ନୂଆଦିଲ୍ଲୀ, ୧୦ ଜୁଲାଇ: ବଲିଉଡ୍ର ଜଣାଶୁଣା ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କ ଅସୁବିଧା ପୁଣି ଥରେ ବଢ଼ିଯାଇଛି। ଚେକ୍-ବାଉନ୍ସ ମାମଲାରେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର (୧୦ ଜୁଲାଇ) ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ତାଙ୍କୁ ୩ ମାସର ସରଳ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ କୋର୍ଟ ତାଙ୍କ ଉପରେ କୋଟି କୋଟି ଟଙ୍କାର ଭାରୀ ଜରିମାନା ମଧ୍ୟ ଲଗାଇଛନ୍ତି। ସାତଟି ଭିନ୍ନ ଭିନ୍ନ ଚେକ୍-ବାଉନ୍ସ ମାମଲାରେ ହାଇକୋର୍ଟ ରାଜପାଲଙ୍କୁ ଏହି ସଜା ଶୁଣାଇଥିବା ବେଳେ ସମସ୍ତ ଦଣ୍ଡାଦେଶ ଏକକାଳୀନ (Simultaneously) ଚାଲିବ, ଯାହାଦ୍ୱାରା ତାଙ୍କୁ ମୋଟ ୩ ମାସ ଜେଲ୍ରେ କାଟିବାକୁ ପଡ଼ିବ।
ରାଜପାଲଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ
ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାଜପାଲ ଯାଦବ ଦାଖଲ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟର ବିଚାରପତି ସ୍ୱର୍ଣ୍ଣ କାନ୍ତ ଶର୍ମାଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ବିଚାରପତି ଉଲ୍ଲେଖ କରିଛନ୍ତି ଯେ, କୋର୍ଟରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ଅଭିନେତାଙ୍କୁ ଅନେକ ସୁଯୋଗ ଦିଆଯାଇଥିଲା। ମାତ୍ର ବାରମ୍ବାର ସୁଯୋଗ ପାଇବା ସତ୍ତ୍ୱେ ସେ ନିଜର ପ୍ରତିଶ୍ରୁତି ପୂରଣ କରିବାରେ ଏବଂ ଅର୍ଥ ପରିଶୋଧ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।
୭ଟି ମାମଲାରେ ୭.୩୫ କୋଟିର ଜରିମାନା
କୋର୍ଟଙ୍କ କଡ଼ା ଆଭିମୁଖ୍ୟ ଯୋଗୁଁ ରାଜପାଲଙ୍କୁ ପ୍ରତ୍ୟେକ ମାମଲା ପିଛା ୧.୦୫ କୋଟି ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ସମସ୍ତ ସାତଟି ମାମଲାକୁ ମିଶାଇ ମୋଟ ଜରିମାନା ପରିମାଣ ୭.୩୫ କୋଟି ଟଙ୍କା ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରତ୍ୟେକ ମାମଲାରେ ଅଭିଯୋଗକାରୀଙ୍କୁ ୧ କୋଟି ୪ ଲକ୍ଷ ୭୫ ହଜାର ଟଙ୍କା ପ୍ରଦାନ କରାଯିବ ଏବଂ ବାକି ୨୫,୦୦୦ ଟଙ୍କା ରାଜ୍ୟ କୋଷାଗାରକୁ ଯିବ।
କେଉଁଠୁ ଆରମ୍ଭ ହୋଇଥିଲା ଏହି ବିବାଦ?
ଏହି ପୂରା ବିବାଦ ୨୦୧୦ ମସିହାରୁ ଆରମ୍ଭ ହୋଇଥିଲା, ଯେତେବେଳେ ରାଜପାଲ ଯାଦବ ‘ଅତା ପତା ଲାପତା’ ନାମକ ଏକ ସିନେମାର ନିର୍ଦ୍ଦେଶନା ଦେଉଥିଲେ। ଏହି ପ୍ରୋଜେକ୍ଟ ପାଇଁ ସେ ୫ କୋଟି ଟଙ୍କାର ଋଣ ନେଇଥିଲେ। ପରବର୍ତ୍ତୀ ସମୟରେ ସେ ଏହାକୁ ଏକ ନିବେଶ ବୋଲି ଦାବି କରିଥିଲେ ମଧ୍ୟ ସେ ଏହି ଅର୍ଥ ପରିଶୋଧ କରିପାରି ନଥିଲେ, ଯାହାଫଳରେ ସୁଧ ସହ ଏହି ବକେୟା ପରିମାଣ ବୃଦ୍ଧି ପାଇ ୯ କୋଟି ଟଙ୍କାରେ ପହଞ୍ଚିଥିଲା।
ଉଲ୍ଲେଖଯୋଗ୍ୟ ଯେ, ଏହି ମାମଲାରେ ଜଡ଼ିତ ହୋଇ ସେ ଚଳିତ ବର୍ଷ ୫ ଫେବୃଆରୀ ୨୦୬ରେ ଦିଲ୍ଲୀର ତିହାର ଜେଲରେ ଆତ୍ମସମର୍ପଣ କରିଥିଲେ। ସେହି ସମୟରେ ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ସମେତ ଅନେକ ସେଲିବ୍ରେଟି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। କିନ୍ତୁ ବର୍ତ୍ତମାନ ହାଇକୋର୍ଟଙ୍କ ନୂଆ ନିର୍ଦ୍ଦେଶ ପରେ ତାଙ୍କୁ ପୁଣି ଥରେ ଜେଲ୍ କାରାଦଣ୍ଡ ଭୋଗିବାକୁ ପଡ଼ିବ।













Leave a Reply