୧୩୨୬ ଯୁବକ-ଯୁବତୀଙ୍କୁ ମିଳିଲା ନିଯୁକ୍ତି, ଜନସେବାକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର, ୧୦ ଅଗଷ୍ଟ: ଭୁବନେଶ୍ୱର ରେଳ ଅଡିଟୋରିଅମରେ ଆୟୋଜିତ ନିଯୁକ୍ତିମେଳାରେ ଆଜି ବିଭିନ୍ନ ସରକାରୀ ବିଭାଗରେ ୧୩୨୬ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ୯ଟି ବିଭାଗରେ ଏହି ନିଯୁକ୍ତି ଦିଆଯାଇଥିବା ବେଳେ ନୂଆ କର୍ମଚାରୀଙ୍କୁ ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ନିଯୁକ୍ତିପତ୍ର ବଣ୍ଟନ ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ ଚାକିରି କେବଳ ଏକ ପଦବୀ ନୁହେଁ, ଏହା ଲୋକଙ୍କ ସେବା କରିବାର ଏକ ବଡ଼ ଦାୟିତ୍ୱ। ସାଧାରଣ ଲୋକ ନିଜର ସମସ୍ୟା ନେଇ ସରକାରୀ କର୍ମଚାରୀଙ୍କ ପାଖକୁ ଆସିଲେ, ସେମାନଙ୍କ କଥା ଧୈର୍ଯ୍ୟର ସହ ଶୁଣିବା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବା ଆବଶ୍ୟକ।

କେଉଁ ବିଭାଗରେ କେତେ ନିଯୁକ୍ତି?

ଏହି ନିଯୁକ୍ତିମେଳାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୩୬୪ ଜଣ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ୩୬୧ ଜଣ କନିଷ୍ଠ ଯନ୍ତ୍ରୀ ନିଯୁକ୍ତ ହୋଇଛନ୍ତି।

ସେହିପରି ଶକ୍ତି ବିଭାଗ ଓ ଓଏଚପିସିରେ ୧୨ ଜଣ କନିଷ୍ଠ ଯନ୍ତ୍ରୀ ଓ ୨୨୮ ଜଣ ଟ୍ରେନି, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୧୧୮ ଜଣ ସହକାରୀ କୃଷି ଅଧିକାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୧୧ ଜଣ ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ପାଇଛନ୍ତି।

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗରେ ୧୫ ଜଣ କନିଷ୍ଠ ଯନ୍ତ୍ରୀ ଓ ୭୧ ଜଣ ପ୍ରାଣିଧନ ନିରୀକ୍ଷକ, କ୍ରୀଡ଼ା ବିଭାଗରେ ୨୬ ଜଣ ଜୁନିଅର କୋଚ୍, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୦ ଜଣ ପ୍ରଶିକ୍ଷକ ଏବଂ ଅବକାରୀ ବିଭାଗରେ ୧୦ ଜଣ ଉପ-ନିରୀକ୍ଷକ ନିଯୁକ୍ତ ହୋଇଛନ୍ତି।

୨୦୨୪ରୁ ୪୫ ହଜାରରୁ ଅଧିକ ନିଯୁକ୍ତି

ରାଜ୍ୟରେ ନିଯୁକ୍ତି ସୁଯୋଗ ବଢ଼ାଇବା ଉପରେ ସରକାର ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ କହିବା ଅନୁସାରେ, ୨୦୨୪ ଜୁନ୍‌ରୁ ବର୍ତ୍ତମାନ ସୁଦ୍ଧା ସରକାରୀ କ୍ଷେତ୍ରରେ ୪୫,୪୦୮ ଜଣଙ୍କୁ ନିଯୁକ୍ତି ମିଳିଛି।

ଏହା ସହିତ ରାଜ୍ୟରେ ଶିଳ୍ପାୟନକୁ ଗତି ଦେଇ ଯୁବପିଢ଼ି ପାଇଁ ଅଧିକ ରୋଜଗାର ସୃଷ୍ଟି କରିବା ଦିଗରେ ଉଦ୍ୟମ ଚାଲିଥିବା ସେ କହିଛନ୍ତି। ଗତ ଦୁଇ ବର୍ଷରେ ପ୍ରାୟ ୨୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଥିବା ଏବଂ ଏଥିରୁ ପ୍ରାୟ ୨୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ ଦାବି କରିଛନ୍ତି।

ନୂଆ ନିଯୁକ୍ତି ପାଇଥିବା କର୍ମଚାରୀମାନେ ସଚ୍ଚୋଟତା, ଶୃଙ୍ଖଳା ଓ ସେବା ମନୋଭାବ ସହ କାମ କରିବା ସହ ଦୁର୍ନୀତିଠାରୁ ଦୂରେ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.