ନୂଆଦିଲ୍ଲୀ, ୧୦୲୭(ଉଦୟ): ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜର ସ୍ୱଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ଏକ ବଡ଼ ଓ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ବିଦେଶୀ ଗଣମାଧ୍ୟମ ସଂସ୍ଥା ‘ରୟଟର୍ସ’ କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ସ୍ପଷ୍ଟ କରିଛନ୍ତି ଯେ, ସେ କୌଣସି ବି ପରିସ୍ଥିତିରେ ବାଂଲାଦେଶ ଫେରିବେ ଏବଂ ସେଠାକାର କୋର୍ଟରେ ଆତ୍ମସମର୍ପଣ (ସରେଣ୍ଡର) କରିବେ। ଅଗଷ୍ଟ ୨୦୨୪ରେ କ୍ଷମତାଚ୍ୟୁତ ହୋଇ ଭାରତରେ ଆଶ୍ରୟ ନେବା ପରେ ନିଜର ପ୍ରତ୍ୟାବର୍ତ୍ତନ ଓ ଆଇନଗତ ପ୍ରକ୍ରିୟାକୁ ନେଇ ହସିନାଙ୍କର ଏହା ହେଉଛି ପ୍ରଥମ ଖୋଲାଖୋଲି ବୟାନ।
ଡିସେମ୍ବରରେ ଫେରିବେ, ହୋଇପାରେ ଗିରଫଦାରୀ
ଭାରତରୁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟର ଏକ ଟେଲିଫୋନିକ୍ ଇଣ୍ଟରଭ୍ୟୁରେ ୭୮ ବର୍ଷୀୟା ହସିନା କହିଛନ୍ତି ଯେ, ଆସନ୍ତା ଡିସେମ୍ବର ମାସ ପାଖାପାଖି ସେ ଏବଂ ବାଂଲାଦେଶରେ ପ୍ରତିବନ୍ଧିତ ହୋଇଥିବା ତାଙ୍କ ଦଳ ‘ଆୱାମୀ ଲିଗ୍’ର ଅନେକ ଶୀର୍ଷ ନେତା ସ୍ୱଦେଶ ଫେରିବେ। ସୂଚନାଯୋଗ୍ୟ ଯେ, ଜୁଲାଇ ୨୦୨୪ର ହିଂସାତ୍ମକ ପ୍ରଦର୍ଶନର ଦମନ ଅଭିଯୋଗରେ ବାଂଲାଦେଶର ଏକ ଅଦାଲତ ପୂର୍ବରୁ ହିଁ ଶେଖ ହସିନାଙ୍କୁ ମୃତ୍ୟୁଦଣ୍ଡ ସଜା ଶୁଣାଇ ସାରିଛନ୍ତି। ଏହା ସତ୍ତ୍ୱେ ସେ ଫେରିବାକୁ ପ୍ରସ୍ତୁତ ଅଛନ୍ତି।
“ଭାରତକୁ ଚିଠି ଲେଖିବା ଦରକାର ନାହିଁ, ମୁଁ ନିଜେ ଯାଉଛି”
ଭାରତ ଓ ବାଂଲାଦେଶ ମଧ୍ୟରେ ତାଙ୍କର ପ୍ରତ୍ୟର୍ପଣ (ହସ୍ତାନ୍ତର)କୁ ନେଇ ଚାଲିଥିବା ବିବାଦ ଉପରେ ହସିନା କହିଛନ୍ତି, “ଢାକାର ବର୍ତ୍ତମାନର ଅଧିକାରୀମାନେ ମୋତେ ଫେରାଇ ନେବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ସେମାନେ ଭାରତ ସରକାରଙ୍କୁ ବାରମ୍ବାର ଚିଠି ଲେଖୁଛନ୍ତି। କିନ୍ତୁ ଏହାର କୌଣସି ଆବଶ୍ୟକତା ନାହିଁ, କାରଣ ମୁଁ ନିଜେ ହିଁ ଦେଶକୁ ଫେରୁଛି।” ସେ ଆହୁରି ମଧ୍ୟ କହିଛନ୍ତି, “ବାଂଲାଦେଶ ଫେରିବା କ୍ଷଣି ସେମାନେ ମୋତେ ଗିରଫ କରିପାରନ୍ତି କିମ୍ବା ମୋର ହତ୍ୟା ମଧ୍ୟ କରାଯାଇପାରେ। କିନ୍ତୁ ଯଦି ମୃତ୍ୟୁ ଲେଖାଅଛି, ତେବେ ମୁଁ ଚାହୁଁଛି ତାହା ମୋ ନିଜ ମାଟିରେ ହିଁ ହେଉ, ଯେଉଁଠି ମୋର ପିତାମାତାଙ୍କ ସମାଧି ରହିଛି।”
ନ୍ୟାୟପାଳିକା ଉପରେ ଭରସା, ମୋକଦମାକୁ କହିଲେ ‘ହାସ୍ୟାସ୍ପଦ’
ଶେଖ ହସିନା କହିଛନ୍ତି ଯେ, ତାଙ୍କର ଦେଶର ନ୍ୟାୟପାଳିକା ଉପରେ ସମ୍ପୂର୍ଣ୍ଣ ଆସ୍ଥା ରହିଛି। କୋର୍ଟରେ ଆଇନଗତ ପ୍ରକ୍ରିୟା ଆରମ୍ଭ ହେଲେ ଲୋକେ ଜାଣିପାରିବେ ଯେ ତାଙ୍କ ବିରୋଧରେ ଲଗାଯାଇଥିବା ସମସ୍ତ ଅଭିଯୋଗ କେତେ ଭିତ୍ତିହୀନ ଓ ହାସ୍ୟାସ୍ପଦ। ସେ ଏହାକୁ କୋର୍ଟରେ ପ୍ରମାଣିତ କରିବାକୁ ଚାହାନ୍ତି। ତାଙ୍କ ସରକାର ଭାଙ୍ଗିବା ପରେ ଆୱାମୀ ଲିଗ୍ର ହଜାର ହଜାର କାର୍ଯ୍ୟକର୍ତ୍ତାଙ୍କ ଉପରେ ମିଥ୍ୟା ମୋକଦମା କରାଯାଇ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ଯାତନା ଦିଆଯାଉଥିବାରୁ ସେ ଗଭୀର ମର୍ମାହତ ବୋଲି ପ୍ରକାଶ କରିଛନ୍ତି।













Leave a Reply