ଅସ୍ତରଙ୍ଗ, ୦୫/୦୮: ବନ୍ୟା ପାଣି ଓହରିଛି, କିନ୍ତୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଚାଷୀଙ୍କ ଆଖିରୁ ପାଣି ଶୁଖୁନି। କାରଣ ଜମିରେ ଧାନ ବୁଣିବାକୁ ଯାଇ ସେମାନେ ଏବେ ନକଲି ସାର ଓ କଳାବଜାରର କବଳରେ ପଡିଛନ୍ତି।
ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଗତ କିଛି ଦିନର ପ୍ରବଳ ବର୍ଷାରେ ଅନେକ ଚାଷ ଜମି ବୁଡି ରହିଥିଲା ଏହା ଶହ ବନ୍ୟା । ଏବେ ପାଣି ଓହରିବା ପରେ ଖରିଫ ଚାଷ ଆରମ୍ଭ ହୋଇଛି। ଏହି ସମୟରେ ଚାଷୀଙ୍କୁ ସବୁଠୁ ଅଧିକ ଆବଶ୍ୟକ ୟୁରିଆ, ଡିଏପି, ପଟାସ ଓ ଗ୍ରୋମର। କିନ୍ତୁ ସରକାରୀ ପ୍ୟାକ୍ସରେ ସାର ନଥିବାରୁ ବଜାରରେ ଲୁଟ୍ ଆରମ୍ଭ ହୋଇଯାଇଛି।
ଅଭିଯୋଗ ଅନୁଯାୟୀ, ଅସ୍ତରଙ୍ଗ ବ୍ଲକର କିଛି ସାର ବ୍ୟବସାୟୀ ସିଧା ଛତିଶଗଡ଼ରୁ ମାଫିଆ ମାଧ୍ୟମରେ ନକଲି ଓ ନିମ୍ନମାନର ସାର ଆଣୁଛନ୍ତି। ସେହି ସାରକୁ ସେମାନେ ଦୁଇ ଗୁଣା ଦରରେ ବିକ୍ରି କରୁଛନ୍ତି।
ୟୁରିଆ ସରକାରୀ ଦର ୨୬୬ ଟଙ୍କା, କଳାବଜାର ୫୦୦ରୁ ୧୦୦୦ ଟଙ୍କା,ଡିଏପି ସରକାରୀ ଦର ୧୩୫୦ ଟଙ୍କା, କଳାବଜାର ୧୮୦୦ ରୁ ୨୦୦୦ ଟଙ୍କା ,ପଟାସ ସରକାରୀ ଦର ୧୭୦୦ ଟଙ୍କା, କଳାବଜାର ୨୦୦୦ରୁ ଉର୍ଦ୍ଧ।
ପୋଟଳ ଛକ, ଶିଶୁଅ, ବେଳଙ୍ଗ, କେନ୍ଦ୍ରାପଟି, ଆଳସାହି, ଅସ୍ତରଙ୍ଗ, ନଗର, ଆଳଙ୍ଗପୁର, ଝାଡଲିଙ୍ଗ, ନୂଆଗଡ, ତାଳଦା ଭଳି ଅଞ୍ଚଳରେ ଏହି କଳାବଜାର ରାଜ୍ ଚାଲିଛି।ଚଳିତ ଖରିଫରେ ଅସ୍ତରଙ୍ଗ ବ୍ଲକର ୧୫ଟି ପଞ୍ଚାୟତରେ ପ୍ରାୟ ୬ ହଜାର ୫ଶହ ହେକ୍ଟର ଧାନ ଚାଷ ଲକ୍ଷ୍ୟ ରହିଛି। କିନ୍ତୁ ବ୍ଲକ ଅଧୀନ ପ୍ୟାକ୍ସରେ ସାର ନଥିବାରୁ ଅଧିକାଂଶ ଚାଷୀ ବାଧ୍ୟ ହୋଇ ଅଣସ୍ୱୀକୃତି ପ୍ରାପ୍ତ ଡିଲରଙ୍କ ପାଖକୁ ଯାଉଛନ୍ତି।
ଏ ନେଇ କୃଷି ବିଭାଗକୁ ଜଣାଇବାରୁ ଅଧିକାରିଣୀ କହିଛନ୍ତି ସହକାରୀ କୃଷି ଅଧିକାରୀ ନାହାନ୍ତି “ଆମେ କାକଟପୁର ରେ କାର୍ଯ୍ୟରତ ଅଧିକାରୀ ଙ୍କ ଉପରେ ନିର୍ଭର କରୁ। ଖୁବ ଶୀଘ୍ର ଯାଞ୍ଚ କରିବୁ।”
ସ୍ଥାନୀୟ ଚାଷୀମାନେ ଦାବୀ କରିଛନ୍ତି ଯେ ତୁରନ୍ତ ସ୍ୱତନ୍ତ୍ର ଟିମ୍ ଗଠନ କରି ବ୍ଲକର ସମସ୍ତ ସାର ଦୋକାନରେ ଚଢାଉ କରାଯାଉ। ନକଲି ସାର ଯୋଗାଣ କରୁଥିବା ବ୍ୟବସାୟୀ ଓ ସେମାନଙ୍କୁ ସହଯୋଗ କରୁଥିବା ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ।
ଜଣେ ଚାଷୀଙ୍କ କହିବା ଅନୁଯାୟୀ “ବନ୍ୟାରେ ଫସଲ ନଷ୍ଟ ହେଲା, ଏବେ ସାର କିଣିବାକୁ ଯାଇ ଡବଲ୍ ଟଙ୍କା ଦେବାକୁ ପଡୁଛି। ସରକାର ଆମକୁ ବଞ୍ଚାଇବେ ନା ବ୍ୟବସାୟୀ ମାରିବେ?”
ଯେଉଁ ସମୟରେ ଚାଷୀଙ୍କୁ ସରକାରୀ ସହାୟତା ଦରକାର, ସେହି ସମୟରେ ସାର ମାଫିଆ ସକ୍ରିୟ ହୋଇଛନ୍ତି। ପ୍ୟାକ୍ସରେ ସାର ଯୋଗାଣ ବୃଦ୍ଧି ନକଲେ ଏହି କଳାବଜାର ବନ୍ଦ ହେବନି। ନଚେତ ଚଳିତ ଖରିଫରେ ୬ ହଜାର ହେକ୍ଟର ଧାନ ଚାଷ କେବଳ କାଗଜରେ ରହିଯିବ।