ସାଇବର ଠକଙ୍କ ଆକାଉଣ୍ଟରୁ ଫେରିଲା ୨୪.୬ ଲକ୍ଷ: ଫେରିପାଇଲେ ମେଘାଳୟର ୨ ଯୁବତୀ
1 min read

ସାଇବର ଠକଙ୍କ ଆକାଉଣ୍ଟରୁ ଫେରିଲା ୨୪.୬ ଲକ୍ଷ: ଫେରିପାଇଲେ ମେଘାଳୟର ୨ ଯୁବତୀ

ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : କମିସନରେଟ୍‌ ପୁଲିସର ସାଇବର ଥାନାକୁ ମିଳିଛି ବଡ଼ ସଫଳତା। ସାଇବର ଠକ ରୢାକେଟ୍‌ର ମାଷ୍ଟରମାଇଣ୍ଡ୍‌କୁ ଧରିବା ସମ୍ଭବ ହୋଇ ନଥିଲେ ମଧ୍ୟ ଲୁଟ୍‌ର ଶିକାର ହୋଇଥିବା ଯୁବତୀଙ୍କୁ ୨୪ ଲକ୍ଷ ୬୦ ହଜାର ଟଙ୍କା ଫେରାଇବାକୁ ସକ୍ଷମ ହୋଇଛି ପୁଲିସ। ମାଷ୍ଟରମାଇଣ୍ଡ୍‌କୁ ଗିରଫ କରିବାକୁ ଉଦ୍ୟମ ଜାରି ରହିଛି। ଭୁବନେଶ୍ବର ଏମ୍‌ସରେ ଚାକିରି କରିଥିବା ମେଘାଳୟର ୨ ଯୁବତୀ ୨୦୨୩ ଅକ୍ଟୋବର ମାସରେ ଏହି ଠକାମିର ଶିକାର ହୋଇଥିଲେ। ଠକାମିର ମାସକ ପରେ ସେମାନେ ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ସେମାନେ ଲୋଭର ବଶବର୍ତ୍ତୀ ହୋଇ ‘କ୍ୟୁନେଟ୍‌’ ନାମକ ଏକ ଆପ୍‌ରେ ପୁଞ୍ଜିନିବେଶ କରିଥିଲେ। ସେମାନଙ୍କ ମୋବାଇଲ୍‌କୁ ଏହି ଆପ୍‌ରୁ ମେସେଜ୍‌ ଆସିଥିଲା ଏବଂ ସେମାନେ ଜୁମ୍‌ ମିଟିଂ ଜରିଆରେ ସଂସ୍ଥାର ମୁଖ୍ୟଙ୍କ ସହ ସିଧାସଳଖ କଥା ହୋଇଥିଲେ। ସଂସ୍ଥାର ମୁଖ୍ୟ କହୁଥିବା ବ୍ୟକ୍ତି ସାଇବର ଠକେଇର ମାଷ୍ଟରମାଇଣ୍ଡ ବୋଲି ସେମାନେ ଜାଣିପାରି ନଥିଲେ।

ପୁଞ୍ଜି ନିବେଶର ୫ଗୁଣା ରିଟର୍ଣ୍ଣ ମୁଖିଆ ଜୋର୍‌ ଦେଇ କହିଥିଲା। ତା’ କଥାରେ ଭଳିଯାଇ ଜଣେ ୧୧.୨୦ ଲକ୍ଷ ଓ ଅନ୍ୟ ଜଣକ ୧୩.୪୦ ଲକ୍ଷ ଟଙ୍କା ଅନ୍‌ଲାଇନ୍‌ରେ ନିବେଶ କରିଥିଲେ। ୫ଗୁଣ ଅର୍ଥାତ୍ କୋଟିଏ ଟଙ୍କା ପାଇବା ଆଶା କରିଥିଲେ। କିନ୍ତୁ ସେମାନେ ଟଙ୍କା ନିବେଶ କରିବାର କିଛି ଦିନ ପରେ ସେମାନଙ୍କ ମୋବାଇଲ୍‌ରୁ ଉକ୍ତ ଆପ୍‌ ଉଭାନ ହୋଇଯାଇଥିଲା। ସେମାନେ ମୋବାଇଲ୍‌ ନମ୍ବରରେ ଯୋଗାଯୋଗ କଲେ ମାତ୍ର ସେସବୁ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ତେଣୁ ଠକାମିର ଶିକାର ହେବା ନିଶ୍ଚିତ ହେବା ପରେ ସେମାନେ ସାଇବର ଥାନାକୁ ଆସିଥିଲେ। ପୁଲିସ ଛାନ୍‌ଭିନ୍‌ କରି ପାଖାପାଖି ୪୦ଟି ମ୍ୟୁଲ୍‌ ଆକାଉଣ୍ଟକୁ ଯାଞ୍ଚ କରିଥିଲା। ଏମିତିକି ସେସବୁ ଆକାଉଣ୍ଟରୁ ଟଙ୍କାତକ ସ୍ଥାନାନ୍ତର ହୋଇଥିବା ଏକ ଆକାଉଣ୍ଟ ପାଖରେ ପୁଲିସ ପହଞ୍ଚିଥିଲା ଏବଂ ଦିଲ୍ଲୀସ୍ଥିତ ଉକ୍ତ ବ୍ୟାଙ୍କ ସହଯୋଗରେ ତାକୁ ଫ୍ରିଜ୍‌ କରିଥିଲା। ପରେ କୋର୍ଟଙ୍କ ସହାୟତା ବଳରେ ଉକ୍ତ ଟଙ୍କା ଫେରିଥିଲା।

Leave a Reply

Your email address will not be published. Required fields are marked *