ଜଳବାୟୁ ପରିବର୍ତ୍ତନ : ଖରାପ ପାଗ ଯୋଗୁଁ ପ୍ରଥମ ୯ ମାସରେ ଦେଶରେ ୩୨୦୦ ମୃତ

ନୂଆଦିଲ୍ଲୀ/ଭୁବନେଶ୍ୱର ୦୮-୧୧-୨୦୨୪ (ପିପିଏସ) : ଗ୍ଲୋବାଲ ୱାର୍ମିଂର ପ୍ରଭାବ ଦେଶରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ଗତ କିଛି ବର୍ଷ ହେବ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ଗରମ, ଥଣ୍ଡା ଓ ଅଦିନିଆ ବର୍ଷା ହେଉଛି। ଦେଶରେ ପ୍ରବଳ ଗରମ, ପ୍ରବଳ ବର୍ଷା ଓ ଭୂସ୍ଖଳନ ଘଟଣା ନିୟମିତ ହୋଇଗଲାଣି । ଜଳବାୟୁ ପରିବର୍ତ୍ତନ ନେଇ  ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ୨୦୨୪ର ପ୍ରଥମ ୯ ମାସରେ ପ୍ରବଳ ଗରମ ଓ ପ୍ରବଳ ବର୍ଷା ଯୋଗୁଁ ୩,୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ୨. ୩୦ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଛି। ଦିଲ୍ଲୀର ସଂଗଠନ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ (ସିଏସଇ)ର ଏହି ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି । 

୨୦୨୪ ର ପ୍ରଥମ ୯ ମାସ ଅର୍ଥାତ୍ ୨୭୪ ଦିନର ୨୫୫ ଦିନ ରେ ଭାରତ ଅତ୍ୟଧିକ ଖରାପ ପାଣିପାଗ ପରିସ୍ଥିତିର ସମ୍ମୁଖୀନ ହୋଇଛି । ପ୍ରବଳ ବର୍ଷା ଓ ଭୂସ୍ଖଳନ ସହ ପ୍ରବଳ ଗରମ ଯୋଗୁଁ ୩,୨୩୮ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି। ଖରାପ ପାଗ ଯୋଗୁଁ ୩. ୨ ନିୟୁତ ହେକ୍ଟର ଫସଲ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷାରେ ୨,୩୫,୮୬୨ଟି ଘର ଓ କୋଠା ନଷ୍ଟ ହେବା ସହ ୯,୪୫୭ ଜଣ ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଛି।

ଏହା ତୁଳନାରେ ୨୦୨୩ର ପ୍ରଥମ ୯ ମାସରେ ୨୭୩ ଦିନ ମଧ୍ୟରୁ ୨୩୫ ଦିନ ଖରାପ ପାଗ ରେକର୍ଡ କରାଯାଇଥିଲା। ଏଥିରେ ୨,୯୨୩ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଥିଲା। ୧. ୮୪ ନିୟୁତ ହେକ୍ଟର ଫସଲ ପ୍ରଭାବିତ ହୋଇଥିଲା ଓ ୮୦,୨୯୩ଟି ଘର କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ୯୨,୫୧୯ ଟି ପଶୁ ପ୍ରାଣ ହରାଇଥିଲେ।

Leave A Reply

Your email address will not be published.