ଡକ୍ଟର ମହତାବଙ୍କ ସ୍ୱପ୍ନର ‘ପ୍ରଜାତନ୍ତ୍ର’ ଓଡ଼ିଆ ଅସ୍ମିତାର କେନ୍ଦ୍ର।

‘ପ୍ରଜାତନ୍ତ୍ର’ ଜନମତର ସ୍ୱର, ଓଡ଼ିଆ ଅସ୍ମିତାର କେନ୍ଦ୍ର

କଟକ, (ପିପିଏସ୍): ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା ଓ ରାଜନୀତି—ପ୍ରତିଟି କ୍ଷେତ୍ରରେ ‘ପ୍ରଜାତନ୍ତ୍ର’ ନେତୃତ୍ୱ ନେଇ ଜନମତର ସ୍ୱର ପାଲଟିଛି। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ପ୍ରେରଣାର ଉତ୍ସ ଏବଂ ଗର୍ବ ଓ ଗୌରବର କେନ୍ଦ୍ର। ଅଗଣିତ ବ୍ୟକ୍ତିଙ୍କୁ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱର କଳା ଓ କୌଶଳ ଶିଖାଇଛି ‘ପ୍ରଜାତନ୍ତ୍ର’। ଏହାର ୭୯ତମ ଜନ୍ମବାର୍ଷିକୀ ଉତ୍ସବରେ ବିଶିଷ୍ଟ ଅତିଥିମାନେ ଏଭଳି ମତ ପ୍ରକାଶ କରିଛନ୍ତି।

ବିଷୁବ ମଣ୍ଡପରେ ଆୟୋଜିତ ସମାରୋହରେ ‘ପ୍ରଜାତନ୍ତ୍ର’ ପ୍ରଚାର ସମିତିର ଅଧ୍ୟକ୍ଷ ତଥା ସମ୍ପାଦକ ଭର୍ତ୍ତୃହରି ମହତାବ ସ୍ୱାଗତ ଅଭିଭାଷଣ ଦେଇ କହିଥିଲେ ଯେ, ୧୯୪୭ ଅଗଷ୍ଟ ୮ରେ ‘ପ୍ରଜାତନ୍ତ୍ର’ର ପ୍ରକାଶନକୁ ପ୍ରତିବର୍ଷ ଉତ୍ସବ ଭାବେ ପାଳନ କରାଯାଉଛି। ଏହା କେବଳ ଏକ ଖବରକାଗଜର ଉତ୍ସବ ନୁହେଁ, ବରଂ ନବଜାଗରଣର ଉତ୍ସବ ବୋଲି ସେ କହିଥିଲେ।

ଡକ୍ଟର ମହତାବଙ୍କ ସଂଗ୍ରାମୀ ଜୀବନ ଓ ଜାତୀୟ ରାଜନୀତିରେ ତାଙ୍କ ପ୍ରଭାବ ସମ୍ପର୍କରେ ଭର୍ତ୍ତୃହରି ମହତାବ ଆଲୋକପାତ କରିଥିଲେ। ବିଶେଷକରି ‘ଗାଁ ମଜଲିସ୍’ର ପ୍ରଭାବ ଆଜି ବି ଉଦାହରଣ ହୋଇ ରହିଛି ବୋଲି ସେ କହିଥିଲେ। ଗାନ୍ଧୀବାଦର ପ୍ରଚାର, ସ୍ୱଦେଶୀ ପ୍ରୀତି ଜାଗ୍ରତ କରିବା ଏବଂ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ ‘ପ୍ରଜାତନ୍ତ୍ର’ର ପ୍ରମୁଖ ଉଦ୍ଦେଶ୍ୟ ଥିଲା ବୋଲି ସେ ଉଲ୍ଲେଖ କରିଥିଲେ।

ମୁଖ୍ୟବକ୍ତା ବିଶିଷ୍ଟ କଥାକାର ଦାଶ ବେନହୁର କହିଥିଲେ ଯେ, ଡକ୍ଟର ମହତାବ ଜାତୀୟ ସଂଗ୍ରାମର ଜଣେ ଅନନ୍ୟ ମହାନାୟକ ଥିଲେ। ସାଧାରଣ ଲୋକଙ୍କ ସେବା ପାଇଁ ସେ ସର୍ବଦା ଚିନ୍ତିତ ରହୁଥିଲେ। ଅସହଯୋଗ ଆନ୍ଦୋଳନ ସମୟରେ ପାଠପଢ଼ା ଛାଡ଼ି ସେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ଗଡ଼ଜାତ ଆନ୍ଦୋଳନରେ ତାଙ୍କ ନେତୃତ୍ୱକୁ ସାରା ଦେଶ ସ୍ମରଣ କରେ ବୋଲି ସେ କହିଥିଲେ।

