୭ ବର୍ଷରେ ଅମୃତ ପାର୍କର ଅମୃତ ଶୁଖିଲା!
1 min read

୭ ବର୍ଷରେ ଅମୃତ ପାର୍କର ଅମୃତ ଶୁଖିଲା!

ଅବହେଳାରୁ ପରିତ୍ୟକ୍ତ, ପୋଖରୀରେ ଦଳ ଭର୍ତ୍ତି; ବୋଟିଂ ବ୍ୟବସ୍ଥା ଅଚଳ

ଭଦ୍ରକ: ଦିନେ ଯେଉଁଠି ଲୋକଙ୍କ ଭିଡ଼ ଜମୁଥିଲା, ଆଜି ସେହି ଅମୃତ ପାର୍କ ଅବହେଳାର ଶିକାର ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ୭ ବର୍ଷ ତଳେ ଭଦ୍ରକରେ ନିର୍ମିତ ଏହି ମନୋରଞ୍ଜନ ପାର୍କର ପୋଖରୀ ଏବେ ଦଳରେ ଭର୍ତ୍ତି ହୋଇଯାଇଥିବା ବେଳେ ବୋଟିଂ ବ୍ୟବସ୍ଥା ମଧ୍ୟ ଅଚଳ ହୋଇପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ ପାର୍କର ଆକର୍ଷଣ କ୍ରମେ ହ୍ରାସ ପାଇଥିବାରୁ ଲୋକେ ଏଠାକୁ ଆସିବାକୁ ମୁହଁ ମୋଡ଼ୁଛନ୍ତି।

ଭଦ୍ରକର ତତ୍କାଳୀନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଓ ତତ୍କାଳୀନ ନଗରପାଳ ମାନସ କୁମାର ମହାନ୍ତିଙ୍କ ଉଦ୍ୟମରେ ଭଦ୍ରକ ପୌରପାଳିକା ଚରମ୍ପା ଅଞ୍ଚଳର ୨ ନମ୍ବର ୱାର୍ଡ ଅଧୀନ ରହଣିଆରେ ଏହି ଅମୃତ ପାର୍କ ଲୋକାର୍ପିତ ହୋଇଥିଲା। ପ୍ରାୟ ୫ ଏକର ବିଶିଷ୍ଟ ପୋଖରୀ ହୁଡ଼ାରେ ପାର୍କଟି ନିର୍ମାଣ ହୋଇଥିଲା।

ପାର୍କରେ ବୋଟିଂ ବ୍ୟବସ୍ଥା ସହ ବିଭିନ୍ନ ପ୍ରଜାତିର ଫୁଲଗଛ ଓ ଅନ୍ୟାନ୍ୟ ବୃକ୍ଷ ଲଗାଯାଇଥିଲା। ପିଲାମାନଙ୍କ ମନୋରଞ୍ଜନ ପାଇଁ ଦୋଳି ସମେତ ବିଭିନ୍ନ ଖେଳନା ଓ ଉପକରଣର ବ୍ୟବସ୍ଥା ହୋଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ପାର୍କ ନିର୍ମାଣ ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିଲା।

ପ୍ରାରମ୍ଭିକ ପର୍ଯ୍ୟାୟରେ ପାର୍କରେ ପ୍ରବଳ ଭିଡ଼ ହେଉଥିଲା। କିନ୍ତୁ ଅବହେଳା ଓ ରକ୍ଷଣାବେକ୍ଷଣ ଅଭାବରୁ ଏବେ ପାର୍କର ଅବସ୍ଥା ଦୟନୀୟ। ଅଧିକାଂଶ ସମୟରେ ମୁଖ୍ୟ ଫାଟକରେ ତାଲା ଝୁଲୁଛି। ପାର୍କରେ ଲାଗିଥିବା ଅନେକ ଲାଇଟ୍‌ ଜଳୁନାହିଁ। ପୋଖରୀରେ ନିର୍ମିତ ପାଣିଝର ମଧ୍ୟ କିଛି ଦିନ ମଧ୍ୟରେ ଅଚଳ ହୋଇପଡ଼ିଛି।

ବୋଟିଂ ପାଇଁ ପୋଖରୀରୁ ଦଳ ସଫା କରିବା ନିମନ୍ତେ ପରବର୍ତ୍ତୀ ପର୍ଯ୍ୟାୟରେ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏବେ ପୁଣି ପୋଖରୀ ଦଳରେ ଭର୍ତ୍ତି ହୋଇଯାଇଛି। ଫଳରେ ବୋଟିଂ ବ୍ୟବସ୍ଥା ବନ୍ଦ ହୋଇପଡ଼ିଛି।

ଆଗକୁ ପାର୍ବଣ ଋତୁ ଆସୁଛି। ବିଶେଷକରି କାଳୀପୂଜା ସମୟରେ ଚରମ୍ପା ଅଞ୍ଚଳ ଚଳଚଞ୍ଚଳ ହୋଇଉଠିବ। ପ୍ରତିଦିନ ଏଠାକୁ ହଜାର ହଜାର ଲୋକଙ୍କ ଆଗମନ ହେବାର ସମ୍ଭାବନା ରହିଛି। ତେଣୁ ପୋଖରୀରୁ ଦଳ ସଫା କରି ବୋଟିଂ ବ୍ୟବସ୍ଥା ପୁନଃ ସ୍ୱାଭାବିକ କରିବା ସହ ପାର୍କର ସୌନ୍ଦର୍ଯ୍ୟ ଫେରାଇ ଆଣିବାକୁ ରହଣିଆବାସୀ ଦାବି କରିଛନ୍ତି।

ଏନେଇ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକୀ ହବିବିଙ୍କୁ ପଚାରିବାରୁ ସେ କହିଛନ୍ତି, ଖୁବ୍‌ଶୀଘ୍ର ପୁଷ୍କରିଣୀରୁ ଦଳ ସଫା କରାଯାଇ ପାର୍କର ସୌନ୍ଦର୍ଯ୍ୟ ଫେରାଇ ଅଣାଯିବ। ପାର୍କର ପାଚେରି ନିର୍ମାଣ ପାଇଁ ମଧ୍ୟ ୧୮ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।

ତେବେ ପ୍ରଶ୍ନ ଉଠୁଛି—କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ପାର୍କ ଯଦି କିଛି ବର୍ଷ ମଧ୍ୟରେ ଅବହେଳାର ଶିକାର ହୋଇ ପରିତ୍ୟକ୍ତ ହୋଇପଡ଼େ, ତେବେ ଏଥିପାଇଁ ଦାୟୀ କିଏ? ରକ୍ଷଣାବେକ୍ଷଣ ନାଁରେ ବାରମ୍ବାର ଅର୍ଥ ଖର୍ଚ୍ଚ ହେଉଥିଲେ ମଧ୍ୟ ପାର୍କର ସ୍ଥାୟୀ ସମାଧାନ କେବେ ହେବ—ଏହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *