ନୂଆଦିଲ୍ଲୀ, ୧୬।୮: ପାନ ମସଲା ବିଜ୍ଞାପନକୁ ନେଇ ବଲିଉଡ୍ ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କ ସମସ୍ୟା ବଢ଼ିପାରେ। ‘ବିମଲ’ ପାନ ମସଲା ବିଜ୍ଞାପନକୁ ନେଇ ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (FDA) ଏହି ତିନି ଅଭିନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି।
ନୋଟିସ୍ର ଜବାବ ଦେବା ପାଇଁ ଅଭିନେତାମାନଙ୍କୁ ୧୫ ଦିନ ସମୟ ଦିଆଯାଇଛି। ବିଜ୍ଞାପନ ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ସହ ସୋସିଆଲ ମିଡିଆରୁ ଏହାକୁ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଖବର ରହିଛି।
FDAର ମତରେ, ଖାଦ୍ୟ ସୁରକ୍ଷା ଓ ମାନକ ଆଇନ ଅନୁସାରେ ଭ୍ରାମକ ବିଜ୍ଞାପନ ଏବଂ ଅନୁଚିତ ବାଣିଜ୍ୟିକ ପ୍ରଚାର ଉପରେ ନିୟମ ରହିଛି। ଏହି ପ୍ରସଙ୍ଗରେ ‘ବିମଲ ଏଲାଇଚି’ର ବିଜ୍ଞାପନ ବିଭିନ୍ନ ମାଧ୍ୟମରେ ପ୍ରସାରିତ ହେଉଥିବା ନେଇ ମଧ୍ୟ ନୋଟିସ୍ରେ ଉଲ୍ଲେଖ ଥିବା ସୂଚନା ମିଳିଛି।
ଏହି ତିନି ଅଭିନେତା ପୂର୍ବରୁ ମଧ୍ୟ ପାନ ମସଲା ବ୍ରାଣ୍ଡର ବିଜ୍ଞାପନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବିଜ୍ଞାପନରେ ସେଲିବ୍ରିଟିଙ୍କ ଭୂମିକାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠିଥିବା ବେଳେ, ମହାରାଷ୍ଟ୍ର FDAର ଏହି ନୋଟିସ୍ ପରେ ପ୍ରସଙ୍ଗଟି ପୁଣି ଚର୍ଚ୍ଚାକୁ ଆସିଛି।