ସାହିତ୍ୟ, ରାଜନୀତି, ସାଂସ୍କୃତିକ ଜାଗରଣ ଓ ଇତିହାସ ସଂରକ୍ଷଣ—ପ୍ରତିଟି କ୍ଷେତ୍ରରେ ଡକ୍ଟର ମହତାବଙ୍କ ଅବଦାନ ଅବିସ୍ମରଣୀୟ ବୋଲି ଦାଶ ବେନହୁର ମତ ଦେଇଥିଲେ। ଓଡ଼ିଶାକୁ ଚିହ୍ନିବାକୁ ହେଲେ ଡକ୍ଟର ମହତାବଙ୍କ ‘ଗାଁ ମଜଲିସ୍’ ପଢ଼ିବା ଆବଶ୍ୟକ ବୋଲି ସେ କହିଥିଲେ। ‘ପ୍ରଜାତନ୍ତ୍ର’ର ୮୦ ବର୍ଷ ପୂର୍ତ୍ତି ଅବସରରେ ‘କୋହେନୂର ଉତ୍ସବ’ ଆୟୋଜନ ପାଇଁ ମଧ୍ୟ ସେ ପ୍ରସ୍ତାବ ଦେଇଥିଲେ।

ସମାରୋହରେ ସଭାପତିତ୍ୱ କରି ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ କହିଥିଲେ ଯେ, ଡକ୍ଟର ମହତାବଙ୍କ ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଏକ ନୂଆ ଅନୁଭବ ଓ ଅଭିଜ୍ଞତା ନେଇ ଫେରୁଥିଲେ। ‘ପ୍ରଜାତନ୍ତ୍ର’ ବିଶ୍ୱାସ ଓ ଆସ୍ଥାର କେନ୍ଦ୍ର ଥିଲା। ‘ଗାଁ ମଜଲିସ୍’ କେବଳ ଆକର୍ଷଣୀୟ ବିଷୟବସ୍ତୁ ନୁହେଁ, ବରଂ ସେତେବେଳର ସମାଜ ଓ ରାଜନୀତି ପାଇଁ ଦିଗଦର୍ଶକ ଭାବେ କାର୍ଯ୍ୟ କରୁଥିଲା ବୋଲି ସେ କହିଥିଲେ।

ଓଡ଼ିଆ ଜାତି ପାଇଁ ଡକ୍ଟର ମହତାବଙ୍କ ଅବଦାନ ଚିରସ୍ମରଣୀୟ ବୋଲି ଜଷ୍ଟିସ୍ ଷଡ଼ଙ୍ଗୀ କହିବା ସହ ଜାତି, ମାଟି ଓ ସଂସ୍କୃତିକୁ ଭଲପାଇବା ଏବଂ ‘ପ୍ରଜାତନ୍ତ୍ର’ର ଆଦର୍ଶକୁ ଆପଣାଇବାକୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଶୁଭସ୍ମିତା ତ୍ରିପାଠୀଙ୍କୁ କବିତା, ସଞ୍ଜୀବ ଦାସଙ୍କୁ ଗଳ୍ପ, ସୁନନ୍ଦା ମହାନ୍ତିଙ୍କୁ ‘ମୀନାବଜାର’ ଏବଂ ସୁଷମା ପରିଜାଙ୍କୁ ପ୍ରବନ୍ଧ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଭିନ୍ନକ୍ଷମଙ୍କ ସେବାରେ ନିୟୋଜିତ ‘ଆଶ୍ରୟ ଦି ସେଲ୍ଟର’କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।

ପୂର୍ବାହ୍ନରେ ‘ଓଡ଼ିଆ ଅସ୍ମିତାର କେନ୍ଦ୍ର ପ୍ରଜାତନ୍ତ୍ର’ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏଥିରେ ଲୋକରଞ୍ଜନ ମହତାବ, ପ୍ରଫେସର ବାବାଜୀଚରଣ ପଟ୍ଟନାୟକ, ସ୍ତମ୍ଭକାର ମିହିରପ୍ରତାପ ଦାସ, ରାଜା ପରିଜା ଓ ଡକ୍ଟର ବିଶ୍ୱମୋହନ ଅତିଥି ଭାବେ ଯୋଗଦେଇଥିଲେ। କଟକର ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କୃତିତ୍ୱ ଅର୍ଜନ କରିଥିବା ୬ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

Leave A Reply

Your email address will not be published.