ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ରେଳ ଷ୍ଟେସନ୍‌ରେ ଶୁଖିଲା ମହାପ୍ରସାଦ ବିକ୍ରି ପ୍ରସଙ୍ଗ

ସାଂସଦଙ୍କ ପ୍ରସ୍ତାବକୁ ସେବାୟତଙ୍କ ବିରୋଧ

ପୁରୀ/ଭୁବନେଶ୍ୱର ୧୩-୧୨-୨୦୨୪(ପିପିଏସ ) : ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନ୍‌ରେ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ବିକ୍ରି ପାଇଁ ଗତକାଲି ସଂସଦରେ ପ୍ରସ୍ତାବ ରଖିଥିଲେ ପୁରୀ ସାଂସଦ ସମ୍ବିତ ପାତ୍ର। ଏହାକୁ ବିରୋଧ କରିଛନ୍ତି ସେବାୟତ। ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ବି ସାଂସଦଙ୍କ ଏହି ପ୍ରସ୍ତାବକୁ ବିରୋଧ କରିଛି। ସୁଆର ମହାସୁଆର ସେବକ ମଧୁସୂଦନ ସୁଆର କହିଛନ୍ତି, ଭକ୍ତଙ୍କ ପାଖରେ ଶୁଖିଲା ମହାପ୍ରସାଦ ପହଞ୍ଚାଇବାକୁ ସାଂସଦ ଚିନ୍ତା କରିଥିବାରୁ ସ୍ବାଗତ ଜଣାଉଛୁ। କିନ୍ତୁ ସେ ଜାଣିବା ଦରକାର ଯେ ଶ୍ରୀମନ୍ଦିର ସ୍ୱତ୍ବଲିପି ଅନୁଯାୟୀ ମହାପ୍ରଭୁଙ୍କ ମହାପ୍ରସାଦ କେବଳ ଶ୍ରୀମନ୍ଦିରରେ ଥିବା ଆନନ୍ଦବଜାରରେ ବିକ୍ରି ହୋଇପାରିବ। ଶ୍ରୀମନ୍ଦିରରେ ପୂଜାବିଧି ଓ ନୀତିକାନ୍ତି ସ୍ୱତନ୍ତ୍ର। ଭାରତବର୍ଷର କେଉଁଠାରେ ମଧ୍ୟ ଏପରି ନୀତିକାନ୍ତି ଦେଖାଯାଏ ନାହିଁ। 

ମହାପ୍ରଭୁଙ୍କ ରୋଷଶାଳ ଏକ ଫ୍ୟାକ୍ଟ୍ରି ନୁହେଁ ଯେ ଯିଏ ଚାହିଲେ, ଯେତେବେଳେ ଚାହିଲେ ଓ ଯେତେ ପରିମାଣର ଚାହିଲେ ଭୋଗ ରାନ୍ଧି ପାରିବେ। ରୋଷ ହୋମ ପରେ ହିଁ  ଭୋଗ ରାନ୍ଧିବା ଆରମ୍ଭ ହେବ ଏବଂ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଶେଷ ହେବ। କେବଳ ସୁଆର ମହାସୁଆର ସେବକମାନେ ଏହି ଭୋଗ ରାନ୍ଧି ପାରନ୍ତି। ନିର୍ଦ୍ଦିଷ୍ଟ ଭାବରେ ସୀମିତ ସେବକ ସୀମିତ ସ୍ଥାନରେ ସୀମିତ ପରିମାଣର ଭୋଗ ପ୍ରସ୍ତୁତ କରିଥାଆନ୍ତି। ବିଶେଷ ପର୍ବପର୍ବାଣି ତଥା ସରକାରୀ ଛୁଟି ଦିନରେ ଭକ୍ତଙ୍କ ସଂଖ୍ୟା ଅଧିକ ରହିଲେ, ଅନେକ ଭକ୍ତ ସେଦିନ ଆନନ୍ଦବଜାରରେ ଭୋଗ ପାଇବାରୁ ବଞ୍ଚିତ ହୋଇଥାନ୍ତି। ଏଣୁ ସାଂସଦ ଶ୍ରୀ ପାତ୍ରଙ୍କୁ ଅନୁରୋଧ, ରେଳଷ୍ଟେସନ୍‌ରେ ମହାପ୍ରସାଦ ବିକ୍ରି ବଦଳରେ କିଭଳି ଶ୍ରୀମନ୍ଦିରରେ ମାଗଣାରେ ଭକ୍ତଙ୍କୁ ମହାପ୍ରସାଦ ବଣ୍ଟନ ହୋଇପାରିବ, ସେହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ଦିଗରେ ବିଚାର କରନ୍ତୁ। ଛପନ ଭୋଗ ପ୍ରସ୍ତୁତି ପାଇଁ ଘିଅ କିଭଳି ରିହାତି ଦରରେ ମିଳିପାରିବ, ସେ ଉପରେ ବିଚାର କରନ୍ତୁ। ଶ୍ରୀ ସୁଆର କହିଛନ୍ତି, ରେଳଷ୍ଟେସନ୍‌ରେ ଶୁଖିଲା ମହାପ୍ରସାଦ ବିକ୍ରି ହେଲେ, ବିଶୃଙ୍ଖଳା ଦେଖାଦେବ। ଯେଉଁ ଦିନ ପ୍ରସାଦ ଶ୍ରୀମନ୍ଦିର ଭିତରେ ନ ଥିବ ସେତେବେଳେ ମହାପ୍ରଭୁଙ୍କ ମହାପ୍ରସାଦ ନାଁରେ ବିଭିନ୍ନ ସ୍ଥାନ ବା ଅନ୍ୟ ମନ୍ଦିରରୁ ନକଲି ଭୋଗ ଯାଇ ଭକ୍ତଙ୍କୁ ଦିଆଯିବ। ଏଣୁ ଏହି ବ୍ୟବସ୍ଥାରୁ ସାଂସଦ ବିରତ ରହିବାକୁ ସେ କହିଛନ୍ତି। ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟନାରାୟଣ ରଥ କହିଛନ୍ତି, ମହାପ୍ରସାଦ କେବଳ ଶ୍ରୀମନ୍ଦିର ଆନନ୍ଦବଜାରରେ ବିକ୍ରି ହେବା ବିଧେୟ। ଶ୍ରୀମନ୍ଦିରର ନିଜସ୍ବ ବିଧିବିଧାନ ରହିଛି। ଏହାର ସଂସ୍କୃତି ଓ ପରମ୍ପରା ଅଭିନ୍ନ। ମହାପ୍ରଭୁଙ୍କୁ ନେଇ ସାଂସଦ ଅଯଥା ରାଜନୀତି କରିବା ବନ୍ଦ କରନ୍ତୁ ବୋଲି ଶ୍ରୀ ରଥ କହିଛନ୍ତି।

Leave a Reply

Your email address will not be published. Required fields are marked *