ଫର୍ଚ୍ୟୁନ୍‌ର ପ୍ରଭାବଶାଳୀ ମହିଳା ତାଲିକାରେ ନୀତା ଅମ୍ବାନୀ ନମ୍ବର-୧, ଜାଣନ୍ତୁ କାହିଁକି ମିଳିଲା ଏହି ସ୍ଥାନ

ମୁମ୍ବାଇ: ଫର୍ଚ୍ୟୁନ୍‌ ଇଣ୍ଡିଆର ‘ମୋଷ୍ଟ ପାୱାରଫୁଲ୍ ଓମେନ୍ ୨୦୨୬’ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ନୀତା ଏମ୍. ଅମ୍ବାନୀ। ନେତୃତ୍ୱ, ସାମାଜିକ ପ୍ରଭାବ ଏବଂ ରିଲାଏନ୍ସ ଫାଉଣ୍ଡେସନ୍‌ ମାଧ୍ୟମରେ ଜନକଲ୍ୟାଣ କ୍ଷେତ୍ରରେ ତାଙ୍କ ଅବଦାନକୁ ଆଧାର କରି ତାଙ୍କୁ ଏହି ସ୍ଥାନ ମିଳିଛି। ରିଲାଏନ୍ସ ଫାଉଣ୍ଡେସନ୍‌ର ବିଭିନ୍ନ ପଦକ୍ଷେପ ମାଧ୍ୟମରେ କୋଟି କୋଟି ଲୋକ ଉପକୃତ ହୋଇଥିବା ଫର୍ଚ୍ୟୁନ୍‌ ପକ୍ଷରୁ କୁହାଯାଇଛି।

ମୁମ୍ବାଇର ଫୋର୍ ସିଜନ୍ସ ହୋଟେଲରେ ଫର୍ଚ୍ୟୁନ୍‌ ଇଣ୍ଡିଆ ପକ୍ଷରୁ ‘ମୋଷ୍ଟ ପାୱାରଫୁଲ୍ ଓମେନ୍ ୨୦୨୬’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦେଶର ବ୍ୟବସାୟ, ଅର୍ଥନୀତି, ପ୍ରଯୁକ୍ତି, ସ୍ୱାସ୍ଥ୍ୟସେବା, ସାର୍ବଜନୀନ ନୀତି ଓ ଉଦ୍ୟମିତା କ୍ଷେତ୍ରର ଅନେକ ମହିଳା ଏଥିରେ ଯୋଗ ଦେଇଥିଲେ।

ଏହି ଅବସରରେ ୨୦୨୬ ବର୍ଷ ପାଇଁ ଫର୍ଚ୍ୟୁନ୍‌ ଇଣ୍ଡିଆର ପ୍ରଭାବଶାଳୀ ୧୦୦ ମହିଳାଙ୍କ ତାଲିକା ପ୍ରକାଶ ପାଇଥିଲା। ଭାରତର ଅର୍ଥନୀତି ଓ ବ୍ୟବସାୟ କ୍ଷେତ୍ରକୁ ନୂଆ ଦିଗ ଦେଉଥିବା ମହିଳାମାନଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି।

ଝିଅଙ୍କ ଉପରେ ନିବେଶକୁ ଗୁରୁତ୍ୱ

କାର୍ଯ୍ୟକ୍ରମରେ ନୀତା ଅମ୍ବାନୀ ନେତୃତ୍ୱର ଅର୍ଥକୁ ଆହୁରି ବ୍ୟାପକ କରିବା ଉପରେ ଜୋର ଦେଇଥିଲେ। ଦୟା, ସମାବେଶୀ ବିକାଶ ଓ ସମସ୍ତଙ୍କ ପାଇଁ ସୁଯୋଗ ସୃଷ୍ଟି ନେତୃତ୍ୱର ଅଂଶ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଏଥିସହ ଝିଅମାନଙ୍କ ଶିକ୍ଷା ଓ ବିକାଶରେ ନିବେଶ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ସେ ମତ ରଖିଥିଲେ।

ଏଆଇ ଓ ପ୍ରଯୁକ୍ତି ପରିବର୍ତ୍ତନ ଉପରେ ଚର୍ଚ୍ଚା

କାର୍ଯ୍ୟକ୍ରମର ବିଭିନ୍ନ ଅଧିବେଶନରେ କୃତ୍ରିମ ବୁଦ୍ଧିମତ୍ତା, ଆର୍ଥିକ ସଶକ୍ତୀକରଣ, ଉଦ୍ୟମିତା, ମହିଳା ସଶକ୍ତୀକରଣ, ଦେଶ ଗଠନ ଓ ଭବିଷ୍ୟତ ନେତୃତ୍ୱ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

ବ୍ୟବସାୟିକ ନେତୃବୃନ୍ଦଙ୍କ ମତରେ, ଏଆଇ ଓ ଦ୍ରୁତ ପ୍ରଯୁକ୍ତିଗତ ପରିବର୍ତ୍ତନ ଶିଳ୍ପ ଜଗତର ଚିତ୍ର ବଦଳାଉଥିଲେ ମଧ୍ୟ ଭବିଷ୍ୟତ ନେତୃତ୍ୱ ପାଇଁ ମାନବୀୟ ବିଚାର, ଗ୍ରାହକଙ୍କ ଆବଶ୍ୟକତା ବୁଝିବା, ଜଟିଳ ପରିସ୍ଥିତିର ସମାଧାନ ଓ ନୂଆ କିଛି ଶିଖିବାର ଆଗ୍ରହ ଗୁରୁତ୍ୱପୂର୍ଣ୍ଣ ରହିବ।

ଆର୍ଥିକ ସଶକ୍ତୀକରଣ ଉପରେ ଗୁରୁତ୍ୱ

ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ନେଇ ମଧ୍ୟ କାର୍ଯ୍ୟକ୍ରମରେ ବିସ୍ତୃତ ଆଲୋଚନା ହୋଇଥିଲା। କେବଳ ଆର୍ଥିକ ସେବା ପାଇବାର ସୁଯୋଗ ନୁହେଁ, ମହିଳାମାନେ ସମ୍ପତ୍ତି ସୃଷ୍ଟି ଓ ଆର୍ଥିକ ନିଷ୍ପତ୍ତି ନେବାରେ ଅଧିକ ସକ୍ଷମ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।

ଏହା ସହ ବିକଶିତ ଭାରତର ଲକ୍ଷ୍ୟ ପୂରଣ ପାଇଁ ସମାବେଶୀ କର୍ମସ୍ଥଳୀ, ସ୍ୱାସ୍ଥ୍ୟସେବା, ପୁଷ୍ଟିକର ଖାଦ୍ୟ ଓ ଦୀର୍ଘସ୍ଥାୟୀ ବ୍ୟବସାୟିକ ବ୍ରାଣ୍ଡ୍‌ର ଭୂମିକା ଉପରେ ମଧ୍ୟ ବିଶେଷଜ୍ଞମାନେ ମତ ରଖିଥିଲେ।

ନେତୃତ୍ୱ ଓ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ଅବଦାନ ରଖୁଥିବା ମହିଳାଙ୍କୁ ସମ୍ମାନିତ କରିବା ଦିଗରେ ‘ମୋଷ୍ଟ ପାୱାରଫୁଲ୍ ଓମେନ୍ ୨୦୨୬’ ମଞ୍ଚ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ଉଭା ହୋଇଛି।

Leave A Reply

Your email address will not be published.