ପିଇବା ପାଣି ପାଇଁ ରାସ୍ତା ରୋକ କଲେ ମହିଳା
ଗୋପ (ପିପିଏସ ): ରାଜ୍ୟ ସରକାର ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ପାଇଁ ବଡ଼ ବଡ଼ ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ କିଛି ଅଲଗା ବୟାନ କରୁଛି। ପିଇବା ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ଶେଷରେ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ। ପୁରୀ ଜିଲ୍ଲା ନିମାପଡ଼ାରୁ ଆସିଛି ଏଭଳି ଏକ ଚିନ୍ତାଜନକ ଖବର। ପିଇବା ପାଣି ସମସ୍ୟାକୁ ନେଇ ରଣକ୍ଷେତ୍ର ପାଲଟିଲା ମୁଖ୍ୟ ରାସ୍ତା। ପ୍ରାୟ ଦୁଇ ଘଣ୍ଟା ଧରି ନିମାପଡ଼ା–ବାମନାଳ ମୁଖ୍ୟ ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇଲେ ଶତାଧିକ ମହିଳା ଓ ପୁରୁଷ। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ସଲଙ୍ଗ ପଞ୍ଚାୟତର ଜଅଁରା ଗ୍ରାମରେ। ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା, ଯାହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଜଅଁରା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘଦିନ ଧରି ଗାଁକୁ ନିୟମିତ ଭାବେ ପିଇବା ପାଣି ଯୋଗାଇ ଦିଆଯାଉ ନାହିଁ। ଏନେଇ ବାରମ୍ବାର ସମ୍ପୃକ୍ତ ବିଭାଗ ଓ ଅଧିକାରୀଙ୍କୁ ଗୁହାରି କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ। ବାଧ୍ୟ ହୋଇ ଗ୍ରାମବାସୀ ପୋଖରୀରୁ ଅସ୍ୱାସ୍ଥ୍ୟକର ପାଣି ଆଣି, ତାକୁ ଫୁଟାଇ ବ୍ୟବହାର କରୁଥିଲେ। ମାତ୍ର ବର୍ତ୍ତମାନ ବର୍ଷା ଯୋଗୁଁ ପୋଖରୀରେ ନର୍ଦ୍ଦମା ପାଣି ମିଶିଯାଇଛି। ଫଳରେ ସେହି ପାଣି ମଧ୍ୟ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ଦୂଷିତ ଜଳ ଯୋଗୁଁ ଗାଁରେ ଜଳବାହିତ ରୋଗ ବ୍ୟାପିବାର ଭୟ ଲୋକଙ୍କୁ ଆନ୍ଦୋଳନ ପାଇଁ ବାଧ୍ୟ କରିଛି।ଘଟଣାର ଖବର ପାଇ ନିମାପଡ଼ା ପୋଲିସ ଓ ସ୍ଥାନୀୟ ଜନପ୍ରତିନିଧି ତଥା ସମ୍ପୃକ୍ତ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ, ଆସନ୍ତା ଦୁଇ ଦିନ ମଧ୍ୟରେ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେଇଛି। ଏହି ପ୍ରତିଶ୍ରୁତି ପରେ ଗ୍ରାମବାସୀ ରାସ୍ତା ଅବରୋଧ ପ୍ରତ୍ୟାହାର କରିଛନ୍ତି।ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ତ ହଟିଛି, କିନ୍ତୁ ଗ୍ରାମବାସୀ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ୟାର ସ୍ଥାୟୀ ସମାଧାନ ନହୁଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ରୂପ ଧାରଣ କରିବ। ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛି ନା ଲୋକେ ପୁଣିଥରେ ରାସ୍ତାକୁ ଓହ୍ଲାଉଛନ୍ତି।
