ରାଜ୍ୟରେ ସକ୍ରିୟ ମୌସୁମୀ ପୁଣି ଆରମ୍ଭ ହେଲା ବର୍ଷା; ଆସନ୍ତା ୪ ଦିନ ଯାଏଁ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ନେଇ ସତର୍କତା ଜାରି
ଭୁବନେଶ୍ୱର: ରାଜ୍ୟରେ ପୁଣିଥରେ ସକ୍ରିୟ ହୋଇଉଠିଛି ମୌସୁମୀ ବାୟୁ। ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଥିବାବେଳେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ନେଇ ବିଶେଷ ସତର୍କତା ଜାରି କରାଯାଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସକ୍ରିୟ ମୌସୁମୀ ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ଏହି ପ୍ରବାହ ଜାରି ରହିବ। ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିବ। ଘଡ଼ଘଡ଼ି ସମୟରେ ସାଧାରଣ ଜନତାଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଜି ରାଜ୍ୟର ୨୩ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଥିବାବେଳେ ଆସନ୍ତାକାଲି ଏହି ସଂଖ୍ୟା ବୃଦ୍ଧି ପାଇ ୨୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷାର ପରିମାଣ ବୃଦ୍ଧି ପାଇବା ଆଶଙ୍କା ରହିଥିବାରୁ କୃଷକ ଓ ସାଧାରଣ ଜନସାଧାରଣଙ୍କୁ ସତର୍କ ରହିବାକୁ କୁହାଯାଇଛି।
⚠️ ପ୍ରବଳ ବର୍ଷା ଚେତାବନୀ: ଆଜି ଏବଂ ଆଗାମୀ କାଲି ମଧ୍ୟରେ ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ସ୍ୱତନ୍ତ୍ର ସତର୍କତା ଜାରି କରାଯାଇଛି।
