ବାରିପଦା/ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଓ ବିକଶିତ ଭାରତ ଅଭିଯାନର ମିଳିତ ସହଯୋଗରେ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନ ରେ ଏବଂ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅଖିଳ ଭାରତୀୟ ସଂଘର୍ଷ ବାହିନୀ ପ୍ରମୁଖ ଅର୍ଣ୍ଣଦା ଶଙ୍କର ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଶିକ୍ଷିତ ବ୍ୟକ୍ତିର ବ୍ୟବହାରିକ ଜ୍ଞାନ ଉପରେ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ଆଜିର ଭାରତରେ ଚାକିରୀ ସର୍ବସ୍ୱ ମାନସିକତା ହିଁ ବେକାରୀ ସମସ୍ୟା ସୃଷ୍ଟି କରିଛି ବୋଲି ସେ ଅଭିବ୍ୟକ୍ତି ପ୍ରକାଶ କରିଥିଲେ । ନିଜର ନିକଟ ପରିବେଶର ଆବଶ୍ୟକତା ଉପରେ ଦୃଷ୍ଟି ରଖି ଉଦ୍ଭାବନୀ ଶକ୍ତି ଦ୍ୱାରା ଯୁବସମାଜ କିପରି ସଫଳ ଉଦ୍ୟୋଗୀ ହୋଇପାରିବେ ସେ ଦିଗରେ ବିଭିନ୍ନ ସଫଳ ବ୍ୟକ୍ତିଙ୍କ ଦୃଷ୍ଟାନ୍ତ ତୋଳି ଧରିଥିଲେ । ରାଜ୍ୟ ସ୍ୱଦେଶୀ ଜାଗରଣ ମଞ୍ଚର ସଦସ୍ୟ ସୌଭାଗ୍ୟ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସାଧାରଣ ସ୍ତରରୁ ଉଦ୍ୟମ କରି ଜୀବନରେ ସ୍ୱକୀୟ ଉଦ୍ୟମ ଫଳରେ ସଫଳତା ଅର୍ଜନ କରିବା ସହିତ ଅନେକ ବ୍ୟକ୍ତିଙ୍କ ପାଇଁ କର୍ମସଂସ୍ଥାନ କରିପାରିଥିବା ଗୋବିନ୍ଦ ମହାପାତ୍ର, ବିବେକାନନ୍ଦ ମିଶ୍ର ଓ ଶିଶିର କୁମର ମହାନ୍ତ ଙ୍କୁ ଉତ୍ତରୀୟ ଓ ପାଦପ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମର ସଂଯୋଜିକା ସହକାରୀ ପ୍ରଫେସର ଡ. ବିଷ୍ଣୁପ୍ରିୟା ହାଁସଦା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲା ସଂଯୋଜକ ଅଜିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଗଣ ଯୋଗଦାନ କରିଥିଲେ ।