କୁଳପତିମାନଙ୍କୁ ରାଜ୍ୟପାଳଙ୍କ ପରାମର୍ଶ: କ୍ୟାମ୍ପସ୍‌ରେ ‌ଯୌନ ନିର୍ଯାତନା ରୋକ
1 min read

କୁଳପତିମାନଙ୍କୁ ରାଜ୍ୟପାଳଙ୍କ ପରାମର୍ଶ: କ୍ୟାମ୍ପସ୍‌ରେ ‌ଯୌନ ନିର୍ଯାତନା ରୋକ

ଭୁବନେଶ୍ୱର ୦୫-୦୩-୨୦୨୫(ପିପିଏସ) : ବିଶ୍ବବିଦ୍ୟାଳୟ ସମେତ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ଯୌନ ନିର୍ଯାତନା ରୋକିବା ଦିଗରେ ବିହିତ ପଦକ୍ଷେପ ନେବାର ସମୟ ଆସିଛି। ଏଥିସହ ଡିଜିଟାଲ ଯୁଗରେ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ସାଇବର୍‌ ନିରାପତ୍ତା ପାଇଁ ବିଶ୍ୱବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ପଡ଼ିବ। ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ, ଦାୟିତ୍ୱବାନ ଓ ଦେଶପ୍ରେମୀ ଭାବେ ଗଢ଼ି ତୋଳିବାକୁ ହେବ। ଏଥିପାଇଁ ଏନ୍‌ସିସିରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବାକୁ ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟି ଆଜି ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଆୟୋଜିତ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ ଶ୍ରୀ କମ୍ଭମ୍‌ପାଟି କହିଲେ, ‘ବିକଶିତ ଓଡ଼ିଶା-ବିକଶିତ ଭାରତ’ ଗଠନରେ ବିଶ୍ୱବିଦ୍ୟାଳୟ ହେଉଛି ଭିତ୍ତିଭୂମି। ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷାଗତ ଉତ୍କର୍ଷତା ଏବଂ ଛାତ୍ର କଲ୍ୟାଣର ତତ୍ତ୍ୱାବଧାରକ ଭାବେ କ୍ୟାମ୍ପସ୍‌ରେ ସୁରକ୍ଷିତ, ଅନ୍ତର୍ନିବେଶୀ ଓ ଶୃଙ୍ଖଳିତ ପରିବେଶ ସୁନିଶ୍ଚିତ କରିବା ଦିଗରେ କୁଳପତିମାନେ କାର୍ଯ୍ୟ କରନ୍ତୁ। ବିଶ୍ୱବିଦ୍ୟାଳୟ ହେଉଛି ଜ୍ଞାନ, ନବସୃଜନ ଓ ଦାୟିତ୍ୱବାନ ନାଗରିକ ସର୍ଜନାର କେନ୍ଦ୍ର। ରାଷ୍ଟ୍ର ଗଠନରେ ଉଚ୍ଚଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ବିଶ୍ୱବିଦ୍ୟାଳୟ ମୁଖ୍ୟ ଭାବେ ଶୈକ୍ଷିକ ରୂପରେଖ, ନବସୃଜନକୁ ପ୍ରୋତ୍ସାହିତ ଏବଂ ଅନୁଷ୍ଠାନକୁ ଜ୍ଞାନ ଓ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବାରେ କୁଳପତିଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତୀୟ ଶିକ୍ଷାନୀତି(ଏନ୍‌ଇପି)-୨୦୨୦ ଦ୍ବାରା ବହୁମୁଖୀ ଶିକ୍ଷା, ଗବେଷଣା, ଦକ୍ଷତା ବିକାଶ ଓ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଯୋଗାଇବ। ନୂତନ ଶିକ୍ଷାନୀତିରେ ଅଭିନବ ଶିକ୍ଷା ପଦ୍ଧତିକୁ ଗ୍ରହଣ, ଗବେଷଣା ଇକୋସିଷ୍ଟମ୍‌କୁ ସୁଦୃଢ଼ ଏବଂ ବିଭିନ୍ନ ଶିଳ୍ପ ସଂସ୍ଥା ଓ ଅନ୍ତର୍ଜାତୀୟ ଅନୁଷ୍ଠାନ/ପ୍ରତିଷ୍ଠାନ ସହିତ ସମନ୍ୱୟ ଓ ସହଯୋଗ ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି। ଛାତ୍ରଛାତ୍ରୀଙ୍କୁ କେବଳ ନିଯୁକ୍ତି ପାଇଁ ପ୍ରସ୍ତୁତ ନକରି ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେବା ଲାଗି ପ୍ରସ୍ତୁତ କରିବାରେ ନୂତନ ଶିକ୍ଷାନୀତି ସହାୟକ ହେବ ବୋଲି ସେ କହିଥିଲେ।

ସାଇବର କ୍ରାଇମ୍‌ ବୃଦ୍ଧିକୁ ନେଇ ଚିନ୍ତାପ୍ରକଟ କଲେ
ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଉପରେ ଗୁରୁତ୍ବ
ଜାତୀୟ ଶିକ୍ଷା ନୀତି-୨୦୨୦ ଉପରେ ମାନସମନ୍ଥନ

ବିଶ୍ୱବିଦ୍ୟାଳୟର ସୁପରିଚାଳନା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶ, କୃତୀ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ, ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତି ଓ ଏହାର ଅନୁପାଳନ, ଆର୍ଥିକ ସ୍ୱଚ୍ଛତା, ଦାୟିତ୍ୱପୂର୍ଣ୍ଣ ବଜେଟ୍ ପ୍ରସ୍ତୁତି, ପାଣ୍ଠିର ସୁବିନିଯୋଗ, ନିୟମିତ ଅଡିଟ୍‌, ନିର୍ଦ୍ଧାରିତ ସମୟରେ ବିନିଯୋଗ ପ୍ରମାଣପତ୍ର ଦାଖଲ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସାମିଲ ହୋଇ ଉଚ୍ଚଶିକ୍ଷା ସହିତ ଜଡ଼ିତ ନିଜ ନିଜ ବିଭାଗର ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ/ଶାସନ ସଚିବ ଓ ବିଭିନ୍ନ ସଂସ୍ଥାର କର୍ମକର୍ତ୍ତା ବିଭିନ୍ନ ପ୍ରସଙ୍ଗରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସମ୍ମିଳନୀରେ ଏନ୍‌ଇପି-୨୦୨୦ ସହ ବିଶ୍ୱବିଦ୍ୟାଳୟ ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍‌ ରାଜପୁତ୍‌ ସ୍ୱାଗତ ଭାଷଣ ସହ କୁଳପତି ସମ୍ମିଳନୀର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୟ କୁମାର ନାୟକ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *