FDI ନିବେଶ ପାଇଁ ସରକାରଙ୍କ ବଡ଼ ଯୋଜନା: CCEA ମଞ୍ଜୁରି ସୀମା ୩ ଗୁଣା ବଢ଼ି ୧୫ ହଜାର କୋଟି ହୋଇପାରେ

ନୂଆଦିଲ୍ଲୀ: ଦେଶରେ ବ୍ୟବସାୟିକ ବାତାବରଣକୁ ଅଧିକ ସରଳ ଓ ଅନୁକୂଳ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି। ଖବର ଅନୁଯାୟୀ, ପ୍ରତ୍ୟକ୍ଷ ବିଦେଶୀ ନିବେଶ (FDI) ପ୍ରସ୍ତାବଗୁଡ଼ିକର ମଞ୍ଜୁରି ପାଇଁ ନିର୍ଦ୍ଧାରିତ ଆର୍ଥିକ ସୀମାକୁ ୩ ଗୁଣା ବୃଦ୍ଧି କରାଯାଇପାରେ।

ବର୍ତ୍ତମାନର ନିୟମ ଅନୁଯାୟୀ, ଯଦି କୌଣସି FDI ପ୍ରସ୍ତାବର ମୂଲ୍ୟ ୫୦୦୦ କୋଟି ଟଙ୍କାରୁ ଅଧିକ ହୁଏ, ତେବେ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି (CCEA)ର ଅନୁମୋଦନ ଆବଶ୍ୟକ ପଡ଼ିଥାଏ। ତେବେ ସରକାର ଏହି ସୀମାକୁ ୫୦୦୦ କୋଟିରୁ ବଢ଼ାଇ ୧୫,୦୦୦ କୋଟି ଟଙ୍କା କରିବାକୁ ବିଚାର କରୁଛନ୍ତି।

ମନ୍ତ୍ରାଳୟ ସ୍ତରରେ ମିଳିବ ମଞ୍ଜୁରି: ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍’କୁ ପ୍ରୋତ୍ସାହନ ଦେବା। ଏହି ସୀମା ବୃଦ୍ଧି ପାଇଲେ, ଅଧିକ ମୂଲ୍ୟର FDI ପ୍ରସ୍ତାବଗୁଡ଼ିକୁ ସମ୍ପୃକ୍ତ ମନ୍ତ୍ରାଳୟଗୁଡ଼ିକ ନିଜ ସ୍ତରରେ ଅନୁମତି ଦେଇପାରିବେ। ଏହାଦ୍ୱାରା CCEA ନିକଟକୁ ପ୍ରସ୍ତାବ ପଠାଇବା ଆବଶ୍ୟକତା କମିବ ଏବଂ ନିବେଶ ପ୍ରକ୍ରିୟା ଶୀଘ୍ର ଶେଷ ହୋଇପାରିବ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଏକ ସଚିବସ୍ତରୀୟ କମିଟି ମଧ୍ୟ CCEAର ବିଚାର ପାଇଁ ପଠାଯାଉଥିବା FDI ନିବେଶ ପ୍ରସ୍ତାବର ସୀମା ବୃଦ୍ଧି ପାଇଁ ସୁପାରିସ କରିଥିଲା। ବର୍ତ୍ତମାନ ଏହି ପ୍ରସ୍ତାବ ଆଲୋଚନା ପର୍ଯ୍ୟାୟରେ ରହିଛି।

FDI ପ୍ରବାହରେ ଭାରତର ସଫଳତା: ୨୦୦୦ ଏପ୍ରିଲରୁ ୨୦୨୬ ମାର୍ଚ୍ଚ ମଧ୍ୟରେ ଭାରତକୁ ୧.୧୬ ଟ୍ରିଲିଅନ (ଲକ୍ଷ କୋଟି) ଡଲାରରୁ ଅଧିକ FDI ଆସିଛି। ଭାରତକୁ FDI ଆସୁଥିବା ପ୍ରମୁଖ ଦେଶଗୁଡ଼ିକ ମଧ୍ୟରେ ମରିସସ୍‌, ସିଙ୍ଗାପୁର, ଯୁକ୍ତରାଷ୍ଟ୍ର ଆମେରିକା, ନେଦରଲ୍ୟାଣ୍ଡ୍‌ସ, ଜାପାନ, ବ୍ରିଟେନ ଏବଂ ସଂଯୁକ୍ତ ଆରବ ଏମିରେଟ୍‌ସ (UAE) ଅନ୍ତର୍ଭୁକ୍ତ। ସରକାରଙ୍କ ଏହି ନୂତନ ପଦକ୍ଷେପ ଦେଶକୁ ବିଦେଶୀ ପୁଞ୍ଜି ଆକୃଷ୍ଟ କରିବାରେ ଆହୁରି ସହାୟକ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.