ଜୁନାଗଡ଼ରେ ଫେକ୍ UPI ଆପ୍‌ ଜରିଆରେ ଠକେଇ: ବଣିକ ସଂଘ ହାତରେ ଅଭିଯୁକ୍ତ, ପୋଲିସର କାର୍ଯ୍ୟାନୁଷ୍ଠାନ

ଜୁନାଗଡ଼, ୧୯ା୮ : ଜୁନାଗଡ଼ ସହରରେ ନକଲି UPI ଆପ୍‌ ବ୍ୟବହାର କରି ଦୋକାନୀଙ୍କୁ ଠକେଇ କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ବଣିକ ସଂଘର ସଦସ୍ୟମାନେ କାବୁ କରି ପୋଲିସ ଜିମା ଦେଇଛନ୍ତି। ଅଭିଯୁକ୍ତ ଜଣକ ୨୦ରୁ ଅଧିକ ଦୋକାନୀଙ୍କୁ ଏଭଳି ଉପାୟରେ ଠକିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ବିଭିନ୍ନ ଦୋକାନରୁ ସାମଗ୍ରୀ କିଣିବା ପରେ ନକଲି UPI ଆପ୍‌ ଜରିଆରେ ଟଙ୍କା ପୈଠ ହୋଇଥିବା ଭଳି ଦୋକାନୀଙ୍କୁ ଦେଖାଉଥିଲେ। ତେବେ ପ୍ରକୃତରେ ଟଙ୍କା ଜମା ହେଉନଥିବାରୁ ଏହା ଏକ ଯୋଜନାବଦ୍ଧ ଠକେଇ ବୋଲି ଜଣାପଡ଼ିଥିଲା।

ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଜୁନାଗଡ଼ ବଣିକ ସଂଘର ସଦସ୍ୟମାନେ ସତର୍କ ହୋଇଥିଲେ। ସଂଘର ସଭାପତି ମୁକେଶ ଅଗ୍ରୱାଲ ଓ ସମ୍ପାଦକ ପ୍ରଭାତ ଦାଶଙ୍କ ନେତୃତ୍ୱରେ ଅଭିଯୁକ୍ତକୁ କାବୁ କରାଯାଇ ପୋଲିସକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

ଏହି ଘଟଣା ପରେ ବଣିକ ସଂଘ ପକ୍ଷରୁ ସମସ୍ତ ବ୍ୟବସାୟୀଙ୍କୁ ଅନଲାଇନ୍ ପେମେଣ୍ଟ ଗ୍ରହଣ ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କେବଳ ପେମେଣ୍ଟ ସ୍କ୍ରିନ୍‌ସଟ୍‌ କିମ୍ବା ଆପ୍‌ରେ ଦେଖାଯାଉଥିବା ସଫଳତା ବାର୍ତ୍ତା ଉପରେ ଭରସା ନକରି, ନିଜ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଛି କି ନାହିଁ ଯାଞ୍ଚ କରିବାକୁ କୁହାଯାଇଛି।

ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୮(୪), ୩୫୧(୩) ଏବଂ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ର ଧାରା ୬୬(ଡି) ଅଧୀନରେ ମାମଲା ରୁଜୁ କରିଛି। ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଜୁନାଗଡ଼ ସହରରେ ଏଭଳି ଡିଜିଟାଲ ଠକେଇର ପର୍ଦ୍ଦାଫାଶ ପରେ ବ୍ୟବସାୟୀ ମହଲରେ ସଚେତନତା ବଢ଼ିଛି। ଡିଜିଟାଲ ନେଣଦେଣ ସମୟରେ ସାମାନ୍ୟ ଅସାବଧାନତା ମଧ୍ୟ ଆର୍ଥିକ କ୍ଷତିର କାରଣ ହୋଇପାରେ ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି।

Leave A Reply

Your email address will not be published.