ନାହିଁ ଶୀତଳ ଭଣ୍ଡାର, ପକେଟ କୁ ବାଧୁଛି ପନିପରିବା ଦର; କଞ୍ଚା ଲଙ୍କା ୨ଶହ, ଝୁଡ଼ଙ୍ଗ ୧୨୦ଟଙ୍କା

ଅସ୍ତରଙ୍ଗ, ୦୬/୦୮: ସାରା ରାଜ୍ୟରେ ଗତ କିଛି ଦିନ ହେଲା ପରିବା ଦାମ୍ ଅହେତୁକ ଭାବେ ବୃଦ୍ଧି ପାଇଛି। କାରଣ ଲଗାଣ ବର୍ଷା ଶହ ବନ୍ୟା ଯୋଗୁଁ ନଦୀ ପଠା ମାନଙ୍କରେ ହେଉଥିବା ଫସଲ ପୁରା ଧୋଇ ହୋଇ ଯାଇଛି। ତେଣୁ ସ୍ଥାନୀୟ ପରିବା ମିଳିବା କଷ୍ଟ ହୋଇଯାଉଛି। ଚାହିଦା ତୁଳନାରେ ଉତ୍ପାଦନ କମ୍ ରହୁଥିବା ଯୋଗୁଁ ବାଇଗଣ ଠାରୁ ପୋଟଳ, ଝୁଡ଼ଙ୍ଗ, କଲରା ଓ ବିନ୍ସ ପର୍ଯ୍ୟନ୍ତ ସବୁ ପରିବା ଦାମ୍ ଉପରେ କୌଣସି ନିୟନ୍ତ୍ରଣ ନାହିଁ। ସରକାର ସିନା ଗରିବ (ରେସନ କାର୍ଡ )ହିତାଧିକାରୀ ଙ୍କୁ ମାଗଣା ରେ ଚାଉଳ ଯୋଗାଇ ଦେଉଛନ୍ତି କିନ୍ତୁ ଭାତ ସାଙ୍ଗରେ ଲଗାଇ ଖାଇବାକୁ ଗରିବଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ୍ତ ପରିବାର ଲୋକଙ୍କ ହାତ ମଧ୍ୟ ପାଉନି।

ସୂଚନା ଥାଉ କି, ପୁରୀ ଜିଲ୍ଲା କାକଟପୁର ରେ କୁଣ୍ଢେଇ, ଓଥକା ହାଟ ଶହ ଅସ୍ତରଙ୍ଗ ବଜାର ସାପ୍ତାହିକ ହାଟ ପ୍ରତି ମଙ୍ଗଳବାର ଓ ଶନିବାର ବସେ। ଏଠାକୁ ପୁରୀ ଜିଲ୍ଲା ସମେତ ଜଗତସିଂହପୁର ଜିଲ୍ଲାର ନାଉଗାଁ, ବାଲିକୁଦା, କଟକର ନିଆଳୀ ଅଞ୍ଚଳ ଲୋକ ଏହି ହାଟକୁ ବ୍ୟବସାୟ କରିବାକୁ ଆସନ୍ତି। ଗତ ୧୦ଦିନ ତଳେ ପରିବା ଯାହା ଥିଲା ଏବେ ତାହା ଦେଢ଼ଗୁଣ ରୁ ୨ଗୁଣ ବଢ଼ିଯାଇଛି। ବାଇଗଣ କିଲୋ ୮୦ରୁ ୧୦୦ଟଙ୍କା, ପୋଟଳ ୯୦ରୁ ୧୦୦ଟଙ୍କା, ସଜନା ଛୁଇଁ ୧୦୦ଟଙ୍କା, କଲରା ୭୦ରୁ ୧୦୦ଟଙ୍କା ଝୁଡ଼ଙ୍ଗ ଛୁଇଁ ୧୨୦ଟଙ୍କା ହୋଇଛି। ସେହିପରି ଭେଣ୍ଡି ୭୦ରୁ ୮୦ଟଙ୍କା, କଞ୍ଚା ଲଙ୍କା ୨ଶହ ଟଙ୍କା, କାକୁଡି ୬୦ରୁ ୮୦ଟଙ୍କା, କଞ୍ଚା କଦଳୀ ଗୋଟା ୧୦ରୁ ୧୫ଟଙ୍କା, କୋବି ଗୋଟା ୫୫ରୁ ୭୫ଟଙ୍କା, ଜହ୍ନି ୭୦ଟଙ୍କା ଓ ଅମୃତଭଣ୍ଡା ୪୦ଟଙ୍କା ହୋଇଛି। କହିବାକୁ ଗଲେ ହାଟରେ ୧୦୦ଟଙ୍କା ତଳକୁ ପରିବା ନାହିଁ କହିଲେ ଚଳେ। ତେବେ ଟମାଟୋ କିଲୋ୨୫ରୁ ୩୦ଟଙ୍କା ରହିଛି।

