ଯାଜପୁରରେ ଡିଏମଏଫ୍ ପାଣ୍ଠି ଖର୍ଚ୍ଚରେ ଅନିୟମିତତା ଅଭିଯୋଗ
୧୧୩ କୋଟିର ପ୍ରକଳ୍ପ ଅଚଳ, ୨୦ ମାସ ଧରି ଏନ୍ବିସିସିକୁ ଦିଆଯାଇନି କାର୍ଯ୍ୟାଦେଶ
ଯାଜପୁର: ଯାଜପୁର ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍) ପାଣ୍ଠିକୁ ନେଇ ଜିଲ୍ଲା ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠିଛି। ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଉଦ୍ଦିଷ୍ଟ ପାଣ୍ଠିରୁ ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ସେଗୁଡ଼ିକର କାର୍ଯ୍ୟାନ୍ୱୟନରେ ଦୀର୍ଘସୂତ୍ରତା ଦେଖାଦେଇଛି।

ପ୍ରକଳ୍ପ ନିର୍ମାଣ ପରେ ଠିକାଦାରଙ୍କ ବିଲ୍ ପଇଠ କରିବା ନେଇ ଅଭିଯୋଗ ଉଠୁଥିବା ବେଳେ, କିଛି ପ୍ରଭାବଶାଳୀ ନେତାଙ୍କ ପ୍ରଭାବରେ ଡିଏମଏଫ୍ ପାଣ୍ଠିର ଅର୍ଥ ଅନ୍ୟତ୍ର ଖର୍ଚ୍ଚ ହୋଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି।
ଯାଜପୁର ଜିଲ୍ଲାର ପାଣିକୋଇଲି-ଷଠିପୁର ନିକଟରେ ନିର୍ମାଣ ହୋଇଥିବା ‘ସାଇନ୍ସ ଏକାଡେମୀ’ ପାଇଁ ପ୍ରାୟ ୧୧୩.୦୫ କୋଟି ଟଙ୍କା ଏବଂ ବ୍ୟାସନଗରରେ ପ୍ରାୟ ୮୦ କୋଟି ଟଙ୍କାର ଏକ ପ୍ରକଳ୍ପ ନିର୍ମାଣ ଦାୟିତ୍ୱ କେନ୍ଦ୍ର ସରକାରଙ୍କ ଅଧୀନ ନ୍ୟାସନାଲ ବିଲ୍ଡିଂ କନ୍ଷ୍ଟ୍ରକ୍ସନ କର୍ପୋରେସନ୍ (ଏନ୍ବିସିସି)କୁ ଦିଆଯାଇଥିଲା। କିନ୍ତୁ ୫ ବର୍ଷ ପରେ ମଧ୍ୟ ଏହି ପ୍ରକଳ୍ପଗୁଡ଼ିକ ଆଶାନୁରୂପ ଭାବେ କାର୍ଯ୍ୟକ୍ଷମ ହୋଇନଥିବା ଅଭିଯୋଗ ହୋଇଛି।
ଗତ ୨୦ ମାସ ତଳେ ଜିଲ୍ଲାପାଳ ଏନ୍ବିସିସିକୁ ପ୍ରକଳ୍ପ ପରିଚାଳନା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସଂସ୍ଥା ପକ୍ଷରୁ ଏହାକୁ ଗୁରୁତ୍ୱ ଦିଆଯାଇନଥିବା ଅଭିଯୋଗ ରହିଛି। ଫଳରେ ଡିଏମଏଫ୍ର ବିପୁଳ ଅର୍ଥ ବ୍ୟୟ ହୋଇଥିଲେ ମଧ୍ୟ ପ୍ରକଳ୍ପର ସୁଫଳ ସାଧାରଣ ଲୋକଙ୍କୁ ମିଳୁନାହିଁ।
ତଥ୍ୟ ଅନୁଯାୟୀ, ୨୦୨୪ ଡିସେମ୍ବର ୨୭ରେ ଅନୁଷ୍ଠିତ ଜିଲ୍ଲା ଖଣିଜ ପ୍ରତିଷ୍ଠାନର କାର୍ଯ୍ୟକାରୀ କମିଟି ବୈଠକରେ ପ୍ରାରମ୍ଭିକ ୩ ମାସ ପାଇଁ ଏନ୍ବିସିସିକୁ ପ୍ରକଳ୍ପର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ହୋଇଥିଲା। ପରେ ଟେଣ୍ଡର ମାଧ୍ୟମରେ ସ୍ଥାୟୀ ସଂସ୍ଥା ଚୟନ କରାଯିବାର ଯୋଜନା ଥିଲା। ହେଲେ ପ୍ରାୟ ୨୦ ମାସ ବିତିଯାଇଥିଲେ ମଧ୍ୟ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନଥିବା ଅଭିଯୋଗ ହୋଇଛି।
୫ ଏକର ଜମିରେ ନିର୍ମିତ ସାଇନ୍ସ ଏକାଡେମୀରେ ୫-ଡି ଥିଏଟର, ପ୍ଲାନେଟୋରିୟମ, ପ୍ରଦର୍ଶନୀ ଗ୍ୟାଲେରୀ, ଏଆର୍ ଓ ଭିଆର୍ ଭଳି ଆଧୁନିକ ବ୍ୟବସ୍ଥା ରହିଛି। ଛାତ୍ରଛାତ୍ରୀଙ୍କୁ ମହାକାଶ ଓ ବିଜ୍ଞାନର ଜୀବନ୍ତ ଅନୁଭୂତି ଦେବା ସହ ବିଜ୍ଞାନ ପ୍ରତି ଆଗ୍ରହ ବଢ଼ାଇବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ଥିଲା। ମାତ୍ର ପ୍ରଶାସନିକ ଅବହେଳା ଯୋଗୁଁ ଏତେ ବଡ଼ ପ୍ରକଳ୍ପ ଏବେ ଅବ୍ୟବହୃତ ହୋଇ ପଡ଼ିଥିବା ଅଭିଯୋଗ ଉଠିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି—ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଉଦ୍ଦିଷ୍ଟ ଡିଏମଏଫ୍ ପାଣ୍ଠିରୁ ଏଭଳି ବଡ଼ ପ୍ରକଳ୍ପ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ କିଏ ଅନୁମତି ଦେଇଥିଲେ ଏବଂ ପ୍ରକଳ୍ପ ଅଚଳ ହୋଇ ପଡ଼ିଥିବା ପରେ ଦାୟୀ କିଏ—ତାହାର ତଦନ୍ତ ଦାବି ଜୋର ଧରିଛି।
୨୦୨୦-୨୧ ଆର୍ଥିକ ବର୍ଷରେ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରେ ଅନୁମୋଦିତ ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ କେନ୍ଦ୍ର ସରକାରଙ୍କ ଏନ୍ବିସିସିକୁ ଦିଆଯାଇଥିଲା। କିନ୍ତୁ ଦୀର୍ଘ ସମୟ ପରେ ମଧ୍ୟ ଏହା କାର୍ଯ୍ୟକ୍ଷମ ନହେବା ପ୍ରଶାସନିକ ଅକ୍ଷମତାକୁ ପଦାରେ ପକାଇଛି ବୋଲି ଅଭିଯୋଗ ହେଉଛି।
ଏବେ ଏହି ଘଟଣାରେ ଡିଏମଏଫ୍ ପାଣ୍ଠିର ବ୍ୟବହାର, ପ୍ରକଳ୍ପର ବର୍ତ୍ତମାନ ସ୍ଥିତି, ଏନ୍ବିସିସିର ଭୂମିକା ଏବଂ ପ୍ରଶାସନର ନିଷ୍କ୍ରିୟତା ନେଇ ସ୍ୱଚ୍ଛ ତଦନ୍ତ କରିବାକୁ ଦାବି ହେଉଛି।
