କମିଶନ ରିପୋର୍ଟ ଫାଇଲ୍ ଗାଏବ ମାମଲା: ପୂର୍ବତନ CMO କର୍ମଚାରୀଙ୍କୁ ୪ ଘଣ୍ଟା ଜେରା

ଭୁବନେଶ୍ୱର, ୫।୮: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନଙ୍କ ରିପୋର୍ଟ ଗାଏବ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଏହି ମାମଲାରେ CMOର ପୂର୍ବତନ ଡେସ୍କ ଅଫିସର ବି.ଏନ୍. ମହାରଣାଙ୍କୁ ପ୍ରାୟ ୪ ଘଣ୍ଟା ଧରି ଜେରା କରାଯାଇଥିବା ଜଣାପଡ଼ିଛି।

କ୍ରାଇମବ୍ରାଞ୍ଚ ଡିଏସ୍‌ପି ଆଶୁତୋଷ ମିଶ୍ର ଅପରାହ୍ନ ପ୍ରାୟ ୪ଟାରେ ଶ୍ରୀ ମହାରଣାଙ୍କ ବାସଭବନରେ ପହଞ୍ଚି ଫାଇଲ୍‌ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିବା ସୂଚନା ମିଳିଛି। ବିଶେଷକରି ଜଷ୍ଟିସ୍ ନାଇଡୁ କମିଶନଙ୍କ ରିପୋର୍ଟ CMOରେ ପହଞ୍ଚିବା ପରେ ଏହାର ଗତିବିଧି କ’ଣ ଥିଲା, କେଉଁ ଅଧିକାରୀଙ୍କ ନିକଟକୁ ଫାଇଲ୍ ଯାଉଥିଲା ଏବଂ ଫାଇଲ୍ ମୁଭମେଣ୍ଟ ସମ୍ପର୍କରେ କିଏ ନିଷ୍ପତ୍ତି ନେଉଥିଲେ—ସେସବୁ ଦିଗରେ ତଦନ୍ତ କରାଯାଇଥିବା କୁହାଯାଇଛି।

ସରକାରୀ ରେକର୍ଡ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ

କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି ଯେ, ତରବରିଆ ଭାବେ କାହାକୁ ସମନ୍ କିମ୍ବା ନୋଟିସ୍ ଜାରି କରାଯାଉନାହିଁ। ମାମଲାର ପ୍ରତ୍ୟେକ ଦିଗକୁ ଯାଞ୍ଚ କରାଯାଉଛି। ଫାଇଲ୍‌ଟି କିପରି ଓ କେଉଁ ପରିସ୍ଥିତିରେ ଗାଏବ ହେଲା, ତାହା ଜାଣିବା ପାଇଁ ଫାଇଲ୍‌ର ସମ୍ପୂର୍ଣ୍ଣ ମୁଭମେଣ୍ଟ ଟ୍ରାକ୍ କରାଯାଉଛି।

ଏଥିପାଇଁ ଗୃହ ବିଭାଗ, ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ଓ CMOକୁ ନୋଡାଲ ଅଫିସର ନିଯୁକ୍ତ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଚିଠି ଲେଖାଯାଇଛି। ସମସ୍ତ ଆବଶ୍ୟକୀୟ ସରକାରୀ ରେକର୍ଡ ଓ ତଥ୍ୟ ମିଳିବା ପରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ଭୂମିକା ଆଧାରରେ ନୋଟିସ୍ ଜାରି କରାଯିବ ବୋଲି କୁହାଯାଇଛି।

କାହିଁକି ଗୁରୁତ୍ୱପୂର୍ଣ୍ଣ ନାଇଡୁ କମିଶନ ରିପୋର୍ଟ?

ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନ ଭିଏଚ୍‌ପି ନେତା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୨୦୦୮ ମସିହାର ହତ୍ୟା ଏବଂ ଏହା ପରବର୍ତ୍ତୀ କନ୍ଧମାଳ ହିଂସା ଘଟଣାର ତଦନ୍ତ କରିଥିଲେ। କମିଶନଙ୍କ ରିପୋର୍ଟ ଦୀର୍ଘ ସମୟ ଧରି ସରକାରୀ ରେକର୍ଡରେ ରହିଥିଲା। ତେବେ ୨୦୨୪ରେ ସରକାର ପରିବର୍ତ୍ତନ ପରେ ଏହି ରିପୋର୍ଟ CMOରୁ ଗୃହ ବିଭାଗକୁ ଫେରିନଥିବା ଜଣାପଡ଼ିବା ପରେ ମାମଲା ସାମ୍ନାକୁ ଆସିଥିଲା।

ଜୁନ୍ ୨୦୨୬ରେ ଏନେଇ କ୍ୟାପିଟାଲ୍ ଥାନାରେ ଏଫ୍‌ଆଇଆର୍ ରୁଜୁ ହୋଇଥିଲା। ପରେ ଜୁଲାଇ ୨୭ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାମଲାଟିକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ।

Leave A Reply

Your email address will not be published.