ଯାଜପୁର (ପିପିଏସ ): ଯାଜପୁର ଜିଲା ସବୁବେଳେ ବିଭିନ୍ନ ଦୁର୍ନୀତି ନେଇ ଚର୍ଚ୍ଚା ରେ ରହିଆସିଛି l ଏବେ କିଛିଦିନ ତଳେ ଲାଇଟ ଦୁର୍ନୀତି ରେ ଭିଜିଲାନ୍ସ ତଦନ୍ତ ସରିନାହିଁ ପୁଣି ହୋମଗାର୍ଡ ନିଯୁକ୍ତି ରେ ଦୁର୍ନୀତି ପ୍ରମାଣ ଆସିଲାଣି l ହୋମଗାର୍ଡ ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଗତ ତିନି ଦିନ ତଳେ ଅନେକ ଆଶାୟୀ ପ୍ରାର୍ଥୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଜୈନିକ ପ୍ରାୟ ୮୦ ପ୍ରତିଶତ ମାନସିକ ଭିନ୍ନକ୍ଷମ ଭତ୍ତା ଗ୍ରହଣ କରିଥିବା ଜଣେ ପିଲା କିପରି ହୋମଗାର୍ଡ ପଦବୀରେ ନିଯୁକ୍ତିରେ ହୋଇପାରିଲା ତାହା ସମ୍ପୃକ୍ତ ଜିଲା ପୋଲିସ ମୁଖ୍ୟ ଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l କୋରେଇ ବ୍ଲକ ଏବଂ ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଞ୍ଚାୟତ ଧନତ୍ରୀ ଗ୍ରାମର ଜଣେ ମାନସିକ ଭିନ୍ନକ୍ଷମ ଭାବେ ସରକାରୀ ଭାବେ ଦର୍ଶାଯାଇ ସେ ଭିନ୍ନକ୍ଷମ ପ୍ରମାଣପତ୍ର ଆଧାରରେ ମାସିକ ୩,୫୦୦ ଟଙ୍କା ଲେଖାଏଁ ଭିନ୍ନକ୍ଷମ ଭତ୍ତା ପାଇଆସୁଛନ୍ତି। ଭତ୍ତା ରେଜିଷ୍ଟରରେ ନିଜର ଟିପଚିହ୍ନ ଦେଇ ସେ ଗତ ଅପ୍ରେଲ, ମଇ, ଜୁନ ଏବଂ ଜୁଲାଇ ମାସର ଭତ୍ତା ରାଶି ଗ୍ରହଣ କରିଛନ୍ତି।
ଅନ୍ୟପଟେ, ଭିନ୍ନକ୍ଷମ ଜଣକ ହୋମଗାର୍ଡ ନିଯୁକ୍ତି ପାଇଁ ଆବେଦନ କରି ମନୋନୟନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଗତ ଅଗଷ୍ଟ ୨ ତାରିଖ ଦିନ ସେ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟରେ ଯୋଗଦାନ ମଧ୍ୟ କରିଛନ୍ତି । ଯଦି ଜଣେ ଯୁବକ ହୋମଗାର୍ଡ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ଓ ଶାରୀରିକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ସେ କିପରି ଭାବେ ମାନସିକ ଭିନ୍ନକ୍ଷମ ତତ୍କାଳୀନ ସିଡିଏମଓ କିପରି ଭାବରେ କାହା ଚାପରେ ଭିନ୍ନକ୍ଷମ ବୋଲି ପ୍ରମାଣ ପତ୍ର ପ୍ରଦାନ କରିଥିଲେ ଏ ନେଇ ତଦନ୍ତ ଆବଶ୍ୟକ l ଜଣେ ବ୍ୟକ୍ତି ଏକା ସଙ୍ଗରେ ମାନସିକ ଭିନ୍ନକ୍ଷମ ଭତ୍ତା ଗ୍ରହଣ କରିବା ସହ ଶାରୀରିକ ଓ ମାନସିକ ସୁସ୍ଥ ଭାବେ ଆବଶ୍ୟକ କରୁଥିବା ହୋମଗାର୍ଡ ପଦବୀରେ ନିଯୁକ୍ତି ପାଇବା ନିଯୁକ୍ତି ପ୍ରକ୍ରିୟାର ସ୍ୱଚ୍ଛ ତା ନେଇ ପ୍ରଶ୍ନ ଉଠିଛି l