ସୈନିକ ସ୍କୁଲ୍ ସ୍ଥାନାନ୍ତର ପ୍ରସଙ୍ଗ
- ୫୦୦ପିଲାଙ୍କ ପାଠରେ ଲାଗିବ ଡୋରି,
- ଗରିବ ପିଲାଙ୍କ ଭରସା ବାଲ୍ ସୈନିକ ସ୍କୁଲ
ବାଲ୍ ସୈନିକ ପବ୍ଲିକ ସ୍କୁଲ। ଭୁବନେଶ୍ବର ସୈନିକ ସ୍କୁଲର ଏକ ଅଂଶ ଭାବେ ୮୦ ଦଶକରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରେ ଏବେ ୭୦୦ରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି। ରାଜଧାନୀର ସର୍ବପୁରାତନ
ଭୁବନେଶ୍ୱର ୦୫-୦୩-୨୦୨୫(ପିପିଏସ) : ବାଲ୍ ସୈନିକ ପବ୍ଲିକ ସ୍କୁଲ। ଭୁବନେଶ୍ବର ସୈନିକ ସ୍କୁଲର ଏକ ଅଂଶ ଭାବେ ୮୦ ଦଶକରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରେ ଏବେ ୭୦୦ରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି। ରାଜଧାନୀର ସର୍ବପୁରାତନ ଇଂରାଜୀ ମାଧ୍ୟମ ସ୍କୁଲ ଭାବେ ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କ ଭରସା ପାଲଟିଛି। ସୈନିକ ସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କ ଛୋଟ ଛୋଟ ପିଲାଙ୍କ ସମେତ ଆଖପାଖ ୧୦ ଖଣ୍ଡ ଗାଁର ପ୍ରାୟ ୫୦୦ ପିଲା ମଧ୍ୟ ଏଠାରେ ପ୍ରାଥମିକ ଶିକ୍ଷା ଗ୍ରହଣ କରୁଛନ୍ତି। ଲକ୍ଷ୍ମୀବିହାର, ଗାଡ଼କଣ, ଆଦିମାତା କଲୋନି, ଗଜପତିନଗର, ରଙ୍ଗମାଟିଆ, ରେଲୱେ କଲୋନି, ଭିଏସ୍ଏସ୍ନଗର, ଡମଣା ଆଦି ଅଞ୍ଚଳରୁ ଛାତ୍ରଛାତ୍ରୀ ଏଠାରେ ପଢ଼ିବାକୁ ଆସୁଛନ୍ତି। ଇଂରାଜୀ ମାଧ୍ୟମ ବିଦ୍ୟାଳୟ ହୋଇଥିବାରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ କମ୍ ଖର୍ଚ୍ଚରେ ଉନ୍ନତମାନର ଶିକ୍ଷା ଦେବାରେ ସକ୍ଷମ ହେଉଛନ୍ତି। ସୈନିକ ସ୍କୁଲ ସ୍ଥାନାନ୍ତର ହେବା ଦ୍ବାରା ଆଖପାଖ ଅଞ୍ଚଳର ୫୦୦ ପିଲାଙ୍କ ପାଠପଢ଼ାରେ ଡୋରି ଲାଗିବ। ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯିବ। ନା ଏ କୂଳର ହେବେ, ନା ସେକୂଳର। ଅର୍ଥାତ୍ ସୈନିକ ସ୍କୁଲ ସ୍ଥାନାନ୍ତର ପରେ ପିଲାମାନେ କେଉଁଠି ପଢ଼ିବେ? ଏଠାକାର ପିଲାମାନେ ବହୁତ କମ୍ ଖର୍ଚ୍ଚରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଅଧୀନ ଇଂରାଜୀ ମାଧ୍ୟମରେ ପାଠ ପଢ଼ୁଥିବାରୁ ସୈନିକ ସ୍କୁଲ ସ୍ଥାନାନ୍ତର ପରେ ସେହି ପିଲାମାନେ କେଉଁଠିକୁ ଯିବେ? ଆଖପାଖରେ କୌଣସି ଇଂରାଜୀ ମାଧ୍ୟମ ସ୍କୁଲ କମ୍ ଖର୍ଚ୍ଚରେ ଶିକ୍ଷାଦାନ କରୁ ନ ଥିବାରୁ ପିଲାମାନେ ବାଧ୍ୟ ହୋଇ ଓଡ଼ିଆ ମାଧ୍ୟମକୁ ଆପଣାଇବେ। ନ ହେଲେ ଅଧାରୁ ପାଠପଢ଼ା ଛାଡ଼ିବେ। ରାଜ୍ୟ ସରକାରଙ୍କ ଏଭଳି ଏକପାଖିଆ ନିଷ୍ପତ୍ତିକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
କିଏ ଆଗ: ସ୍କୁଲ, ରାସ୍ତା ନା ଅଳିଆ ଗଦା?
