ଔଷଧ ଦରରେ ମନମାନି ଶେଷ; ଏଣିକି ପ୍ରତି ଦୋକାନରେ ଲାଗିବ ଦର ତାଲିକା
ଭୁବନେଶ୍ୱର,15 July(PPS): ରାଜ୍ୟରେ ଔଷଧ ବିକ୍ରି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଣିକି ପ୍ରତ୍ୟେକ ଔଷଧ ଦୋକାନ ସମ୍ମୁଖରେ ଔଷଧର ନିର୍ଦ୍ଧାରିତ ଦର ତାଲିକା ପ୍ରଦର୍ଶନ କରିବା ବାଧ୍ୟତାମୂଳକ ହେବ।
କେନ୍ଦ୍ର ସରକାର ୩୯ଟି ଜରୁରୀ ଔଷଧର ଦର ନିର୍ଦ୍ଧାରଣ କରିବା ପରେ ରାଜ୍ୟ ସରକାର ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇଛନ୍ତି। ଏହା ଫଳରେ ଔଷଧ ଦୋକାନୀମାନେ ଆଉ ଇଚ୍ଛାମତେ ଦର ନେଇପାରିବେ ନାହିଁ ଏବଂ ସମସ୍ତ ଦୋକାନରେ ଏକେ ଔଷଧର ଦର ସମାନ ରହିବ।
ଏହି ବ୍ୟବସ୍ଥା ଦ୍ୱାରା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଔଷଧ କିଣିବା ବେଳେ ଅଧିକ ଟଙ୍କା ଦେବାର ଆଶଙ୍କାରୁ ମୁକ୍ତି ପାଇବେ। ରାଜ୍ୟର ଯେକୌଣସି ସ୍ଥାନରୁ ଧାର୍ଯ୍ୟ ହୋଇଥିବା ଏହି ଔଷଧ କିଣିଲେ ସମାନ ମୂଲ୍ୟ ଦେବାକୁ ପଡ଼ିବ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ତାଲିକାକୁ ରାଜ୍ୟର ସମସ୍ତ ଔଷଧ ଦୋକାନରେ ପ୍ରଦର୍ଶନ କରାଯିବ। ଏଥିରେ ବିଶେଷକରି ରକ୍ତଚାପ, ମଧୁମେହ, ହୃଦରୋଗ ସମେତ ବିଭିନ୍ନ ରୋଗର ୩୯ଟି ଅତ୍ୟାବଶ୍ୟକ ଔଷଧ ସାମିଲ ରହିଛି।
ସରକାରଙ୍କ ଏହି ପଦକ୍ଷେପ ଔଷଧ ବିକ୍ରିରେ ସ୍ୱଚ୍ଛତା ବଢ଼ାଇବା ସହ ରୋଗୀଙ୍କ ସ୍ୱାର୍ଥ ସୁରକ୍ଷା କରିବ ବୋଲି ଆଶା କରାଯାଉଛି।
