ଜାପାନର ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା
1 min read

ଜାପାନର ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା

ନୂଆଦିଲ୍ଲୀ/ଟୋକିଓ: ଜାପାନର ରାଜଧାନୀ ଟୋକିଓ ସମେତ ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନରେ ରବିବାର ସକାଳେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜାପାନ ପାଣିପାଗ ଏଜେନ୍ସି ପ୍ରାଥମିକ ଭାବେ ଭୂକମ୍ପର ତୀବ୍ରତା ୫.୯ ରେକର୍ଡ କରିଥିବା ବେଳେ ଆମେରିକାର ଭୂଗର୍ଭ ବିଜ୍ଞାନ ସର୍ଭେ (USGS) ଏହାକୁ ୫.୮ ବୋଲି ଆକଳନ କରିଛି। ଦକ୍ଷିଣ ଇବାରାକି ଅଞ୍ଚଳରେ ଭୂପୃଷ୍ଠରୁ ପ୍ରାୟ ୭୦ କିଲୋମିଟର ତଳେ ଭୂକମ୍ପର କେନ୍ଦ୍ର ଥିବା ଜଣାପଡ଼ିଛି।

ଭୂକମ୍ପର ହଠାତ୍ ଝଟକାରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ଏହା ପରେ ସୁନାମି ଆସିବାର କୌଣସି ଆଶଙ୍କା ନଥିବା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ସାଇତାମା, କାନାଗାୱା, ଚିବା ଓ ଇବାରାକି ପ୍ରାନ୍ତରେ ମୋଟ ୨୩ ଜଣ ଆହତ ହୋଇଥିବା ଅଧିକାରୀମାନେ କହିଛନ୍ତି। ଅଧିକାଂଶ ଲୋକ ଶୋଇଥିବା ସମୟରେ ଭୂକମ୍ପ ହୋଇଥିବାରୁ ତଳେ ପଡ଼ିଯିବା, ଆସବାବପତ୍ର କିମ୍ବା ଦ୍ୱାରରେ ଧକ୍କା ଖାଇବା ଯୋଗୁ ସାମାନ୍ୟ ଆହତ ହୋଇଛନ୍ତି।

ଭୂକମ୍ପର ପ୍ରଭାବରେ ଟୋକିଓ ଓ ନାରିତା ବିମାନବନ୍ଦର ମଧ୍ୟରେ ଚାଲୁଥିବା ଏକ୍ସପ୍ରେସ୍ ଟ୍ରେନ୍ ସହ କେତେକ ସ୍ଥାନୀୟ ରେଳ ସେବା ପ୍ରଭାବିତ ହୋଇଥିଲା। ତେବେ ଶିନକାନସେନ୍ ବୁଲେଟ୍ ଟ୍ରେନ୍ ସେବା ସ୍ୱାଭାବିକ ଭାବେ ଚାଲିଥିଲା। ଟୋକିଓର କୋଟୋ ଅଞ୍ଚଳରେ ଏକ ଭୂତଳ ଜଳପାଇପ୍ ଫାଟିଯାଇଥିଲେ ମଧ୍ୟ ପରେ ଏହାର ମରାମତି କରାଯାଇଛି। ଏହାଛଡ଼ା ପ୍ରାୟ ୪୬୦ଟି ଘର ବିଦ୍ୟୁତ୍ ସରବରାହରୁ ବଞ୍ଚିତ ହୋଇଥିଲା, ଯାହାକୁ ରବିବାର ସକାଳ ସୁଦ୍ଧା ପୁନଃସ୍ଥାପନ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ସୋସିଆଲ ମିଡିଆରେ ସୂଚନା ଦେଇ କହିଛନ୍ତି ଯେ, ଭୂକମ୍ପଜନିତ କ୍ଷୟକ୍ଷତିର ତୁରନ୍ତ ଆକଳନ ପାଇଁ ଏକ ଜରୁରୀକାଳୀନ ଟାସ୍କଫୋର୍ସ ଗଠନ କରାଯାଇଛି। ଏପରିକି ଦେଶର ପରମାଣୁ ଉର୍ଜା କେନ୍ଦ୍ରଗୁଡ଼ିକରେ କୌଣସି ଅସୁବିଧା ହୋଇନଥିବା ଏବଂ ସମସ୍ତ କେନ୍ଦ୍ର ସୁରକ୍ଷିତ ଥିବା ପରମାଣୁ ନିୟାମକ ପ୍ରାଧିକରଣ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଗତମାସରେ ଜାପାନର କ୍ୟୁଶୁ ଦ୍ୱୀପର କୁମାମୋଟୋ ଅଞ୍ଚଳରେ ୭.୧ ତୀବ୍ରତାର ଏକ ବଡ଼ ଭୂକମ୍ପ ହୋଇଥିଲା। ସେତେବେଳେ ବ୍ୟାପକ କ୍ଷୟକ୍ଷତି ସହ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ପରିପ୍ରେକ୍ଷୀରେ ନୂଆ ଭୂକମ୍ପ ପରେ ଜାପାନ କର୍ତ୍ତୃପକ୍ଷ ସତର୍କତାର ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି।

Leave a Reply

Your email address will not be published. Required fields are marked *