ଅନ୍ୟ ପଟେ ପୁରୀ ଜିଲ୍ଲା ହେଉ କି ଅସ୍ତରଙ୍ଗ ବ୍ଲକ ଅଧୀନ ଦେବୀ ନଦୀ ପାର୍ଶ୍ୱବର୍ତ୍ତୀ ଖଣ୍ଡାସାହି, ଓସ୍ତପୁର, ଓସିଆଁ ସହ ବେଗୁନିଆବସ୍ତ, ଝାରିଆ ଅଂଚଳରେ ବହୁ ମାତ୍ରାରେ ବାଇଗଣ, ବିଲାତି, ପୋଟଳ, କୋବି ଆଦି ପରିବା ବହୁ ପରିମାଣ ରେ ଚାଷ ହେଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଶୀତଳ ଭଣ୍ଡାର ନିର୍ମାଣ ହୋଇପାରୁନାହିଁ। ଫଳରେ ଯେଉଁ କୋବି ଦିନେ କିଲୋ ୫ଟଙ୍କା ରେ ଚାଷୀ ବିକ୍ରି କରୁଥିଲେ ଏବେ ୭୦ଟଙ୍କା ହୋଇଛି। କେବଳ ସେତିକି ନୁହେଁ ଗତ ଏକ ମାସ ହେବ ପିଆଜ କିଲୋ ୩୦ରୁ ୪୦ଟଙ୍କା ଓ ଅଦା କିଲୋ ୧୮୦ଟଙ୍କା ରୁ ୨ଶହ ଟଙ୍କା ବିକ୍ରି ହେଉଛି। ତା ସାଙ୍ଗରେ ତାଳ ଦେଇ ରସୁଣ ଦାମ୍ ମଧ୍ୟ ୧୬୦ଟଙ୍କା ବଢ଼ି ଯାଇଛି। ପନିପରିବା ର ହଠାତ ଦାମ୍ ବୃଦ୍ଧି ସାଧାରଣ ଲୋକ ଯିଏ ପୂର୍ବରୁ ବାଇଗଣ କିଲେ, ପୋଟଳ କିଲେ କରି ପରିବା ନେଉଥିଲେ ସେ କେଉଁଥିରୁ ୨୫୦ଗ୍ରାମ ତ ଅତି ବେଶୀରେ କେଉଁଥିରୁ ୫ଶହ ଗ୍ରାମ ନେଉଛନ୍ତି। ତେବେ ନୂତନ ସରକାର କିଛି ମାସ ପୂର୍ବେ ଘୋଷଣା କରିଥିଲେ ବିଭିନ୍ନ ସ୍ଥାନରେ ଶୀତଳଭଣ୍ଡାର ହେବ କିନ୍ତୁ ଅସ୍ତରଙ୍ଗ ରୁ ବାରମ୍ବାର ଦାବୀ ହେଉଥିଲେ ମଧ୍ୟ ଶୀତଳଭଣ୍ଡାର ପାଈଁ ବିଭାଗୀୟ ଅଧିକାରୀ କିମ୍ବା ରାଜନେତା ଙ୍କ ମନୋବଳ ଅଭାବ ଯୋଗୁଁ ଏହା ହୋଇପାରୁନାହିଁ।

ତେବେ ପରିବା ର ହଠାତ ଦାମ୍ ବୃଦ୍ଧି ବିଷୟରେ ଅସ୍ତରଙ୍ଗ ସାପ୍ତାହିକ ହାଟ ବ୍ୟବସାୟୀ ଶିବ ସ୍ୱାଇଁ କହିଛନ୍ତି ସ୍ଥାନୀୟ ପରିବା ବହୁତ କମ୍ ବାହାରୁଛି। ଆନ୍ଦ୍ର ପ୍ରଦେଶ, ରାୟପୁର ରୁ ଚଢା ଦାମ୍  ରେ ପରିବା ଆସୁଛି। ତେଣୁ କିଣା ଦାମ୍ ଅନୁସାରେ ବିକ୍ରି ହେଉଛି। ଏଥିରେ କେବଳ ଗ୍ରାହକ ନୁହେଁ ବ୍ୟବସାୟୀ ମଧ୍ୟ କ୍ଷତି ଗ୍ରସ୍ତ ହେଉଛନ୍ତି। ରାଜ୍ୟ ସରକାର ତୁରନ୍ତ ଅସ୍ତରଙ୍ଗ ଅଂଚଳରେ ଏକ ଶୀତଳ ଭଣ୍ଡାର କରିବା ଶହ ଅହେତୁକ ଦାମ୍ ବୃଦ୍ଧି ନିୟନ୍ତ୍ରଣ ପାଈଁ କିଛି ବ୍ୟବସ୍ଥା କରାଇବା ପାଈଁ ସାଧାରଣ ରେ ଦାବୀ ହୋଇଛି।

Leave A Reply

Your email address will not be published.