ପହଲଗାମ ଆତଙ୍କ ମାମଲା: ହାଫିଜ୍ ସଇଦଙ୍କ ବିରୋଧରେ ଏନ୍‌ଆଇଏର ବଡ଼ ଆକ୍ସନ

0
Gemini_Generated_Image_tmick2tmick2tmic

ନୂଆଦିଲ୍ଲୀ, ୧୫ ଜୁଲାଇ(ଉଦୟ): ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାର ତଦନ୍ତରେ ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ)କୁ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ସଫଳତା ମିଳିଛି। ଜମ୍ମୁସ୍ଥିତ ସ୍ୱତନ୍ତ୍ର ଏନ୍‌ଆଇଏ ଅଦାଲତ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ମୁଖ୍ୟ ହାଫିଜ୍ ସଇଦଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ) ଜାରି କରିଛନ୍ତି। ଏନ୍‌ଆଇଏ ପକ୍ଷରୁ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ ହେବାର ଦୁଇ ଦିନ ପରେ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସୂତ୍ର ଅନୁଯାୟୀ, ସ୍ୱତନ୍ତ୍ର ଏନ୍‌ଆଇଏ ଅଦାଲତର ବିଚାରପତି ଗତ ୮ ଜୁଲାଇରେ ଏହି ପରୱାନା ଜାରି କରିଥିଲେ। ପହଲଗାମ ଆକ୍ରମଣ ପଛରେ ଥିବା ଷଡ଼ଯନ୍ତ୍ରରେ ହାଫିଜ୍ ସଇଦଙ୍କ ସମ୍ପୃକ୍ତିକୁ ନେଇ ଏନ୍‌ଆଇଏ ପକ୍ଷରୁ ବ୍ୟାପକ ତଦନ୍ତ ଚାଲିଥିବାବେଳେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଏନ୍‌ଆଇଏ ଦାଖଲ କରିଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ରେ ୭୬ ବର୍ଷୀୟ ହାଫିଜ୍ ସଇଦଙ୍କ ସହ ପାକିସ୍ତାନ ଭିତ୍ତିକ ଲସ୍କର-ଏ-ତୈବା ଓ ଏହାର ପ୍ରକ୍ସି ସଂଗଠନ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆରଏଫ୍)କୁ ଏହି ମାମଲାର ପ୍ରମୁଖ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

ଅଦାଲତରେ ଏନଆଇଏ ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନର ପଞ୍ଜାବ ପ୍ରଦେଶର ସରଗୋଧାର ବାସିନ୍ଦା ହାଫିଜ୍ ସଇଦ ବର୍ତ୍ତମାନ ପଳାତକ ଅଛନ୍ତି ଏବଂ ସେ ଜାଣିଶୁଣି ଗିରଫଦାରୀକୁ ଏଡ଼ାଇ ଯାଉଛନ୍ତି। ତାଙ୍କୁ ଗିରଫ କରି ହାଜତରେ ଜେରା କରିବା ତଦନ୍ତ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ଏନଆଇଏ ଅଦାଲତଙ୍କୁ ଜଣାଇଥିଲା।ଅଦାଲତ ତାହାକୁ ଗ୍ରହଣ କରି ହାଫିଜ୍ ସଇଦଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି। ଏହି ପରୱାନାକୁ କାର୍ଯ୍ୟକାରୀ କରିବା ପାଇଁ NIA ଜମ୍ମୁର ଡେପୁଟି ଇନ୍ସପେକ୍ଟର ଜେନେରାଲ (DIG)ଙ୍କ ନିକଟକୁ ପଠାଯାଇଛି।

ତଦନ୍ତକାରୀ ସଂସ୍ଥା ହାଫିଜ୍ ସଇଦଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍)-୨୦୨୩ ଏବଂ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (ୟୁଏପିଏ)-୧୯୬୭ର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ପହଲଗାମ ଆକ୍ରମଣର ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ଓ ଏହା ପଛରେ ଥିବା ନେଟୱାର୍କର ପର୍ଦ୍ଦାଫାଶ କରିବାକୁ ଏନ୍‌ଆଇଏ ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ହାଫିଜ୍ ସଇଦଙ୍କୁ ଭାରତ ଓ ଆମେରିକା ସମେତ ବିଭିନ୍ନ ଦେଶ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି। ୨୦୦୮ ମସିହାରେ ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ଭାବେ ମଧ୍ୟ ତାଙ୍କୁ ବିବେଚନା କରାଯାଏ।

Leave a Reply

Your email address will not be published. Required fields are marked *