ବାରିପଦା, ୭/୮: ଭାରିରୁ ଅତିଭାରି ବର୍ଷା ଆଶଙ୍କା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତାକାଲି, ଅଗଷ୍ଟ ୮ ତାରିଖରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷାଧିକାରୀ (DEO) ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।
ମୟୂରଭଞ୍ଜ ଜିଲ୍ଲା ପାଇଁ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି। ବର୍ଷାଜନିତ ସମ୍ଭାବ୍ୟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି।
ଅନ୍ୟପକ୍ଷରେ, ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଭଳି ଜିଲ୍ଲାର କେତେକ ସ୍ଥାନରେ ଭାରିରୁ ଅତିଭାରି ବର୍ଷାର ସମ୍ଭାବନା ରହିଛି।