ଅନୁଗୋଳରେ ସରକାରୀ ଜମି ଉପରେ ମାଫିଆଙ୍କ ନଜର! ୪୦ ଏକର ଗୋଚର ଜମିରେ ଛିଡ଼ା ହେଲାଣି ଶହ ଶହ ଘର
1 min read

ଅନୁଗୋଳରେ ସରକାରୀ ଜମି ଉପରେ ମାଫିଆଙ୍କ ନଜର! ୪୦ ଏକର ଗୋଚର ଜମିରେ ଛିଡ଼ା ହେଲାଣି ଶହ ଶହ ଘର

ଅନୁଗୋଳ: ସହରକୁ ଲାଗିଥିବା ସରକାରୀ ଜମିର ଆକାଶଛୁଆଁ ମୂଲ୍ୟ। ଏହାକୁ ନେଇ ଏବେ ଜବରଦଖଲକାରୀଙ୍କ ଉପରେ ଅଭିଯୋଗ ଉଠିଛି। ଅନୁଗୋଳ ସହର ଉପକଣ୍ଠ ରାଣୀଗୋଡ଼ା ଅଞ୍ଚଳରେ ପ୍ରାୟ ୪୦ ଏକରରୁ ଅଧିକ ଗୋଚର ଜମି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି।

ବଅଁରପାଳ ବ୍ଲକ୍‌ ରାଣୀଗୋଡ଼ା ପଞ୍ଚାୟତ ଅଧୀନ ରାଣୀଗୋଡ଼ା ଜଙ୍ଗଲ ମୌଜାର ଖତିଆନ ନମ୍ବର ୫୪୭ରେ ପ୍ରାୟ ୪୧ ଏକର ୧୨ ଡେସିମିଲ ଜମି ରହିଛି। ସରକାରୀ ରେକର୍ଡରେ ଏହି ଜମି ଗୋଚର ଭାବେ ଦର୍ଶାଯାଇଛି। ସହର ଓ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବାରୁ ଏହି ଜମିର ବଜାର ମୂଲ୍ୟ ପ୍ରାୟ ୫୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି।

କୁଡ଼ିଆରୁ ବଡ଼ ବଡ଼ କୋଠା

ସ୍ଥାନୀୟ ସୂଚନା ଅନୁସାରେ, ଏହି ସରକାରୀ ଜମିରେ ପ୍ରଥମେ କିଛି ଲୋକ କୁଡ଼ିଆ କରି ରହୁଥିଲେ। ପରବର୍ତ୍ତୀ ସମୟରେ ଧୀରେ ଧୀରେ ସେଠାରେ ପକ୍କା ଘର ଓ ଆଜବେଷ୍ଟସ୍‌ ଛପର ଘର ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି।

କେତେକ ଲୋକ ଘର ନିର୍ମାଣ କରି ଭଡ଼ାରେ ଦେଇଥିବା ବେଳେ ଆଉ କେହି ଏହାକୁ ଅନ୍ୟମାନଙ୍କୁ ବିକ୍ରି କରିଥିବା ଅଭିଯୋଗ ରହିଛି। ଏପରିକି କିଛି ଚାକିରିଆ ମଧ୍ୟ ଏଠାରେ ଜମି ଜବରଦଖଲ କରି ଘର କରିଥିବା କୁହାଯାଉଛି।

ବାକି ରହିଛି ମାତ୍ର ୨ରୁ ୩ ଏକର

ଅଭିଯୋଗ ଅନୁଯାୟୀ, ପ୍ରାୟ ୪୧ ଏକର ଜମି ମଧ୍ୟରୁ ଏବେ ମାତ୍ର ୨ରୁ ୩ ଏକର ଜମି ଖାଲି ପଡ଼ିଛି। ବାକି ଅଞ୍ଚଳରେ ଘର ଓ ଅନ୍ୟାନ୍ୟ ନିର୍ମାଣ ହୋଇସାରିଛି। ଜବରଦଖଲକାରୀମାନେ ଏହି ସରକାରୀ ଜମିକୁ ନିଜ ପୈତୃକ ସମ୍ପତ୍ତି ଭଳି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।

ଉନ୍ନୟନ ପ୍ରକଳ୍ପରେ ବାଧା

ପଞ୍ଚାୟତ ଜମି ଜବରଦଖଲ ହୋଇଥିବାରୁ ଅଞ୍ଚଳରେ ନୂଆ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଜାଗା ମିଳୁନଥିବା ଅଭିଯୋଗ ହୋଇଛି। ଫଳରେ ବହୁ ପ୍ରକଳ୍ପ ଫେରିଯାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।

ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ପଦକ୍ଷେପ ନ ନିଆଯିବାରୁ ସ୍ଥାନୀୟ ଲୋକେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିବା କୁହାଯାଇଛି। ଅଦାଲତଙ୍କ ନିର୍ଦ୍ଦେଶ ପରେ ଜବରଦଖଲ ହଟାଇବା ପାଇଁ ଘର ଭଙ୍ଗା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ୩-୪ଟି ଘର ଭଙ୍ଗାଯିବା ପରେ ପ୍ରକ୍ରିୟା ବନ୍ଦ ହୋଇଥିବା ଅଭିଯୋଗ ରହିଛି।

ପ୍ରଶାସନର ଆଶ୍ୱାସନ

ସ୍ଥାନୀୟ ବାସିନ୍ଦା ନିର ସାହୁଙ୍କ କହିବା ଅନୁସାରେ, ସହର ନିକଟରେ ଥିବାରୁ ଏହି ଜମି ଉପରେ ଜବରଦଖଲକାରୀଙ୍କ ନଜର ପଡ଼ିଛି। ଜମିର ଦର ଅଧିକ ଥିବାରୁ ଏହାକୁ ଶୀଘ୍ର ଜବରଦଖଲମୁକ୍ତ କରାଯିବା ଆବଶ୍ୟକ।

ରାଣୀଗୋଡ଼ା ସରପଞ୍ଚ ପ୍ରକାଶ ଚନ୍ଦ୍ର ଦେହୁରୀ ମଧ୍ୟ ପଞ୍ଚାୟତର ବିକାଶ ପାଇଁ ଜମି ନ ମିଳିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ, ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଉଦୟ ମହାପାତ୍ର କହିଛନ୍ତି ଯେ, ସରକାରୀ ଜମିକୁ ନିୟମିତ ଭାବେ ଜବରଦଖଲମୁକ୍ତ କରାଯିବ। ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ନିଆଯିବ।

ତେବେ ଏତେ ବିପୁଳ ପରିମାଣର ସରକାରୀ ଗୋଚର ଜମି କିପରି ଦୀର୍ଘଦିନ ଧରି ଜବରଦଖଲ ହେଲା ଏବଂ ଏହା ପଛରେ ପ୍ରକୃତରେ କେଉଁମାନେ ଅଛନ୍ତି, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *