଓପିଜିସି ଯଦି ପାଉଁଶ ପରିଚାଳନାରେ ୩୦୦ କୋଟି ଟଙ୍କା ବ୍ୟୟ କରେ, ତେବେ କମ୍ପାନୀର ଆର୍ଥିକ ଭବିଷ୍ୟତ ନେଇ ମଧ୍ୟ ପ୍ରଶ୍ନ ଉଠୁଛି।

ଅଭିଯୋଗ ଅନୁଯାୟୀ, ଯେତିକି ଅଧିକ ପାଉଁଶ ବାହାରିବ, ସେତିକି ଅଧିକ ପରିବହନ ଓ ପରିଚାଳନା ଖର୍ଚ୍ଚ ଦର୍ଶାଇବାର ସୁଯୋଗ ସୃଷ୍ଟି ହେଉଛି। ଏହାକୁ ନେଇ ଜାଣିଶୁଣି ପାଉଁଶ ପରିଚାଳନା ବ୍ୟବସ୍ଥାକୁ ଜଟିଳ କରାଯାଉଥିବା ଅଭିଯୋଗ ମଧ୍ୟ ଆସିଛି।

ସୂଚନା ଅନୁଯାୟୀ, ଓପିଜିସିର କାରଖାନାରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ମୋଟ ୪ଟି ୟୁନିଟ୍ ରହିଛି। ପ୍ରଥମ ପର୍ଯ୍ୟାୟର ୨ଟି ୟୁନିଟ୍‌ରୁ ମୋଟ ୪୨୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ରହିଛି। ଏଥିରୁ ବାହାରୁଥିବା ପାଉଁଶ ପକାଇବା ପାଇଁ ରେଙ୍ଗାଲି-କ ଅଞ୍ଚଳରେ ପ୍ରାୟ ସାଢ଼େ ୬ କିଲୋମିଟର ଦୂରରେ ଏକ ପୋଖରୀ ନିର୍ମାଣ କରାଯାଇଥିଲା।

କାରଖାନାର ସମ୍ପ୍ରସାରଣ ପରେ ଆଉ ୨ଟି ନୂଆ ୟୁନିଟ୍ ନିର୍ମାଣ ହୋଇଛି। ଏହି ଦୁଇ ୟୁନିଟ୍‌ରୁ ୧୩୨୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଛି। ଏହାର ପାଉଁଶ ପରିଚାଳନା ପାଇଁ କାରଖାନାଠାରୁ ପ୍ରାୟ ୧୩ କିଲୋମିଟର ଦୂର ତିଲିଆଠାରେ ଆଉ ଏକ ପୋଖରୀ ନିର୍ମାଣ କରାଯାଇଛି।

କାରଖାନାରୁ ଏହି ପୋଖରୀକୁ ସ୍ଲରି ପାଇପ୍ ଜରିଆରେ ପାଉଁଶ ପଠାଯାଉଥିଲା। ଅଭିଯୋଗ ହେଉଛି, ପୂର୍ବରୁ କମ୍ପାନୀ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ଏଜିଏସ୍‌ର ନିୟମକୁ ଅଣଦେଖା କରି ହୀରାକୁଦ ଜଳଭଣ୍ଡାର ନିକଟ ଦେଇ ସ୍ଲରି ପାଇପ୍ ନିର୍ମାଣ କରିଥିଲା। ନିମ୍ନମାନର ପାଇପ୍, ଇଞ୍ଜିନିୟରିଂ ଡିଜାଇନ୍ ଓ ନିର୍ମାଣଗତ ତ୍ରୁଟି ଯୋଗୁଁ ସ୍ଲରି ପାଇପ୍ ବାରମ୍ବାର ଲିକ୍ ହୋଇଥିବା ଅଭିଯୋଗ ରହିଛି।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନଜରକୁ ଘଟଣା ଆସିବା ପରେ ସ୍ଲରି ପାଇପ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ଅସ୍ଥାୟୀ ଭାବେ ପୁରୁଣା ୟୁନିଟ୍ ସ୍ଥାପନ ସମୟରେ ଖୋଲାଯାଇଥିବା ୩ଟି ପୋଖରୀରେ ପାଉଁଶ ପକାଯାଇଥିଲା। ମାତ୍ର ସମସ୍ତ ୟୁନିଟ୍‌ର ପାଉଁଶ ବୋଝ ସମ୍ଭାଳିବାରେ ବିଫଳ ହୋଇ ୨୦୨୩ ଡିସେମ୍ବରରେ ଏକ ପୋଖରୀ ଭାଙ୍ଗିଯାଇଥିଲା, ଯାହାର ପରିଣାମରେ ପାଉଁଶ ଚାଷଜମିକୁ ମିଶିଯାଇଥିବା ଅଭିଯୋଗ ହୋଇଥିଲା।

ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଥିଲା। ତଥାପି ନଷ୍ଟ ହୋଇଥିବା ସ୍ଲରି ପାଇପ୍‌କୁ ସଜାଡ଼ିବା ପରିବର୍ତ୍ତେ ପୁରୁଣା ପୋଖରୀରେ ପାଉଁଶ ପକାଯାଉଥିବା ଅଭିଯୋଗ ଏବେ ପୁଣି ସାମ୍ନାକୁ ଆସିଛି।

