ନୂଆଦିଲ୍ଲୀ, ୧୦।୮ (ପିପିଏସ୍): ଚୀନ୍ ସୀମାନ୍ତରେ ନିଜର ଭୌଗୋଳିକ ଓ ପ୍ରଶାସନିକ ସ୍ଥିତିକୁ ଆହୁରି ସୁଦୃଢ଼ କରିବା ଦିଗରେ ଭାରତ ସରକାର ଅରୁଣାଚଳ ପ୍ରଦେଶର ଏକ ସଂଶୋଧିତ ସରକାରୀ ମାନଚିତ୍ର ଜାରି କରିଛନ୍ତି। ନୂଆ ମାନଚିତ୍ରରେ ସୀମାନ୍ତର ରଣନୈତିକ ଗୁରୁତ୍ୱ ଥିବା ପାସ୍, ହ୍ରଦ, ଜନବସତି ଓ ୧୯୬୨ ଭାରତ-ଚୀନ୍ ଯୁଦ୍ଧ ସହ ଜଡ଼ିତ ଐତିହାସିକ ସ୍ଥାନଗୁଡ଼ିକୁ ସାମିଲ କରାଯାଇଛି।
ସୂଚନା ଅନୁଯାୟୀ, ସଂଶୋଧିତ ମାନଚିତ୍ରରେ ମୋଟ ୨୭ଟି ପ୍ରମୁଖ ସ୍ଥାନ ଓ ଭୌଗୋଳିକ ଚିହ୍ନକୁ ସ୍ଥାନ ଦିଆଯାଇଛି। ଏଥିରେ ଜୋ ଲା, ରିଜା ଲା, ପୁକୁର ଲା ଓ ଥାଗ୍ ଲା ଭଳି ୪ଟି ପ୍ରମୁଖ ପାର୍ବତ୍ୟ ପାସ୍ ରହିଛି। ବିଶେଷକରି ୧୯୬୨ ଯୁଦ୍ଧର ପ୍ରାରମ୍ଭିକ ପର୍ଯ୍ୟାୟ ସହ ଜଡ଼ିତ ଥିବା ଥାଗ୍ ଲାକୁ ମାନଚିତ୍ରରେ ସ୍ଥାନ ଦେବାକୁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱ ଦିଆଯାଉଛି।
ଏହା ବ୍ୟତୀତ ତୱାଙ୍ଗ ନିକଟସ୍ଥ ଉଚ୍ଚଭୂମିରେ ଥିବା ସମ୍ଭୋ ସରୋବର, ଲଙ୍ଗଜୁ, ମାଜା, ବିସା, ଜୟରାମପୁର ଓ ଯଶବନ୍ତ ଗଡ଼ ଭଳି ସ୍ଥାନକୁ ମଧ୍ୟ ମାନଚିତ୍ରରେ ସାମିଲ କରାଯାଇଛି। ୧୯୬୨ ଯୁଦ୍ଧରେ ସହିଦ ହବିଲଦାର ଶେର-ଇ-ଥାପାଙ୍କ ସ୍ମୃତିରେ ନିର୍ମିତ ଶେର-ଇ-ଥାପା ମେମୋରିଆଲକୁ ମଧ୍ୟ ଏଥିରେ ସ୍ଥାନ ମିଳିଛି।
ଚୀନ୍ର ଦାବିକୁ ଭାରତର ଜବାବ
ଚୀନ୍ ଦୀର୍ଘଦିନ ଧରି ଅରୁଣାଚଳ ପ୍ରଦେଶକୁ ‘ଜାଙ୍ଗନାନ’ ବା ‘ଦକ୍ଷିଣ ତିବ୍ବତ’ ଭାବେ ଦାବି କରିଆସୁଛି। ଏପରିକି ୨୦୧୭ରୁ ବିଭିନ୍ନ ସମୟରେ ଅରୁଣାଚଳ ପ୍ରଦେଶର କେତେକ ସ୍ଥାନର ଚୀନୀ ନାମକରଣ କରିବାକୁ ବେଜିଂ ପକ୍ଷରୁ ପଦକ୍ଷେପ ନିଆଯାଇଛି।
ଭାରତ ତେବେଠାରୁ ଚୀନ୍ର ଏହି ଦାବିକୁ ଖାରଜ କରି ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ପଷ୍ଟ କରିଆସିଛି। ଏହି ପରିପ୍ରେକ୍ଷୀରେ ନୂଆ ମାନଚିତ୍ରରେ ଭାରତୀୟ ନାମ ଓ ଐତିହାସିକ ସ୍ଥାନଗୁଡ଼ିକୁ ସରକାରୀ ଭାବେ ସାମିଲ କରାଯିବାକୁ ଚୀନ୍ର ନାମକରଣ ନୀତିର ଏକ କୂଟନୈତିକ ଓ ପ୍ରଶାସନିକ ପ୍ରତିଉତ୍ତର ଭାବେ ଦେଖାଯାଉଛି।
ନିକଟରେ ନୂଆଦିଲ୍ଲୀରେ ଭାରତ-ଚୀନ୍ ସୀମା ବିବାଦ ସମ୍ପର୍କିତ ୩୬ତମ ଡବ୍ଲ୍ୟୁଏମସିସି ବୈଠକ ଅନୁଷ୍ଠିତ ହୋଇଥିଲା। ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାର ପାଇଁ ଆଲୋଚନା ଜାରି ରହିଥିବା ବେଳେ ଭାରତର ଏହି ନୂଆ ମାନଚିତ୍ର ପଦକ୍ଷେପ ନିଜର ଭୌଗୋଳିକ ସୀମା ଓ ସାର୍ବଭୌମତ୍ୱ ନେଇ ଭାରତର ଦୃଢ଼ ଆଭିମୁଖ୍ୟକୁ ପ୍ରକାଶ କରୁଛି।
ସୀମାରେ ଚୀନ୍କୁ ଭାରତର ବଡ଼ ବାର୍ତ୍ତା—ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ।