ରାଜଧାନୀରେ ବାବାଙ୍କ ମଠକୁ ବୋମାମାଡ
1 min read

ରାଜଧାନୀରେ ବାବାଙ୍କ ମଠକୁ ବୋମାମାଡ

ଭୁବନେଶ୍ୱର ୨୭-୧୨-୨୦୨୪ (ପିପିଏସ) : ଶ୍ରୀଲିଙ୍ଗରାଜ ଥାନା ଅଧୀନ ଖରାଖିଆ ବୈଦ୍ୟନାଥସାହିସ୍ଥିତ ତ୍ରିଦଣ୍ଡୀ ଗୌଡ଼ୀୟ ମଠ ଉପରକୁ ସୋମବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ମଠର ରୋଷେୟା ବାବା ସୁବଳ ସଖା ତ୍ରିଦଣ୍ଡୀ ମହାରାଜ(୬୨) ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମଠର ପାଚେରି ଭୁଶୁଡ଼ି ପଡ଼ିଛି ଏବଂ ନୃସିଂହ ପାଠାଗାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦିନକ ପରେ ଘଟଣା ପଦାକୁ ଆସିବା ପରେ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌, ବମ୍‌ ସ୍କ୍ବାଡ୍‌ ଓ ଅଗ୍ନିଶମ ବାହିନୀ ସହାୟତାରେ ଛାନ୍‌ଭିନ୍‌ ଆରମ୍ଭ କରିଛି। ମଠରେ ନିଆଁ ଲାଗିଥିବା ନିଶ୍ଚିତ ହୋଇଥିଲେ ‌ହେଁ ତାହା ବୋମାମାଡ଼ ଯୋଗୁ ହୋଇଛି କି ଅନ୍ୟ କାରଣରୁ ଘଟିଛି, ତାହା ସ୍ପଷ୍ଟ ହୋଇପାରିନାହିଁ। ମଠରେ ଲାଗିଥିବା ସିସିଟିଭିର ହାର୍ଡଡିକ୍ସ ମାସେ ହେଲା ଚୋରି ହୋଇଯାଇଥିବାରୁ ପୁଲିସ ତଦନ୍ତରେ ବାଧା ଉପୁଜିଛି। 

ଘଟଣା ଦିନ ରାତିରେ ବାବା ତ୍ରିଦଣ୍ଡୀ ମହାରାଜା ସବୁଦିନ ଭଳି ଭଜନ କୀର୍ତ୍ତନ ଓ ଖିଆପିଆ ସାରି ଶୋଇଥିଲେ। ରାତି ପ୍ରାୟ ୧ଟା ବେଳେ ଏକ ପ୍ରଚଣ୍ଡ ଶବ୍ଦ ଶୁଣି ତାଙ୍କ ନିଦ ଭାଙ୍ଗିଯାଇଥିଲା। ମଠ ପାଚେରିକୁ ଲାଗି ରହିଥିବା ନୃସିଂହ ପାଠାଗାରର କାନ୍ଥ ଭୁଶୁଡ଼ି ପଡ଼ିଥିଲା ଏବଂ ନିଆଁ ଲାଗିଯାଇଥିଲା। ପାଠାଗାରରେ ଥିବା ବହୁ ପୁସ୍ତକ ପୋଡ଼ିଯାଉଥିବା ଦେଖି ବାବା ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କ ପୋଷ‌‌ାକରେ ନିଆଁ ଲାଗିଯିବାରୁ ସେ ପ୍ରାଣ ବିକଳରେ ରାସ୍ତା ଉପରକୁ ଧାଇଁ ଆସିଥିଲେ। ନିକଟସ୍ଥ ଜଣେ ମହିଳା ତାଙ୍କୁ ଉଦ୍ଧାର କରି ତୁରନ୍ତ ନିଜ ଗାଡ଼ିରେ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ନେଇଥିଲେ। ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରାଯାଇଥିଲା। ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ କହିବା ଅନୁଯାୟୀ ବୋମାମାଡ଼ ସମ୍ପର୍କରେ ତଦନ୍ତ ଚାଲିଛି। ବନ୍ଦ ଘରେ କେଉଁ କାରଣରୁ ନିଆଁ ଲାଗିଲା ଜଣାପଡ଼ିନି। ଅଗ୍ନିକାଣ୍ଡ ଯୋଗୁ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିବା ଅନୁମାନ କରାଯାଉଛି। ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଚାଲିଛି।  ସ୍ଥାନୀୟ ଲୋକଙ୍କ ସୂଚନାନୁଯାୟୀ ଏହି ଘଟଣାର ପୂର୍ବ ଦିନ ଅର୍ଥାତ ରବିବ‌ାର ଦିନ ମଠର ଅନ୍ୟ ଜଣେ ବାବାଙ୍କ ସହ ତ୍ରିଦଣ୍ଡୀ ବାବାଙ୍କର ଝଗଡ଼ା ହୋଇଥିଲା। ଉଭୟଙ୍କ ମଧ୍ୟରେ ଠେଲାପେଲା ପର୍ଯ୍ୟନ୍ତ କଥା ଯାଇଥିଲା। ସନ୍ଧ୍ୟାରେ ମଠ ସହ ସମ୍ପୃକ୍ତ କଟକର କିଛି ଲୋକ ଆସି ବିବାଦର ସମାଧାନ କରିଥିଲେ। କିନ୍ତୁ ଏହାପରଠୁ ତ୍ରିଦଣ୍ଡୀ ବାବାଙ୍କ ସହ ପାଟିତୁଣ୍ଡ କରିଥିବା ବାବା କେଉଁଆଡ଼େ ପଳାଇଥିଲେ। ହୁଏତ ବୋମାମାଡ଼ରେ ସେହି ବାବାଙ୍କର ହାତ ଥିବା ସନ୍ଦେହ କରାଯାଉଛି। ଆଉ କିଛି ଲୋକଙ୍କ କହିବା କଥା ଏହି ମଠ ଓ କୋଲକାତା ମାୟାପୁରସ୍ଥିତ ଶାଖାକୁ ନେଇ ବିବାଦ ଲାଗି ରହିଛି। ଏକଦା ଏହି ମଠରେ ଜଣେ ବାଂଲାଦେଶୀ ଯୁବକ ବାବା ବେଶଧାରଣ କରି ରହୁଥିଲେ। ସେ କୋଲକାତାସ୍ଥିତ ଏକ ମଠରୁ ଆସିଥିବା କହି ରହିଥିଲେ। କିନ୍ତୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ସେ ପଳାଇଥିଲେ।

Leave a Reply

Your email address will not be published. Required fields are marked *