ଓପିଜିସିର ୪ଟି ୟୁନିଟ୍‌ରୁ ଦୈନିକ ପ୍ରାୟ ୨୫ରୁ ୨୭ ହଜାର ମେଟ୍ରିକ୍ ଟନ୍ କୋଇଲା ପୋଡ଼ାଯାଉଥିବା ବେଳେ ଏଥିରୁ ପ୍ରାୟ ୪୦ ପ୍ରତିଶତ ଅର୍ଥାତ୍ ଦୈନିକ ପ୍ରାୟ ୧୦ରୁ ୧୧ ହଜାର ଟନ୍ ପାଉଁଶ ବାହାରୁଥିବା ସୂଚନା ରହିଛି। ଏହି ବିପୁଳ ପରିମାଣର ପାଉଁଶ ରେଳ ଓ ସଡ଼କ ପଥରେ ରାଜ୍ୟର ବିଭିନ୍ନ ସ୍ଥାନ ଏବଂ କଳକାରଖାନାକୁ ପଠାଯାଉଛି।

ଏହି ପାଉଁଶ ପରିବହନ ବ୍ୟବସ୍ଥା ଏବେ ଦୁର୍ନୀତିର ମୁଖ୍ୟ ମାଧ୍ୟମ ପାଲଟିଥିବା ଅଭିଯୋଗ ହେଉଛି। କାରଖାନାରୁ ବାହାରୁଥିବା ପାଉଁଶକୁ ବିଭିନ୍ନ ସ୍ଥାନକୁ ପଠାଇବା ପାଇଁ ଟେଣ୍ଡର ହେଉଥିବା ବେଳେ, ରାଜନୈତିକ ଚାପ କିମ୍ବା କେତେକ ଅଧିକାରୀଙ୍କ ପ୍ରୋତ୍ସାହନରେ ଟେଣ୍ଡର ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ରହିଛି।

ଗୋଟିଏ ଗୋଟିଏ ସଂସ୍ଥାର ବାର୍ଷିକ କାରବାରଠାରୁ ପ୍ରାୟ ୪ ଗୁଣ ଅଧିକ ମୂଲ୍ୟର ପାଉଁଶ ପରିବହନ ପାଇଁ ଟେଣ୍ଡର ଦିଆଯାଉଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏଥିରେ ଅସାଧୁ ଅଧିକାରୀ ଓ ରାଜନୈତିକ ପକ୍ଷର ଲୋକଙ୍କ ପକେଟ୍‌କୁ ଅର୍ଥ ଯାଉଥିବା ଅଭିଯୋଗ ହୋଇଛି।

ପାଉଁଶ ପରିବହନ ବିଲିଂରେ ମଧ୍ୟ ହେରଫେର ହେଉଥିବା ଅଭିଯୋଗ ରହିଛି। କମ୍ ପାଉଁଶ ନେଇ ଅଧିକ ପରିମାଣର ବିଲ୍‌ କରାଯାଉଥିବା ସହ ଅଧିକ ଲାଭ ପାଇଁ କେତେକ ପରିବହନକାରୀ କାରଖାନାରୁ ପାଉଁଶ ନେଇ ନିକଟସ୍ଥ ସ୍ଥାନରେ ପକାଇ ଦେଉଥିବା ଅଭିଯୋଗ ମଧ୍ୟ ରହିଛି।

କୋରାପୁଟ, ପାରାଦୀପ, ଯାଜପୁର ଆଦି ସ୍ଥାନକୁ ନିଆଯାଉଥିବା ପାଉଁଶକୁ ଜିଲ୍ଲା ଭିତରେ ମଧ୍ୟ ଅବୈଧ ଭାବେ ପକାଯାଉଥିବା ଅଭିଯୋଗ ଆସିଛି। ଏପରି ଅନିୟନ୍ତ୍ରିତ ପାଉଁଶ ପକାଇବା ଦ୍ୱାରା ପରିବେଶ ପ୍ରଦୂଷିତ ହେବା ସହ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଉଛି।

ପୂର୍ବରୁ ପାଉଁଶକୁ ଏକ ପ୍ରକାର ଅଦରକାରୀ ବର୍ଜ୍ୟବସ୍ତୁ ଭାବେ ଧରାଯାଉଥିଲା। ମାଟି ଓ ଇଟାଭାଟି ବନ୍ଦ ହୋଇଯିବା ପରେ ଘର ନିର୍ମାଣରେ ପାଉଁଶ ଇଟା ବ୍ୟବହାର ବଢ଼ିଛି। ବିଦ୍ୟୁତ୍ କେନ୍ଦ୍ରରୁ ବାହାରୁଥିବା ଏହି ପାଉଁଶ ଏକଦିଗରେ ଉପଯୋଗୀ ନିର୍ମାଣ ସାମଗ୍ରୀ ହୋଇଥିବା ବେଳେ ଅନ୍ୟଦିଗରେ ଏହାର ପରିବହନ ଓ ପରିଚାଳନାକୁ ନେଇ ଦୁର୍ନୀତିର ଅଭିଯୋଗ ଗୁରୁତର ରୂପ ନେଇଛି।

ପାଉଁଶ ପରିଚାଳନାରେ ହେଉଥିବା ଅନିୟମିତତା ଓ ପରିବେଶଗତ ତ୍ରୁଟି ସମ୍ପର୍କରେ ସମସ୍ତେ ଅବଗତ ଥିଲେ ମଧ୍ୟ ଏଯାଏ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ତେଣୁ ଏହି ସମଗ୍ର ପାଉଁଶ ପରିଚାଳନା ବ୍ୟବସ୍ଥାରେ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ଜୋର ଧରିଛି।

Leave a Reply

Your email address will not be published. Required fields are marked *