ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତିରେ ଶେଖ ହାସିନାଙ୍କ ବଡ଼ ବୟାନ: ‘ବାଂଲାଦେଶ ଆଉ ସେହି ଦେଶ ନୁହେଁ’
1 min read

ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତିରେ ଶେଖ ହାସିନାଙ୍କ ବଡ଼ ବୟାନ: ‘ବାଂଲାଦେଶ ଆଉ ସେହି ଦେଶ ନୁହେଁ’

ଢାକା, ୫/୮: ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ନିର୍ବାସନ ପରେ ପ୍ରଥମ ଥର ପାଇଁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଉଦ୍‌ବୋଧନ ଦେଇ ହାସିନା କହିଛନ୍ତି ଯେ, ବର୍ତ୍ତମାନର ବାଂଲାଦେଶ ସେହି ଦେଶ ନୁହେଁ, ଯାହା ପାଇଁ ୧୯୭୧ରେ ୩୦ ଲକ୍ଷ ଲୋକ ବଳିଦାନ ଦେଇଥିଲେ।

ଭାଷଣ ସମୟରେ ଭାବବିହ୍ୱଳ ହୋଇ ଶେଖ ହାସିନା ଗତ ଦୁଇ ବର୍ଷ ଧରି ବାଂଲାଦେଶରେ ଅରାଜକତା ଚାଲିଥିବା ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ତାଙ୍କ ଜୀବନ ବାଂଲାଦେଶବାସୀଙ୍କ ସେବାରେ ବିତିଛି। ପରିସ୍ଥିତି ତାଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ କରିଥିଲେ ମଧ୍ୟ ସେ କେବେ ନିଜ ଦେଶବାସୀଙ୍କଠାରୁ ଦୂରେଇ ଯାଇନାହାନ୍ତି ବୋଲି କହିଥିଲେ।

ଜୁଲାଇ-ଅଗଷ୍ଟ ୨୦୨୪ର ଆନ୍ଦୋଳନ ସମ୍ପର୍କରେ ହାସିନା କହିଥିଲେ ଯେ, ଏହା କେବଳ ଏକ ଶାନ୍ତିପୂର୍ଣ୍ଣ ଛାତ୍ର ଆନ୍ଦୋଳନ ନଥିଲା। ତାଙ୍କ ସରକାର ଆଲୋଚନା, ଆଇନଗତ ପ୍ରକ୍ରିୟା ଓ ଧୈର୍ଯ୍ୟର ସହ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିଥିବା ସେ ଦାବି କରିଥିଲେ। ତେବେ କିଛି ସଂଗଠିତ ଗୋଷ୍ଠୀ ସଂସ୍କାର ଦାବିର ଆଳରେ ଛାତ୍ର ଆନ୍ଦୋଳନକୁ ହିଂସାତ୍ମକ ରାଜନୈତିକ ଅସ୍ତ୍ରରେ ପରିଣତ କରିଥିବା ନେଇ ସେ ଅଭିଯୋଗ କରିଥିଲେ।

ହାସିନାଙ୍କ ଉଦ୍‌ବୋଧନ ପୂର୍ବରୁ ନିର୍ବାସନରେ ଥିବା ଆୱାମୀ ଲିଗ୍‌ର ନେତାମାନେ ମଧ୍ୟ ମହମ୍ମଦ ୟୁନୁସଙ୍କୁ କଡ଼ା ସମାଲୋଚନା କରିଥିଲେ। ପୂର୍ବତନ ସରକାରର ମନ୍ତ୍ରୀ ମୋହିବୁଲ ହାସାନ ଚୌଧୁରୀ ନୌଫେଲ କହିଥିଲେ ଯେ, ଆୱାମୀ ଲିଗ୍‌ ପ୍ରତିଶୋଧ ନୁହେଁ, ନ୍ୟାୟ ଚାହୁଁଛି।

ସେ ଆନ୍ତର୍ଜାତିକ ସମୁଦାୟଙ୍କୁ ବାଂଲାଦେଶରେ ଧାର୍ମିକ କଟ୍ଟରବାଦକୁ ପ୍ରୋତ୍ସାହନ ନ ଦେବାକୁ ଅନୁରୋଧ କରିବା ସହ ବାଂଲାଦେଶ ଏକ ବିଫଳ ରାଷ୍ଟ୍ରରେ ପରିଣତ ନ ହେବା ପାଇଁ ଆହ୍ୱାନ ଜଣାଇଥିଲେ। ଏଥିସହ ନିଜ ଦେଶକୁ ଫେରିବା ଏବଂ ବାଂଲାଦେଶବାସୀ ଶାନ୍ତି ଓ ସମୃଦ୍ଧି ପାଇବାକୁ ହକ୍‌ଦାର ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *