ସାହିତ୍ୟ ଭାରତୀ ସମ୍ମାନ ଘୋଷିତ
1 min read

ସାହିତ୍ୟ ଭାରତୀ ସମ୍ମାନ ଘୋଷିତ

କଟକ ୦୯-୦୩-୨୦୨୫(ପିପିଏସ ) : ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କଟକ ଦରଘା ବଜାରସ୍ଥିତ ଗଂଗାଧର ରଥଙ୍କ ବାସ ଭବନରେ ଅନୁଷ୍ଠିତ ହୋଇ “ ସାହିତ୍ୟ ଭାରତୀ ସମ୍ମାନ” ସହିତ ଅନ୍ୟାନ୍ୟ ସମ୍ମାନ ଓ ପୁରସ୍କାର ସଂପର୍କରେ ଘୋଷଣା କରାଯାଇଛି । ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ ଦ୍ୱାରା ମଯ୍ୟାଦା ଜନକ ‘ସାହିତ୍ୟ ଭାରତୀ ସମ୍ମାନ : ୨୦୨୫’ ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ଶୈଳଜ ରବିଙ୍କୁ ଅର୍ପଣ କରାଯିବାପାଇଁ ସ୍ଥିର କରାଯାଇଛି । ଏହି ସମ୍ମାନ ସହିତ ଏକ ଲକ୍ଷ ଟଙ୍କାର ଉପାୟନ ଓ କୋଣାର୍କ ମନ୍ଦିରର ଏକ ରୌପ୍ୟ ପ୍ରତିରୂପ ପ୍ରଦାନ କରାଯିବ । ସୁଦୀର୍ଘ ସାରସ୍ୱତ ଯାତ୍ରାରେ ସେ ଜଣେ ସାହିତ୍ୟିକ ଭାବେ ବିଶେଷ ଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କର ସାରସ୍ଵତ କର୍ମପାଇଁ ଓଡ଼ିଆ ସାହିତ୍ୟ ବିଶେଷ ଭାବରେ ଋଦ୍ଧିମନ୍ତ । ଫାଉଣ୍ଡେସନର ପ୍ରତିଷ୍ଠାତାଙ୍କ ନାମରେ ପ୍ରତିଷ୍ଠିତ ‘ ଗଂଗାଧର ରଥ ସ୍ମାରକୀ ସମ୍ମାନ’ ଏ ବର୍ଷ ବିଶିଷ୍ଟ ଡାକ୍ତର ଫାଲଗୁନୀ ରାୟଙ୍କୁ ପ୍ରଦାନ କରାଯିବ । ଏହି ସମ୍ମାନ ସହିତ ଏକ ରୌପ୍ୟ ଫଳକ ଓ ମାନପ‌ତ୍ର ପ୍ରଦାନ କରାଯିବ । କାବ୍ୟ ସାହିତ୍ୟରେ ବିଶେଷ ପରାକାଷ୍ଠାପାଇଁ ବିଶିଷ୍ଟ କବି ଶ୍ରୀଯୁକ୍ତ ସୂର୍ଯ୍ୟ ମିଶ୍ରଙ୍କୁ ‘ଭାନୁଜୀ ରାଓ ସ୍ମାରକୀ ପୁରସ୍କାର’ ଏବଂ କଥାସାହିତ୍ୟରେ ବିଶେଷ କୃତିତ୍ୱପାଇଁ ବିଶିଷ୍ଟ କଥାକାର ଶ୍ରୀମତୀ ସଂଯୁକ୍ତା ମହାନ୍ତିଙ୍କୁ ‘ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର’ ସ୍ୱରୂପ ପ୍ରତ୍ୟେକଙ୍କୁ ପଚିଶ ହଜାର ଟଙ୍କା ଓ ରୌପ୍ୟ ଉପଢୌକନ ପ୍ରଦାନ କରାଯିବ । ଯୁବ ସାରସ୍ୱତ ପ୍ରତିଭା ଶ୍ରୀଯୁକ୍ତ ବିରଜା ରାଉତରାୟ ଏବଂ ଶ୍ରୀମତୀ ଈପ୍‌ସିତା ଷଡ଼ଙ୍ଗୀଙ୍କୁ ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ‘ସୁବ୍ରତ ରଥ ସ୍ମାରକୀ ପୁରସ୍କାର’ ସ୍ଵରୂପ ପ୍ରତ୍ୟେକଙ୍କୁ ଦଶ ହଜାର ଟଙ୍କା ଓ ରୌପ୍ୟ ଉପଢୌକନ ପ୍ରଦାନ କରଯିବ । ୨୦୨୫ ମାର୍ଚ୍ଚ ୩୦ ତାରିଖ ରବିବାର ସନ୍ଧ୍ୟା ୬ : ୩୦ ଘଟିକା ସମୟରେ କଟକସ୍ଥ କଳା ବିକାଶ କେନ୍ଦ୍ରଠାରେ ଆୟୋଜିତ ସାରସ୍ଵତ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ । ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବରେ ଏହି ଉତ୍ସବକୁ ଉଦ୍‌ଘାଟନ କରିବେ । ବିଶିଷ୍ଟ ଗବେଷକ ଓ ବକ୍ତା ଶ୍ରୀଯୁକ୍ତ ଅସିତ ମହାନ୍ତି ଏହି ସଭାରେ ମୁଖ୍ୟବକ୍ତା ଭାବରେ ଯୋଗ ଦେବେ । ଫାଉଣ୍ଡେସନର ଟ୍ରଷ୍ଟି ଡାକ୍ତର ଜୟନ୍ତ ରଥ ଏହି ସଭାରେ ପୌରୋହିତ୍ୟ କରିବେ । ୧୯୯୬ରୁ ଗଂଗାଧର ରଥଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି ସମ୍ମାନରେ ବହୁ ଯୋଗ୍ୟ ବ୍ୟକ୍ତି ସମ୍ମାନିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *