ଲଘୁଚାପ ପ୍ରଭାବ:୨୦ ଜିଲ୍ଲାକୁ ସତର୍କତା, ୩ ଦିନ ପ୍ରବଳ ବର୍ଷା

0
Gemini_Generated_Image_cgwhlccgwhlccgwh

ଭୁବନେଶ୍ୱର, ୧୫ ଜୁଲାଇ (ଉଦୟନାଥ): ଉତ୍ତର ବଙ୍ଗୋପସାଗର ଓ ଦକ୍ଷିଣ ବାଂଲାଦେଶ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବ ଯୋଗୁଁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ତିନି ଦିନ ଧରି ଉତ୍ତର ଓଡ଼ିଶା ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରକୋପ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ବୁଧବାର ଓ ଗୁରୁବାର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଶୁକ୍ରବାର ମଧ୍ୟ ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବାର ଆଶଙ୍କା ରହିଛି। ଏହାଛଡ଼ା ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମଧ୍ୟ ଭାରି ବର୍ଷା ହେବାର ସମ୍ଭାବନା ଥିବାରୁ ମୋଟ ୨୦ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ସମୁଦ୍ରରେ ପାଗ ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୧୮ ଜୁଲାଇ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ମଙ୍ଗଳବାର ସକାଳଠାରୁ ଘୂର୍ଣ୍ଣିବଳୟର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାର ଅନେକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଭଦ୍ରକରେ ସର୍ବାଧିକ ୯୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ କେନ୍ଦ୍ରାପଡ଼ା ଓ ଯାଜପୁରରେ ୩୬ ମିଲିମିଟର ଲେଖାଏଁ ବର୍ଷା ହୋଇଛି। ବାରିପଦାରେ ୩୬.୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବାଲେଶ୍ୱର, ଚାନ୍ଦବାଲି, ପାରାଦୀପ, କଟକ, ଭୁବନେଶ୍ୱର, ସୁନ୍ଦରଗଡ଼ ଓ କେନ୍ଦୁଝର ସମେତ ବିଭିନ୍ନ ଅଞ୍ଚଳରେ ମଧ୍ୟ ବର୍ଷା ଜାରି ରହିଛି।

ଆଗାମୀ ୨୪ ଘଣ୍ଟା ପାଇଁ ଜଗତସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ସେଠାରେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଢେଙ୍କାନାଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହାବ୍ୟତୀତ ବାଲେଶ୍ୱର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ମୟୂରଭଞ୍ଜ, ବୌଦ୍ଧ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *