ୟୁରୋପ ପାଇଁ ଇନ୍ଧନ ଯୋଗାଣରେ ଆଗୁଆ ଭାରତ
1 min read

ୟୁରୋପ ପାଇଁ ଇନ୍ଧନ ଯୋଗାଣରେ ଆଗୁଆ ଭାରତ

ନୂଆଦିଲ୍ଲୀ/ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ଇନ୍ଧନ ଯୋଗାଣ ମାମଲାରେ ଭାରତ ୟୁରୋପର ଏକ ପ୍ରମୁଖ ଯୋଗାଣକାରୀ ପାଲଟିଛି। କରୋନା ମହାମାରୀ ସମୟରେ ୟୁରୋପର ତୈଳ ବିଶୋଧନାଗାର ବନ୍ଦ ହେବା ଏବଂ ପରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଭାରତକୁ ଇନ୍ଧନ ଯୋଗାଣ ପାଇଁ ଏକ ସୁଯୋଗ ଦେଇଥିଲା। ଶସ୍ତା ମୂଲ୍ୟରେ ରୁଷିଆରୁ ଅଶୋଧିତ ତୈଳ କ୍ରୟ କରି ଏହାକୁ ବିଭିନ୍ନ ଯାନ ପାଇଁ ଉପଯୁକ୍ତ ଇନ୍ଧନରେ ପରିଣତ କରି ଭାରତ ପେଟ୍ରୋଲିୟମ ଉତ୍ପାଦ ରପ୍ତାନିକାରୀ ହୋଇପାରିଛି। ଏହି କାରଣରୁ ରପ୍ତାନିରେ ପେଟ୍ରୋଲିୟମ ଦ୍ରବ୍ୟର ଅଂଶ ୧୭ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ପାଞ୍ଚ ବର୍ଷ ପୂର୍ବେ ଏହି ଅଂଶ ୧୨ ପ୍ରତିଶତ ଥିଲା। ଚଳିତ ଆର୍ଥିକ ବର୍ଷର ୨୦୨୪-୨୫ ଏପ୍ରିଲ୍-ସେପ୍ଟେମ୍ବରରେ, ଭାରତର ବାଣିଜ୍ୟ ରପ୍ତାନି ମୂଲ୍ୟ ୨୧୩ ବିଲିୟନ ଡ଼ଲାର୍ ଥିଲା ଏବଂ ସେଥିମଧ୍ୟରୁ ୩୬.୫ ବିଲିୟନ ଡ଼ଲାର୍ ପେଟ୍ରୋଲିୟମ ଉତ୍ପାଦ ରପ୍ତାନି ହୋଇଥିଲା | ଗତ ତିନିବର୍ଷ ମଧ୍ୟରେ ନେଦରଲ୍ୟାଣ୍ଡ, ବ୍ରିଟେନ, ଫ୍ରାନ୍ସ, ନରୱେ ଭଳି ଦେଶ ମୁଖ୍ୟତ ପେଟ୍ରୋଲିୟମ ଉତ୍ପାଦ କ୍ରୟ କରୁଛନ୍ତି।

ପେଟ୍ରୋଲିୟମ ଦ୍ରବ୍ୟ ହେତୁ ୟୁରୋପର ଅନେକ ଦେଶକୁ ଭାରତର ରପ୍ତାନି ବୃଦ୍ଧି ପାଉଛି। ୟୁରୋପୀୟ ଦେଶମାନଙ୍କ ସହିତ ଭାରତ ମଧ୍ୟ ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ୟୁଏଇ, ଅଷ୍ଟ୍ରେଲିଆ ଭଳି ଦେଶକୁ ପେଟ୍ରୋଲିୟମ ଉତ୍ପାଦ ରପ୍ତାନି କରୁଛି | ବାଣିଜ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ପେଟ୍ରୋଲିୟମ ଉତ୍ପାଦଗୁଡ଼ିକ ଭାରତରୁ ନେଦରଲ୍ୟାଣ୍ଡକୁ ରପ୍ତାନୀର ୬୫ ପ୍ରତିଶତ ହୋଇଥିବାବେଳେ ନେଦରଲ୍ୟାଣ୍ଡ ଭାରତର ଶ୍ରେଷ୍ଠ ପାଞ୍ଚ ରପ୍ତାନି ବଜାରରେ ଯୋଗ ଦେଇଛି। ସେହିଭଳି ବ୍ରିଟେନର ମୋଟ ରପ୍ତାନୀର ୨୦ ପ୍ରତିଶତ ପେଟ୍ରୋଲିୟମ ଉତ୍ପାଦ ଓ ଚଳିତ ଆର୍ଥିକ ବର୍ଷର ୨୦୨୪-୨୫ ଏପ୍ରିଲ-ଜୁଲାଇରେ ଫ୍ରାନ୍ସକୁ ଅଟୋମୋବାଇଲ୍ ଡିଜେଲ ଇନ୍ଧନର ରପ୍ତାନି ୮୮୩ ପ୍ରତିଶତ ବୃଦ୍ଧି ପାଇଛି।
ଅଟୋମୋବାଇଲ୍ ଡିଜେଲ ଇନ୍ଧନ ସହିତ, ବିମାନ ଏବଂ ମୋଟର ଯାନରେ ବ୍ୟବହୃତ ଇନ୍ଧନ, ହାଇ ସ୍ପିଡ୍ ଡିଜେଲ, କିରୋସିନ ମୁଖ୍ୟତଃ ଅନ୍ତର୍ଭୂକ୍ତ କରାଯାଇଛି |

୨୦୧୮-୧୯ ଆର୍ଥିକ ବର୍ଷରେ ଭାରତ ୟୁରୋପକୁ ୫.୯ ବିଲିୟନ ଡଲାର ମୂଲ୍ୟର ପେଟ୍ରୋଲିୟମ ଉତ୍ପାଦ ରପ୍ତାନି କରିଥିଲା, ଯାହା ପୂର୍ବ ଆର୍ଥିକ ତୁଳନାରେ ଅଧିକ ଥିଲା। ରୁଷ-ୟୁକ୍ରେନ ଯୁଦ୍ଧ ପରେ ଆମେରିକା ଏବଂ ପ୍ରମୁଖ ୟୁରୋପୀୟ ଦେଶମାନଙ୍କ ଦ୍ୱାରା ରୁଷ ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ପରେ ଭାରତ ଶସ୍ତା ମୂଲ୍ୟରେ ରୁଷରୁ ଅଶୋଧିତ ତୈଳର ପ୍ରମୁଖ କ୍ରେତା ପାଲଟିଛି  | ଅଶୋଧିତ ତୈଳ କ୍ରୟ ପାଇଁ ସାଉଦି ଆରବ, ୟୁଏଇ, ଇରାକ ଭଳି ଦେଶ ଉପରେ ନିର୍ଭରଶୀଳ ଭାରତ ବର୍ତ୍ତମାନ ରୁଷରୁ ପ୍ରାୟ ୪୦ ପ୍ରତିଶତ ଅଶୋଧିତ ତୈଳ କ୍ରୟ କରୁଛି। ୨୦୨୩-୨୪ ଆର୍ଥିକ ବର୍ଷରେ, ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ରୁଷିଆରୁ ଅଶୋଧିତ ତୈଳ ଆମଦାନୀରେ ୪୯ ପ୍ରତିଶତ ବୃଦ୍ଧି ଘଟିଛି। ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଏପ୍ରିଲ-ଜୁଲାଇ ମଧ୍ୟରେ ରୁଷିଆରୁ ଅଶୋଧିତ ତୈଳ ଆମଦାନୀରେ ୨୬ ପ୍ରତିଶତ ବୃଦ୍ଧି ଘଟିଛି।

Leave a Reply

Your email address will not be published. Required fields are marked *