ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ଓ ନିବେଶ ବୃଦ୍ଧି ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ବିଭିନ୍ନ ଶିଳ୍ପପତିଙ୍କୁ ଭେଟି ଆଲୋଚନା କରିଛନ୍ତି। ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ ନିବେଶକ ସମ୍ମିଳନୀ ଓ ରୋଡ୍ସୋ ପରିପ୍ରେକ୍ଷୀରେ ଏହି ବୈଠକ ଅନୁଷ୍ଠିତ ହୋଇଛି।
ମୁଖ୍ୟମନ୍ତ୍ରୀ ଚିରିପାଲ୍ ପଲିଫିଲ୍ମସର ସିଇଓ ସୁମନ୍ତ ସିଂଘଲ, ହିନ୍ଦୁସ୍ତାନ କୋକାକୋଲା ବେଭରେଜେସ୍ର ସିଇଓ ତଥା ନିର୍ଦ୍ଦେଶକ ହେମନ୍ତ ରୁପାନି, ବାଲାଜୀ ୱାଫର୍ସର ନିର୍ଦ୍ଦେଶକ ଶ୍ୟାମ ଭିରାନି ଓ କେୟୁର ଭିରାନି, ଲେଟ୍ସ ଟ୍ରାଏର ସିଇଓ ତଥା ପ୍ରତିଷ୍ଠାତା ବିନୋଦ କାଲ୍ରା ଏବଂ ବିୟଣ୍ଡ ସ୍ନାକ୍ସର ପ୍ରତିଷ୍ଠାତା ମାନସ ମଧୁଙ୍କୁ ଭେଟି ଓଡ଼ିଶାରେ ନିବେଶର ସୁଯୋଗ ନେଇ ଆଲୋଚନା କରିଥିଲେ।
ଏହି କମ୍ପାନିଗୁଡ଼ିକ ସହ ରାଜ୍ୟ ସରକାର ପୂର୍ବରୁ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିଥିବା ସୂଚନା ମିଳିଛି। ଖାଦ୍ୟ ପ୍ରକ୍ରିୟାକରଣ ଓ ଆନୁଷଙ୍ଗିକ କ୍ଷେତ୍ରରେ ଅଧିକ ନିବେଶ ଆଣିବା ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା।
‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ ମାଧ୍ୟମରେ ରାଜ୍ୟ ସରକାର ପ୍ରାୟ ୧୦ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଏହି ଅବସରରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ରାଜ୍ୟ ସରକାରଙ୍କ ଅନ୍ୟ ଅଧିକାରୀମାନେ ମଧ୍ୟ ଶିଳ୍ପ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ।