ଆସନ୍ତା ୭ ଦିନ ରାଜ୍ୟରେ ବର୍ଷା ବଢ଼ିବା ସମ୍ଭାବନା, ଏକାଧିକ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ

ଭୁବନେଶ୍ୱର, ୧୦ ଅଗଷ୍ଟ: ରାଜ୍ୟରେ ଆଗାମୀ କିଛି ଦିନ ମଧ୍ୟରେ ବର୍ଷାର ପ୍ରକୋପ ବଢ଼ିବା ସମ୍ଭାବନା ରହିଛି। ଭୀଷଣ ବର୍ଷା ସହ ଝଡ଼, ବଜ୍ରପାତ ଓ ପବନକୁ ନଜରରେ ରଖି ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାଗୁଡ଼ିକ ପାଇଁ ସତର୍କତା ଜାରି କରାଯାଇଛି।

ଆସନ୍ତା ୨୪ ଘଣ୍ଟାରେ ୨୫ ଜିଲ୍ଲାରେ ଭାରୀ ବର୍ଷା ହେବାର ଆଶଙ୍କା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ସମ୍ପୃକ୍ତ ଅଞ୍ଚଳରେ ପ୍ରାୟ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ।

ୟେଲୋ ଆଲର୍ଟ ଥିବା ଜିଲ୍ଲାଗୁଡ଼ିକ ହେଲା— ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁର।

୧୧ରୁ ୧୨ ତାରିଖ

୧୧ ତାରିଖ ସକାଳରୁ ୧୨ ତାରିଖ ସକାଳ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟର ୨୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

୧୨ରୁ ୧୩ ତାରିଖ

ଏହି ସମୟରେ ବର୍ଷାର ତୀବ୍ରତା ଅଧିକ ରହିପାରେ। ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ଅନ୍ୟ ୧୮ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ରହିଛି।

୧୩ରୁ ୧୪ ତାରିଖ

ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ରହିଛି। ଏହା ସହିତ ଆଉ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।

୧୪ରୁ ୧୫ ତାରିଖ

ଏହି ସମୟରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଆଉ ୮ଟି ଜିଲ୍ଲାରେ ୟେଲୋ ଆଲର୍ଟ ରହିବ।

୧୫ରୁ ୧୬ ତାରିଖ

ସମ୍ବଲପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଅନ୍ୟ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

୧୬ ତାରିଖ ସକାଳରୁ ୧୭ ତାରିଖ ସକାଳ ପର୍ଯ୍ୟନ୍ତ ମଧ୍ୟ ୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିବ।

ଝଡ଼, ବଜ୍ରପାତ ଓ ପବନ ପାଇଁ ମଧ୍ୟ ସତର୍କତା

ବର୍ଷା ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝଡ଼, ବଜ୍ରପାତ ଓ ଘଣ୍ଟାପ୍ରତି ପବନର ବେଗ ବଢ଼ିବା ଆଶଙ୍କା ରହିଛି। ଏଥିପାଇଁ ଆଗାମୀ ୫ ଦିନ ନିମନ୍ତେ ମଧ୍ୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି।

ଆଗାମୀ ୨୪ ଘଣ୍ଟା ପାଇଁ ରାଜ୍ୟର ସମସ୍ତ ୩୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୧୧ରୁ ୧୨, ୧୨ରୁ ୧୩ ଏବଂ ୧୩ରୁ ୧୪ ତାରିଖ ସକାଳ ପର୍ଯ୍ୟନ୍ତ ମଧ୍ୟ ୩୦ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ରହିଛି। ୧୪ରୁ ୧୫ ତାରିଖ ମଧ୍ୟରେ ୨୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

Leave A Reply

Your email address will not be published.