ସିଙ୍ଗାପୁରର ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ
1 min read

ସିଙ୍ଗାପୁରର ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୯-୧୧-୨୦୨୪(ପିପିଏସ) : ସିଙ୍ଗାପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ନିଜ ଟିମ୍‌ ସହ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ଗାନ୍ କିମ୍ ୟଙ୍ଗଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏଥି ସହିତ ସେ ଜୁରଙ୍ଗ ପେଟ୍ରୋକେମିକାଲ୍‌ସ କମ୍ପ୍ଲେକ୍ସ ମଧ୍ୟ ପରିଦର୍ଶନ କରିଛନ୍ତି। ରାଜ୍ୟର ପେଟ୍ରୋକେମିକାଲ୍ସ, ରସାୟନ, ସହରାଞ୍ଚଳ ଗମନାଗମନ ଭିତ୍ତିଭୂମି ଓ ଲଜିଷ୍ଟିକ୍ସ କ୍ଷେତ୍ରର ବିକାଶ ଲାଗି ‌ସେ ସିଙ୍ଗାପୁରର ସହଯୋଗ ଲୋଡ଼ିଛନ୍ତି। ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀ ଶ୍ରୀ ୟଙ୍ଗ୍‌ଙ୍କୁ ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ବାଣିଜ୍ୟ ପରମ୍ପରା ଓ ବୋଇତ ବନ୍ଦାଣ ବିଷୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅବଗତ କରିବା ସହ ସିଙ୍ଗାପୁରର କମ୍ପାନିଗୁଡ଼ିକୁ ଓଡ଼ିଶାରେ ଥିବା ସୁଯୋଗ ସନ୍ଧାନ କରିବାକୁ ଆମନ୍ତ୍ରଣ କରିଛନ୍ତି। ନିବେଶ କ୍ଷେତ୍ରରେ ସବୁ ପ୍ରକାର ସହଯୋଗ ପ୍ରଦାନ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ୨୦୨୫ ଜାନୁଆରିରେ ଅନୁଷ୍ଠିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରେ ଅଂଶଗ୍ରହଣ କରିବାକୁ ସେ ଶ୍ରୀ ୟଙ୍ଗ୍‌ଙ୍କୁ ଆମନ୍ତ୍ରଣ କରିଛନ୍ତି।ସିଙ୍ଗାପୁରର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବରିଷ୍ଠ ମନ୍ତ୍ରୀ ସିମ୍ ଆନ୍‌ଙ୍କ ସହ ଆଲୋଚନା କରି ସହରାଞ୍ଚଳ ଗମନାଗମନ, ସବୁଜ ଜାହାଜ କରିଡର, ରସାୟନ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ସହଯୋଗିତା ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଗ୍ରହ ପ୍ରକାଶ କରିଛନ୍ତି। 

ସୋମବାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶା ଟିମ୍‌ର କାର୍ଯ୍ୟକ୍ରମ ଜୁରଙ୍ଗ ପେ‌ଟ୍ରୋକେମିକାଲ୍‌ସ କମ୍ପ୍ଲେକ୍ସ ପରିଦର୍ଶନରୁ ଆରମ୍ଭ ହୋଇଥିଲା। ଓଡ଼ିଶା ନିଜକୁ ଏକ ପ୍ରମୁଖ ରସାୟନ ଓ ପେଟ୍ରୋକେମିକାଲ୍ସ ହବ୍‌ ଭାବେ ଉପସ୍ଥାପନ କରୁଥିବାରୁ ଏହି ପରିଦର୍ଶନ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଥିଲା। ଏହି ପରିଦର୍ଶନରୁ ମିଳିଥିବା ଶିକ୍ଷାକୁ ଆଧାର କରି ପାରାଦୀପରେ ଥିବା ପେଟ୍ରୋଲିୟମ୍, ରସାୟନ ଓ ପେଟ୍ରୋକେମିକାଲ୍ସ ନିବେଶ ଅଞ୍ଚଳ (ପିସିପିଆଇଆର୍‌)ରେ ଉନ୍ନତି ଆଣିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସିଙ୍ଗାପୁରର ମୁଦ୍ରାନୀତି କର୍ତ୍ତୃପକ୍ଷଙ୍କ ମୁଖ୍ୟ ଫିନ୍‌ଟେକ୍ ଅଧିକାରୀ ପୋପ୍ନେନ୍ଦୁ ମହାନ୍ତିଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ମାଝୀ ଆଲୋଚନା କରିଛନ୍ତି। ସିଙ୍ଗାପୁର ଓ ଓଡ଼ିଶାର ସଂସ୍ଥାଗୁଡ଼ିକ ମଧ୍ୟ ଆଲୋଚନା ସହ ଆଜିର କାର୍ଯ୍ୟକ୍ରମ ଶେଷ ହୋଇଥିଲା। ଆଜି ସିଙ୍ଗାପୁରରେ ଏକ ଭୋଜନ ଆୟୋଜନ କରାଯାଇଥିଲା ଯେଉଁଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଟିମ୍‌ ସହ ସିଙ୍ଗାପୁର ଉଚ୍ଚାୟୁକ୍ତ, ପ୍ରମୁଖ ଶିଳ୍ପଦ୍ୟୋଗୀ ଓ ଅନ୍ୟ ଅତିଥିମାନେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଜୁରଙ୍ଗ ପେ‌ଟ୍ରୋକେମିକାଲ୍ସ କମ୍ପ୍ଲେକ୍ସ ପରିଦର୍ଶନ କରିବା ବେଶ୍ ପ୍ରେରଣାଦାୟୀ ଥିଲା। ଓଡ଼ିଶା ବଙ୍ଗୋପସାଗର ଅଞ୍ଚଳରେ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଦ୍ରୁତ ଗତିରେ ଏକ ପସନ୍ଦର ନିବେଶ ସ୍ଥଳ ଭାବେ ଉଭା ହେଉଥିବା ସେ କହିଛନ୍ତି। ପାରାଦୀପ ଓ ଅନ୍ୟାନ୍ୟ ବନ୍ଦରଗୁଡ଼ିକ ଏହି ଅଭିବୃଦ୍ଧିକୁ ଆଗକୁ ବଢ଼ାଇବାରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ସେ କହିଛନ୍ତି। ସେହିପରି, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ଯେ ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗିତା ବଢ଼ାଇବାକୁ ସରକାର ପ୍ରତିବଦ୍ଧ ରହିଛନ୍ତି। ବିଶ୍ବର ଶ୍ରମଶକ୍ତି ଚାହିଦା ପୂରଣ କରିବା ଭଳି ମାନର ଯୁବପିଢ଼ି ସୃଷ୍ଟି କରିବାକୁ ସରକାର ଚାହୁଥିବା ସେ କହିଛନ୍ତି।

ଆସନ୍ତାକାଲି ସିଙ୍ଗାପୁରର ସାଙ୍ଗରି-ଲା ହୋ‌ଟେଲ୍‌ରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଓଡ଼ିଶାରେ ବ୍ୟବସାୟ ସୁଯୋଗ’ ସମ୍ପର୍କିତ ଭାବ ବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସିଙ୍ଗାପୁର ଗସ୍ତରେ ଥିବା ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳରେ ମୁଖ୍ୟ ସଚିବ ମନୋଜ ଆହୁଜା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ରହିଛନ୍ତି।

Leave a Reply

Your email address will not be published. Required fields are marked *