ବ୍ୟାଙ୍କ ଅଫ୍‌ ବରୋଦାରେ ୨୪୮୨ ପଦବୀ, ଓଡ଼ିଶା ପାଇଁ ୧୦୦
1 min read

ବ୍ୟାଙ୍କ ଅଫ୍‌ ବରୋଦାରେ ୨୪୮୨ ପଦବୀ, ଓଡ଼ିଶା ପାଇଁ ୧୦୦

ଲୋକାଲ୍‌ ବ୍ୟାଙ୍କ ଅଫିସର ପଦରେ ନିଯୁକ୍ତି; ସେପ୍ଟେମ୍ବର ୭ ଯାଏଁ ଆବେଦନ

ଭୁବନେଶ୍ୱର: ଚାକିରି ଆଶାୟୀଙ୍କ ପାଇଁ ଆସିଛି ଭଲ ଖବର। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍‌ ବରୋଦା ପକ୍ଷରୁ ଲୋକାଲ୍‌ ବ୍ୟାଙ୍କ ଅଫିସର ପଦରେ ବଡ଼ ଧରଣର ନିଯୁକ୍ତି ଦିଆଯିବ। ଦେଶର ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମୋଟ ୨୪୮୨ଟି ପଦ ରହିଥିବାବେଳେ ଓଡ଼ିଶା ପାଇଁ ୧୦୦ଟି ପଦ ସଂରକ୍ଷିତ ରହିଛି।

ବ୍ୟାଙ୍କିଂ ସେବାକୁ ଆହୁରି ସୁଦୃଢ଼ କରିବା ସହ ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତିର ସୁଯୋଗ ବଢ଼ାଇବା ଏହି ନିଯୁକ୍ତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି।

ନିର୍ବାଚିତ ପ୍ରାର୍ଥୀମାନେ ଯେଉଁ ରାଜ୍ୟ ପାଇଁ ଆବେଦନ କରିଥିବେ, ସେହି ରାଜ୍ୟରେ ପ୍ରଥମ ୧୨ ବର୍ଷ କିମ୍ବା SMGS-IV ଗ୍ରେଡ୍‌କୁ ପଦୋନ୍ନତି ପାଇବା ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଗ୍ରାହକଙ୍କୁ ସ୍ଥାନୀୟ ଭାଷା ଓ ଆବଶ୍ୟକତା ଅନୁଯାୟୀ ଅଧିକ ପ୍ରଭାବୀ ବ୍ୟାଙ୍କିଂ ସେବା ଯୋଗାଇବାରେ ଏହି ନିଯୁକ୍ତି ସହାୟକ ହେବ ବୋଲି ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲାଲ ସିଂହ କହିଛନ୍ତି।

କିଏ କରିପାରିବେ ଆବେଦନ?

ଚଳିତବର୍ଷ ଅଗଷ୍ଟ ୧ ତାରିଖ ସୁଦ୍ଧା ୨୧ରୁ ୩୦ ବର୍ଷ ବୟସ ହୋଇଥିବା ସ୍ନାତକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଏଥିସହ ରିଜର୍ଭ ବ୍ୟାଙ୍କର ଦ୍ୱିତୀୟ ସିଡ୍ୟୁଲରେ ତାଲିକାଭୁକ୍ତ ବାଣିଜ୍ୟିକ ବ୍ୟାଙ୍କରେ ଅତି କମ୍‌ରେ ୧ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିବା ଆବଶ୍ୟକ।

ଆବେଦନ କରୁଥିବା ରାଜ୍ୟର ସ୍ଥାନୀୟ ଭାଷାରେ ଦକ୍ଷତା ମଧ୍ୟ ଜରୁରୀ। ଓଡ଼ିଶା ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କର ଓଡ଼ିଆ ଭାଷା ସମ୍ପର୍କରେ ଆବଶ୍ୟକ ଦକ୍ଷତା ଥିବା ଦରକାର।

ସେପ୍ଟେମ୍ବର ୭ ଶେଷ ତାରିଖ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ସେପ୍ଟେମ୍ବର ୭, ୨୦୨୬ ପର୍ଯ୍ୟନ୍ତ ବ୍ୟାଙ୍କ ଅଫ୍‌ ବରୋଦାର ଅଧିକାରିକ ୱେବସାଇଟ୍‌ ମାଧ୍ୟମରେ ଅନଲାଇନ୍‌ ଆବେଦନ କରିପାରିବେ।

ନିଯୁକ୍ତିର ମୁଖ୍ୟ ତଥ୍ୟ

  • ପଦ: ଲୋକାଲ୍‌ ବ୍ୟାଙ୍କ ଅଫିସର
  • ମୋଟ ପଦ: ୨୪୮୨
  • ଓଡ଼ିଶା ପଦ: ୧୦୦
  • ବୟସ ସୀମା: ୨୧–୩୦ ବର୍ଷ
  • ଶିକ୍ଷାଗତ ଯୋଗ୍ୟତା: ସ୍ନାତକ
  • ଅଭିଜ୍ଞତା: ବାଣିଜ୍ୟିକ ବ୍ୟାଙ୍କରେ ୧ ବର୍ଷ
  • ଶେଷ ତାରିଖ: ୭ ସେପ୍ଟେମ୍ବର ୨୦୨୬

Leave a Reply

Your email address will not be published. Required fields are marked *