ହାଇସ୍କୁଲର ୧୦.୮ ଲକ୍ଷ ପିଲାଙ୍କୁ ମଧ୍ୟାହ୍ନଭୋଜନ
ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୧ଲକ୍ଷ ୭୪ ହଜାର ୯୧୫ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀ (ପିଏମ୍) ପୋଷଣ ଯୋଜନାରେ ଉପକୃତ ହେଉଛନ୍ତି। ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମୁଣ୍ଡ ପିଛା ଖାଦ୍ୟର ମୂଲ୍ୟ କେନ୍ଦ୍ର ସରକାର ନିର୍ଦ୍ଧାରଣ କରନ୍ତି।
ଭୁବନେଶ୍ୱର ୦୮-୦୩-୨୦୨୫(ପିପିଏସ) : ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୧ଲକ୍ଷ ୭୪ ହଜାର ୯୧୫ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀ (ପିଏମ୍) ପୋଷଣ ଯୋଜନାରେ ଉପକୃତ ହେଉଛନ୍ତି। ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମୁଣ୍ଡ ପିଛା ଖାଦ୍ୟର ମୂଲ୍ୟ କେନ୍ଦ୍ର ସରକାର ନିର୍ଦ୍ଧାରଣ କରନ୍ତି। ଏଥିସହ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ଅଂଶ ପ୍ରଦାନ କରନ୍ତି। ଏହା ବ୍ୟତୀତ ରାଜ୍ୟ ସରକାର ନିଜସ୍ବ ଯୋଜନାରୁ ଅତିରିକ୍ତ ଖର୍ଚ୍ଚ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପିଛା ୭ଟଙ୍କା ୬୪ ପଇସା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠରୁ ଅଷ୍ଟମ ପିଲାଙ୍କ ପିଛା ୧୦ ଟଙ୍କା ୯୪ ପଇସା ପ୍ରଦାନ କରାଯାଉଛି। ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଗଲେ ଅତିରିକ୍ତ ୧୦ ଲକ୍ଷ ୮୦ ହଜାର ପିଲା ଉପକୃତ ହେବେ। ଏବାବଦରେ ରାଜ୍ୟ ସରକାରଙ୍କର ବାର୍ଷିକ ୬୪୬ କୋଟି ୩୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ବିଜେଡି ବିଧାୟକ ଚକ୍ରମଣି କହଁରଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।
ଓଏଭିରେ ସଙ୍ଗୀତ ଶିକ୍ଷକ ପଦ ଖାଲି
ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି)ରେ ୨୩୩ଟି ସଙ୍ଗୀତ ଶିକ୍ଷକ ପଦବି ଖାଲି ରହିଛି। ବିଭିନ୍ନ ନ୍ୟାୟାଳୟରେ ନିଯୁକ୍ତି ପ୍ରକ୍ରିୟା ଉପରେ ମାମଲା ବିଚାରାଧୀନ ଥିବାରୁ ଖାଲିଥିବା ପଦବିଗୁଡ଼ିକରେ ୨୦୧୯ରୁ ନିଯୁକ୍ତି ପ୍ରକ୍ରିୟା ହୋଇପାରି ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାୟକ ସି. ଏସ୍ .ରାଜ଼େନ୍ ଏକ୍କାଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ୨୦୧୬ରେ ଓଏଭିର ୧୧୧ ସଙ୍ଗୀତ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେଥିମଧ୍ୟରୁ ୩୭ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା। ୨୦୧୭ରେ ୧୧୬ ଜଣ ଶିକ୍ଷକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଥିବା ବେଳେ ୨୬ ଜଣ ନିଯୁକ୍ତି ପାଇଥିଲେ। ୨୦୧୬ ଓ ୨୦୧୭ରେ ମୋଟ ୨୨୭ ଜଣ ସଙ୍ଗୀତ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଥିବା ବେଳେ ୬୩ ଜଣଙ୍କୁ ନିଯୁକ୍ତି ମିଳିଥିଲା। ଜାତୀୟ ଶିକ୍ଷାନୀତି ୨୦୨୦ ପାଠ୍ୟକ୍ରମ ଅନୁଯାୟୀ ଭାରତୀୟ ଭାଷା, ସଙ୍ଗୀତ, କଳା ଓ ସଂସ୍କୃତି ଅଧ୍ୟୟନ ସମ୍ବନ୍ଧରେ ସୂଚନା ରହିଛି। ସେହି ଅନୁଯାୟୀ ଅଭିଜ୍ଞମାନଙ୍କୁ ନେଇ ଗଠିତ କମିଟିର ମତାମତ ଅଧାରରେ ସଙ୍ଗୀତ ଶିକ୍ଷକ ନିଯୁକ୍ତି ସମ୍ବନ୍ଧରେ ବିଚାର କରି ସରକାର ବିହିତ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି।
ଶିକ୍ଷାନୀତି ଟାସ୍କଫୋର୍ସ ବୈଠକ ଥରେ ବସିଛି
ଜାତୀୟ ଶିକ୍ଷା ନୀତି (ଏନ୍ଇପି)-୨୦୨୦ ଲାଗୁ କରିବାକୁ ରାଜ୍ୟ ସରକାର ଅକ୍ଟୋବର ୧୭ରେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ଏହା ଗଠନ ହେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ଗୋଟିଏ ଥର ବୈଠକ ବସିଛି। ଏହି ଟାସ୍କଫୋର୍ସର ସୁପାରିଶ କ୍ରମେ ଏନ୍ଇପି ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ବିଧାୟିକ ସୁବାସିନୀ ଜେନାଙ୍କର ଏକ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ଉତ୍ତର ଦେଇଛନ୍ତି।
ଡ୍ରପ୍ଆଉଟ୍ ହାର କମୁଛି
ଗତ ତିନୋଟି ଶିକ୍ଷାବର୍ଷରେ ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଡ୍ରପ୍ଆଉଟ୍ ହାର ହ୍ରାସ ପାଉଛି। ୨୦୨୧-୨୨, ୨୦୨୨-୨୩ ଓ ୨୦୨୩-୨୪ ଶିକ୍ଷା ବର୍ଷରେ ପ୍ରାଥମିକ ସ୍ତରରେ ଡ୍ରପ୍ଆଉଟ୍ ହାର ଶୂନ ରହିଛି। ଯେତେବେଳେ କି ୨୦୨୧-୨୨ରେ ଉଚ୍ଚ ପ୍ରାଥମିକରେ ୭.୩୪%, ମାଧ୍ୟମିକରେ ୨୭.୨୬, ୨୦୨୨-୨୩ରେ ଉଚ୍ଚ ପ୍ରାଥମିକରେ ୩.୧୫%, ମାଧ୍ୟମିକରେ ୧୭.୭୨ ଏବଂ ୨୦୨୩-୨୪ରେ ଉଚ୍ଚ ପ୍ରାଥମିକରେ ୨%, ମାଧ୍ୟମିକରେ ୧୨.୮% ରହିଥିଲା ବୋଲି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ଉତ୍ତର ରଖିଛନ୍ତି।