ସମ୍ଭାବ୍ୟ ବାତ୍ୟା ‘ ଦାନା ‘  ଛଡ଼ାଇ ନେବକି ଦାନା ?ସଜାଗ ଜିଲ୍ଲା ପ୍ରଶାସନ
1 min read

ସମ୍ଭାବ୍ୟ ବାତ୍ୟା ‘ ଦାନା ‘  ଛଡ଼ାଇ ନେବକି ଦାନା ?ସଜାଗ ଜିଲ୍ଲା ପ୍ରଶାସନ

ଜଗତସିଂହପୁର,୨୩-୧୦-୨୦୨୪(ପିପିଏସ ) : ପୂର୍ବ ବଙ୍ଗୋପ ସାଗରରେ  ସୃଷ୍ଟି ହୋଇଥିବା ଅବପାତ  ବାତ୍ୟା ର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଯାହାଫଳରେ  ଜଗତସିଂହପୁର ଜିଲ୍ଲାରେ ୨୪ଓ ୨୫ ତାରିଖ ପ୍ରବଳ ରୁ ଅତି ପ୍ରବଳ ବର୍ଷା  ସହ ୧୧୦ ରୁ ୧୨୦ କି .ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ବାତ୍ୟା ପରିସ୍ଥିତି ସମୀକ୍ଷା ନିମନ୍ତେ ଆଜି ପୂର୍ବାହ୍ନ ରେ ପାରାଦ୍ୱୀପ ସ୍ପେଶାଲ ସର୍କିଟ ହାଉସ ଠାରେ ମାନ୍ୟବର ମନ୍ତ୍ରୀ, ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ , ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦଗାତା, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ, ଶ୍ରୀ ନିରଞ୍ଜନ ବେହେରା, ନିର୍ବାହୀ ଅଧିକାରୀ, ପାରାଦ୍ଵୀପ ଙ୍କ ଉପସ୍ଥିତି ରେ ସମସ୍ତ ଶିଳ୍ପ ସଂସ୍ଥା ର ପ୍ରମୁଖ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ବାତ୍ୟା ପରିସ୍ଥିତି ଉପୁଜିଲେ ପ୍ରଶାସନ ତଥା ଶିଳ୍ପ ସଂସ୍ଥା ର ମିଳିତ ସହଯୋଗ ରେ କିପରି ପ୍ରଭାବିତ ଲୋକ ମାନଙ୍କୁ ବିପଦ ମୁକ୍ତ ଆଶ୍ରୟ ସ୍ଥଳ କୁ ସ୍ଥାନନ୍ତରିତ କରାଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା। ଆଶ୍ରୟ ସ୍ଥଳ ଗୁଡ଼ିକ ରେ ଆବଶ୍ୟକୀୟ ଜରୁରୀ ବ୍ୟବସ୍ଥା କୁ ତଦାରଖ କରିବା,ଆସ୍କା ଲାଇଟ୍, କଟର, ବ୍ଲିଚିଂ ପାଉଡର,ବିଶୁଦ୍ଧ ପାନୀୟ ଜଳ , ଶୁଖିଲା ଖାଦ୍ୟ, ଶିଶୁ ଖାଦ୍ୟ ପଦାର୍ଥ ମହଜୁଦ ରଖିବା,  ଖାଦ୍ୟ ଯୋଗାଣ ନିମନ୍ତେ ବ୍ୟାପକ ଗାଡି ର ବ୍ୟବସ୍ଥା କରିବା ଓ ଗାଡି ନିମନ୍ତେ ତେଲ ସଂରକ୍ଷିତ ରଖିବା, ଜେନେରେଟର ସେଟ ସହିତ ଡିଜେଲ ବ୍ୟବସ୍ଥା ସୁନିଶ୍ଚିତ କରାଇବାକୁ ପରାମର୍ଶ ଦେଇଥିଲେ ମାନ୍ୟବର ମନ୍ତ୍ରୀ। ଏହାପରେ ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପ, ଙ୍କ କାର୍ଯ୍ୟାଳୟ ରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ, ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀ, ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଆଭାସି ମାଧ୍ୟମ ରେ ଜିଲ୍ଲା ର ସମସ୍ତ ବ୍ଲକ୍ ସହ ଯୋଡି ହୋଇ ବାତ୍ୟା ପ୍ରସ୍ତୁତି ବିଷୟ ରେ ସମୀକ୍ଷା କରିଥିଲେ। ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଓସ୍ଵାନ ଭି ସି ହଲ୍ ରେ ମାନ୍ୟବର ବିଧାୟକ ଜଗତସିଂହପୁର, ଶ୍ରୀ ଅମରେନ୍ଦ୍ର ଦାସ ଯୋଗଦେଇ ଜିରୋ କାଜୁଆଲିଟି ଜିଲ୍ଲା ର ଲକ୍ଷ୍ୟ ଏବଂ ଏଥିପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଥିଲେ। ଏହାଛଡା ଭୟଭୀତ ନ ହୋଇ ସୁରକ୍ଷିତ ଜାଗାକୁ ଯିବାପାଇଁ ସେ ଜିଲ୍ଲାବାସୀ ଙ୍କୁ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକ ରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀ ଜିଲ୍ଲା ର ବିଡିଓ ତହସିଲଦାର ତଥା ନିର୍ବାହୀ ଅଧିକାରୀ ମାନଙ୍କୁ ନିଜ ନିଜ ମଧ୍ୟରେ ସମନ୍ଵୟ ରକ୍ଷା କରି କର୍ଯ୍ୟକରିବାକୁ ପରାମର୍ଶ ଦେବାସହ  ସେମାନଙ୍କର ପ୍ରସ୍ତୁତି ସଂପର୍କ ରେ ପଚାରି ବୁଝିଥିଲେ । ଆଜି ସୁଦ୍ଧା ୩ ଟି ଏନଡିଆରଏଫ ଟିମ୍ ପାରାଦ୍ଵୀପ,  ଏରସମା, କୁଜଙ୍ଗ ରେ ପହଞ୍ଚି ସାରିଛନ୍ତି ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ୬ ଜଣିଆ ୨ ଟି ଟିମ୍ (ପାରାଦ୍ଵୀପ – କୁଜଙ୍ଗ ପାଇଁ ଗୋଟେ, ବାଲିକୁଦା – ଏରସମା ପାଇଁ ଗୋଟିଏ) ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ୍ ସୂଚନା ଦେଇଥିଲେ।୨୪ ତାରିଖ ସକାଳୁ ୨୫ ତାରିଖ ପର୍ଯ୍ୟନ୍ତ ରେଡ ୱାର୍ନିଙ୍ଗ ରହିଛି। ଏହି ପରୀପ୍ରେକ୍ଷୀରେ ଆଜି ଉପ ଜିଲ୍ଲାପାଳ ତଥା ଉପଖଣ୍ଡ ଦଣ୍ଡଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ଧାରା ୧୬୩ ଦ୍ଵାରା ପାରାଦ୍ଵୀପ ସମୁଦ୍ର କୁଳ, ଶିଆଳି ବେଳାଭୂମି ଏବଂ ଅନ୍ୟ ଉପକୂଳ ବର୍ତ୍ତି ସ୍ଥାନ ଗୁଡିକରେ ପର୍ଯ୍ୟଟକ, ସାଧରଣ ଜନତା ଙ୍କ ଗସ୍ତ କୁ ନିଷେଧ କରିଛନ୍ତି। କଣ୍ଟ୍ରୋଲ ରୁମ୍ ସଠିକ୍ ଭାବରେ କାର୍ଯ୍ୟକ୍ଷମ କରିବା,  ପ୍ରତ୍ୟେକ ଆଶ୍ରୟ ସ୍ଥଳରେ ନୋଡାଲ ଅଧିକାରୀ ନିଯୁକ୍ତି କରିବା, ଜନପ୍ରତିନିଧି ଙ୍କୁ ଅନ୍ତର୍ଭୁକ୍ତ କରିବା, ପଲିଥିନ ମହଜୁଦ ରଖିବା ବିଷୟରେ ଆଲୋଚନା ହୋଇଥିଲା ।  ସମସ୍ତ ବିଡ଼ିଓ ତହସିଲଦାର, ବିଭାଗୀୟ ଅଧିକାରୀ ମାନେ ମଧ୍ୟ ନିଜ ଅଞ୍ଚଳ ର ବ୍ୟାପକ ପ୍ରସ୍ତୁତି ବିଷୟ ରେ ସୂଚନା ଦେଇଥିଲେ।ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର,ପାରାଦ୍ୱୀପ , ପି ଡି, ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ, ବିଡିଓ ତହସିଲଦାର, ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *