ବାତ୍ୟା ‘ଦାନା’ପାଇଁ ପାରାଦୀପରେ ଶିଳ୍ପ ମନ୍ତ୍ରୀ ଙ୍କ ପ୍ରାକ ପ୍ରସ୍ତୁତି ବୈଠକ
ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ
ବାତ୍ୟାରେ ଜିଲ୍ଲାର ପ୍ରାୟ ୮୮ ହଜାର ଲୋକ ପ୍ରଭାବିତ ହେବାର ଆଶଙ୍କା
ପାରାଦୀପ,୨୩-୧୦-୨୦୨୪(ପିପିଏସ ) : ସମ୍ଭାବ୍ୟ ବାତ୍ୟା “ଦାନା”କୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏବଂ ବୃହତ୍ ଶିଳ୍ପ ଗୁଡିକର ପଦାଧୂକାରୀ ମାନଙ୍କୁ ନେଇ ଆଜି ପାରାଦ୍ବୀପ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକରେ ପାରାଦୀପ ବିଧାୟକ ତଥା ରାଜ୍ୟ ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ବ୍ୟବସ୍ଥା ର ସମୀକ୍ଷା କରିଥିଲେ । ବାତ୍ୟା ସମୟରେ ବିଭିନ୍ନ ଶିଳ୍ପରେ କାର୍ଯ୍ୟକରୁଥବା ଠିକା ଶ୍ରମିକ ମାନଙ୍କର ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇ ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ ବୋଲି କହିଥିଲେ l ରାଜ୍ୟ ସରକାର ଜିରୋ କାଜୁଆଲିଟିକୁ ନିଶ୍ଚିତ କରିବା ଉପରେ ଗୁରୁତ୍ବ ଦେଉଛନ୍ତି । ଏହି ସମୟରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନଙ୍କ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ଶିଳ୍ପ ସଂସ୍ଥାର କର୍ତ୍ତୃପକ୍ଷ ମାନଙ୍କୁ ପରାମର୍ଶ ଦିଆଯାଇଥିଲା l ଶ୍ରମିକଙ୍କ ସହ ସାଧାରଣ ଜନତାଙ୍କ ପାଇଁ ରିଲିଫ ସାମଗ୍ରୀ, ପାନୀୟ ଜଳ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀକୁ ମହଜୁଦ ରଖିବା ସହ ଭୟଭୀତ ନହୋଇ ବାତ୍ୟା ମୁକାବିଲା ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି l ଜଗତସିଂହପୁର ଜିଲ୍ଲାରେ ୪୫ ଟି ସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରାୟ ୨୧୪ ଟି ଅସ୍ଥାୟୀ ଆଶ୍ରୟ ସ୍ଥଳ ପ୍ରସ୍ତୁତ କରାଯାଇଛି l ତେବେ ବାତ୍ୟାରେ ଜିଲ୍ଲାର ପ୍ରାୟ ୮୮ ହଜାର ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଥିବା ବେଳେ ୨୩ ତାରିଖ ବୁଧବାର ସନ୍ଧ୍ୟାରୁ ପ୍ରଥମ ପର୍ଯ୍ୟାୟରେ ୮ ହଜାର ଲୋକଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଛି l ଆଶ୍ରୟ ସ୍ଥଳୀ କୁ ଆସିବା ପାଇଁ ପ୍ରଶାସନ ପକ୍ଷରୁ ବସ ଓ ଗାଡିର ବ୍ୟବସ୍ଥା କରାଯାଇଥିବା ବେଳେ ଆଶ୍ରୟ ସ୍ଥଳରେ ବିଦ୍ୟୁତ ବ୍ୟବସ୍ଥା, ଟଏଲେଟ ସୁବିଧା, ପାନୀୟ ଜଳ, ଶୁଖିଲା ଓ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଥିବା ନେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି l ଏହି ସମୀକ୍ଷା ବୈଠକରେ ଜଗତସିଂହପୁର ଜିଲ୍ଲାପାଳ ଜେ.ସୋନାଲ,ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା, ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ସ୍ୱତନ୍ତ୍ର ଅଧିକାରୀ ଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ ଶିଳ୍ପ ସଂସ୍ଥା ର ପ୍ରତିନିଧି ମାନେ ଉପସ୍ଥିତ ରହି ବାତ୍ୟା ସୁରକ୍ଷା ସମ୍ପର୍କିତ ଆଲୋଚନା ରେ ଅଂଶଗ୍ରହଣ କରିଥିଲେl ସେହିପରି ଜିଲ୍ଲା ମୁଖ୍ୟାଳୟରେ ପ୍ରସ୍ତୁତ ଥିବା ଏନଡିଆରଏଫ ଟିମ ବୁଧବାର ସନ୍ଧ୍ୟାରେ ଜିଲ୍ଲାର ବିଭିନ୍ନ ବାତ୍ୟା ପ୍ରଭାବିତ ହେବାକୁ ଥିବା ଅଞ୍ଚଳକୁ ବାହାରିଥିବା ଜଣାପଡିଛି l