ନୂଆଦିଲ୍ଲୀ, ୫/୮: ରାଜ୍ୟସଭାକୁ ନିର୍ବାଚିତ ଭାଜପାର ୩୭ ଜଣ ନୂଆ ସାଂସଦଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକ କରିଛନ୍ତି। ବୈଠକରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସମେତ ଆମ୍ ଆଦମୀ ପାର୍ଟି ଛାଡ଼ି ଭାଜପାରେ ଯୋଗ ଦେଇଥିବା କିଛି ନେତା ମଧ୍ୟ ଉପସ୍ଥିତ ଥିଲେ।
ସଂସଦର କାର୍ଯ୍ୟକଳାପ ଯେପରି ସୁଚାରୁରୂପେ ଚାଲିବ, ସେଥିପାଇଁ ସାଂସଦମାନେ ଗୁରୁତ୍ୱ ଦେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। ଦେଶର ଭବିଷ୍ୟତ ପାଇଁ କ’ଣ ଭଲ ହେବ, ସେ ଦିଗରେ ଧ୍ୟାନ ଦେବା ସହ ବର୍ତ୍ତମାନ ଉପରେ କାମ କରିବାକୁ ସେ ନୂଆ ସାଂସଦମାନଙ୍କୁ ପରାମର୍ଶ ଦେଇଥିଲେ।
ମୋଦି କହିଥିଲେ ଯେ, ଭଲ ଫଳାଫଳ ପାଇଁ ବର୍ତ୍ତମାନରେ ରହି କାମ କରିବା ଅତ୍ୟନ୍ତ ଜରୁରୀ। ସାଂସଦମାନେ ମଧ୍ୟ ନିଜ ଦାୟିତ୍ୱ ଉପରେ ଧ୍ୟାନ କେନ୍ଦ୍ରିତ କରି ଦେଶର ହିତରେ କାମ କରିବା ଉଚିତ ବୋଲି ସେ କହିଥିଲେ।
ବୈଠକରେ ପ୍ରଧାନମନ୍ତ୍ରୀ ନିଜର ସାର୍ବଜନୀନ ଜୀବନର ଅଭିଜ୍ଞତା ସାଂସଦମାନଙ୍କ ସହ ବାଣ୍ଟିଥିଲେ। ସଂସଦର କାର୍ଯ୍ୟକଳାପକୁ ଗମ୍ଭୀରତାର ସହ ନେବା ସହ ବିରୋଧୀ ଦଳର ସାଂସଦମାନଙ୍କଠାରୁ ମଧ୍ୟ ଶିଖିବାକୁ ସେ ପରାମର୍ଶ ଦେଇଥିଲେ।
ନୂଆ ସାଂସଦମାନେ ପ୍ରତିଦିନ ଅତିକମରେ ଏକରୁ ଦୁଇ ଘଣ୍ଟା ସଂସଦ ପୁସ୍ତକାଳୟରେ ଅଧ୍ୟୟନ କରିବା ଉଚିତ ବୋଲି ମୋଦି କହିଥିଲେ। ଏଥିସହ ଦିଲ୍ଲୀର ରାଜନୈତିକ ପରିବେଶରେ ଅତ୍ୟଧିକ ଜଡ଼ିତ ନ ହୋଇ ନିଜ ନିର୍ବାଚନମଣ୍ଡଳୀ ଓ କର୍ମକର୍ତ୍ତାମାନଙ୍କ ସହ ଯୋଗାଯୋଗ ରଖିବାକୁ ସେ ପରାମର୍ଶ ଦେଇଥିଲେ।
ଯୁବବର୍ଗଙ୍କ ସହ ନିୟମିତ ଆଲୋଚନା ବଢ଼ାଇବା ସହ ସାଂସଦ ସ୍ଥାନୀୟ କ୍ଷେତ୍ର ବିକାଶ ଯୋଜନା (MPLADS) ଅଧୀନରେ ଯୁବକ ଓ କ୍ରୀଡ଼ା ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ଅଧିକ ପ୍ରୋତ୍ସାହନ ଦେବା ଦିଗରେ ଧ୍ୟାନ ଦେବାକୁ ମୋଦି କହିଥିଲେ।
ଏହାସହ ନୂଆ ଏନ୍ଡିଏ ସାଂସଦମାନଙ୍କୁ ନିଜ ଲେଟରହେଡ୍ର ଅପବ୍ୟବହାର ନେଇ ସତର୍କ ରହିବାକୁ ଏବଂ ଫୋନ୍ରେ ସାଧାରଣ ଲୋକଙ୍କ ସହ ରୂକ୍ଷ ବ୍ୟବହାର ନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।
ସଂସଦ ଅଧିବେଶନ ସମୟରେ ନୂଆ ସାଂସଦମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏଭଳି ବୈଠକ ଗତ କେତେକ ବର୍ଷ ଧରି ଚାଲିଆସୁଥିବା ପରମ୍ପରାର ଏକ ଅଂଶ। ଏହା ମାଧ୍ୟମରେ ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିବାର ସୁଯୋଗ ପାଇଥାନ୍ତି।