ଗରିବ ପିଲାଙ୍କ ଭରସା ବାଲ୍ ସୈନିକ ସ୍କୁଲ
ନିଷ୍ପତ୍ତିରୁ ଓହରିବାକୁ ରାଜ୍ୟ ସରକାର ନାରାଜ
ଅନ୍ୟପକ୍ଷରେ ସ୍କୁଲ ସ୍ଥାନାନ୍ତରକୁ ସବୁ ସ୍ତରରେ ବିରୋଧ କରାଯାଉଥିଲେ ମଧ୍ୟ ରାଜ୍ୟ ସରକାର କିନ୍ତୁ ନାରାଜ। ଯେକୌଣସି ପ୍ରକାରେ ସୈନିକ ସ୍କୁଲ ହଟାଇବାକୁ ଲାଗିପଡ଼ିଛନ୍ତି। ଦୁଇ ମାସ ମଧ୍ୟରେ ପୂର୍ତ୍ତ ବିଭାଗଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ବିଭିନ୍ନ ଅଫିସ୍କୁ ୫ଟି ଚିଠି ଲେଖା ସରିଲାଣି। ତା’ସତ୍ତ୍ବେ ମଧ୍ୟ ସୈନିକ ସ୍କୁଲ ବୋର୍ଡ ପକ୍ଷରୁ କୌଣସି ଉତ୍ତର ଏପର୍ଯ୍ୟନ୍ତ ମିଳିନାହିଁ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ଏହି ବୋର୍ଡ ଏବେ ସ୍ଥିତି ଉପରେ ତର୍ଜମା କରୁଛି। ପୁରାତନ ଛାତ୍ର ସଂଘ ସମେତ ଆଞ୍ଚଳିକ ସୁରକ୍ଷା ମଞ୍ଚ, ଓଡ଼ିଶା ଅଭିଭାବକ ମହାସଂଘ ପରି ଅନେକ ସଙ୍ଗଠନ ନିଷ୍ପତ୍ତିକୁ ବିରୋଧ କରି ଆନ୍ଦୋଳନ କରିବାକୁ ସଜବାଜ ହେଲେଣି। କିଛି ସଙ୍ଗଠନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ନିଷ୍ପତ୍ତିର ପୁନଃ ବିଚାର କରିବାକୁ ଅନୁରୋଧ କରିଛନ୍ତି।
ଗୋଟିଏ ପଟେ ରାସ୍ତା ପାଇଁ ସୈନିକ ସ୍କୁଲ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି। ଆଉ ଅନ୍ୟପଟେ ସ୍କୁଲ ନିକଟରେ ଥିବା ଅଳିଆ ଗଦା ତଥା ଡମ୍ପିଂୟାର୍ଡର କଳେବର ଦିନକୁ ଦିନ ବଢ଼ୁଛି। ୨୦୨୩ରେ ସୈନିକ ସ୍କୁଲଠାରୁ ଜମି ହାତେଇଥିବା ବିଏମ୍ସି ଏବେ ସେଠାରେ ନିଜର କାର୍ଯ୍ୟକଳାପକୁ ଜୋରଦାର କରିଛି। ଅଳିଆ ଗଦା ଭିତରେ ଚାଲିଥିବା କେଳେଙ୍କାରୀ ଲୁଚାଇବାକୁ ବିଶାଳ ପାଚେରି ନିର୍ମାଣ ହେଉଛି। ଏହି କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୦୨୪ ଡିସେମ୍ବର ମାସରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଅଳିଆ ଗଦା ବୁଲି ଦେଖିବାକୁ ଆସିବା ସମୟରେ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଖୁବ୍ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ। ଏବେ ଅଳିଆ ଗଦା ପାଇଁ ସୈନିକ ସ୍କୁଲ ହଟାଇବା ନିଷ୍ପତ୍ତିକୁ ଅଞ୍ଚଳବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି।
ଆଞ୍ଚଳିକ ସୁରକ୍ଷା ମଞ୍ଚ ସଭାପତି କୃଷ୍ଣଚନ୍ଦ୍ର ପତି କହିଛନ୍ତି ଯେ ରାଜ୍ୟ ସରକାରଙ୍କ ତଣ୍ଟିରୁ ଅଳିଆଗଦା କଣ୍ଟା ଖସୁନି। ଜନ ଅସନ୍ତୋଷ ବଢ଼ୁଥିବାରୁ ସେଥିରୁ ମୁକ୍ତି ପାଇବାକୁ ସୈନିକ ସ୍କୁଲକୁ ଢାଲ କରିଛନ୍ତି। ଏହି ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନକୁ ହଟାଇବା ପରେ ଏବେ ଏଠାରେ ପଢ଼ୁଥିବା ଶହ ଶହ ପିଲାଙ୍କ ପାଠପଢ଼ା ବନ୍ଦ ହୋଇଯିବ। ଆର୍ଥିକ ଦୃଷ୍ଟିରୁ ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ସହାୟକ ହେଉଥିବା ଏହି ସ୍କୁଲର ବିକଳ୍ପ କିଛି ନାହିଁ। ଅଭିଭାବକ ଅଧିକ ଅର୍ଥ ଦେଇ ବଡ଼ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ପିଲାଙ୍କୁ ପଠାଇପାରିବେ ନାହିଁ। ରାଜ୍ୟ ସରକାର ତୁରନ୍ତ ଏହାର ପୁନର୍ବିଚାର କରନ୍ତୁ। ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ।